ନୂତନ ସଭାପତିଙ୍କୁ ‘ବିର୍ଲା ଟାୟାର୍ସ ଏମ୍ପେ୍ଲାଇଜ ଏଣ୍ଡ ୱାର୍କର୍ସ ୟୁନିୟନ’ର ସମ୍ବର୍ଦ୍ଧନା
ଶିଳ୍ପାନୁଷ୍ଠାନର ଅଚଳାବସ୍ଥା ଦୂର ପାଇଁ ସଂଗଠନର ଉଦ୍ୟମ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା): ଉତ୍ତର ଓଡ଼ିଶାର ବୃହତ ଶିଳ୍ପାନୁଷ୍ଠାନ ବାଲେଶ୍ୱରର ବିରଳା ଟାୟାର୍ସର ଅଚଳାବସ୍ଥା ତଥା ଏହାର ଶ୍ରମିକ କର୍ମଚାରୀଙ୍କ ଦୟନୀୟ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି ‘ବିର୍ଲା ଟାୟାର୍ସ ଏମ୍ପେ୍ଲାଇଜ ଏଣ୍ଡ ୱାର୍କର୍ସ ୟୁନିଅନ’ । ଶିଳ୍ପାନୁଷ୍ଠାନକୁ ଉତ୍ପାଦନକ୍ଷମ କରିବା ଓ ଶ୍ରମିକ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏକ ସାଧାରଣ ସଭା ସ୍ଥାନୀୟ ସିଦ୍ଧିକଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ନବନିଯୁକ୍ତ ସଭାପତି ତଥା ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ବିର୍ଲା ଟାୟାର୍ସର ଅଚଳାବସ୍ଥା ଦୂର ପାଇଁ ସବୁ ମହଲରୁ ସହଯୋଗ କାମନା କରିଥିଲେ । କାରଖାନାର ଉତ୍ପାଦନ ବନ୍ଦ ହେବା ଯୋଗୁଁ ଏହାର ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିଥିବା ବେଳେ ପରୋକ୍ଷ ଭାବେ ଏହା ବାଲେଶ୍ୱର ଜିଲାର ଅର୍ଥନୀତିକୁ ପ୍ରଭାବିତ କରିିଛି । ବିର୍ଲା ଟାୟାର୍ସ କାରଖାନାକୁ କିପରି ଉତ୍ପାଦନକ୍ଷମ କରାଯାଇ ପାରିବ ସେ ସମ୍ପର୍କରେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଦଳମତ ନିର୍ବିଶେଷରେ ସବୁମହଲରୁ ସହଯୋଗ କରିବାକୁ ବିଧାୟକ ଶ୍ରୀ ଦାସ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ୟୁନିଅନର ସାଧାରଣ ସମ୍ପାଦକ ଶରତ କୁମାର ଦାସ ବିବରଣୀ ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସଂଗଠନର ଉପଦେଷ୍ଟା ରଞ୍ଜନ ବାଗଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ଉପଦେଷ୍ଟା ବିଷ୍ଣୁ ପ୍ରସାଦ ମହାନ୍ତି, ରଞ୍ଜନ ପ୍ରଧାନ, ଆଇନ ପରାମର୍ଶଦାତା ଜୟନ୍ତ ମହାନ୍ତି, ଐଶ୍ଚର୍ଯ୍ୟ ସେନାପତି, ଉପ-ସଭାପତି ପୀତାମ୍ବର ମହାପାତ୍ର, ମାୟାଧର ରାଉତ, ଚିତ୍ତରଞ୍ଜନ ବେହେରା, ବରିଷ୍ଠ ସଦସ୍ୟ ଆଲୋକ କୁମାର ଦାସ ଏବଂ ବିଦ୍ୟୁତ କର୍ମଚାରୀ ସଂଘର କର୍ମକର୍ତ୍ତା ନିମାଇ ଚରଣ ରାଉତ ପ୍ରମୁଖ ଯୋଗଦେଇ ବିର୍ଲା ଟାୟାର୍ସର ସାମ୍ପ୍ରତିକ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ୟୁନିଅନର ପୂର୍ବତନ ସଭାପତି ତଥା ବରିଷ୍ଠ ରାଜନେତା ସ୍ୱର୍ଗତ ଅରୁଣ ଦେଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ୟୁନିଅନ ପକ୍ଷରୁ ନବନିର୍ବାଚିତ ସଭାପତି ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ୍ କରାଯାଇଥିଲା । ୟୁନିଅନର ସଭାପତି ସ୍ୱର୍ଗତଃ ଦେଙ୍କ ବିୟୋଗପରେ ନିକଟ ଅତୀତରେ ସଦର ବିଧାୟକ ଶ୍ରୀ ଦାସଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ମନୋନୀତ କରାଯାଇଥିଲା ।


