ନେତାଜୀ ଜୟନ୍ତୀ ଅବସରରେ ‘ସଂହତି’ର ଅଭିନବ ପ୍ରୟାସ ହୁନର-୨୦୨୦
ଭୁବନେଶ୍ୱର- : ପବିତ୍ର ନେତାଜୀ ଜୟନ୍ତୀ ଉତ୍ସବ ଅବସରରେ କଟକ ନୂଆପଡ଼ା ପ୍ରେସ୍ କ୍ଲବ ପରିସରରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସଂହତି’ ଦ୍ୱାରା ସମାଜର ପଛୁଆବର୍ଗର ପିଲାମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଭାଷା ଓ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ‘ହୁନର-୨୦୨୦’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ତଥା ଅନ୍ୟ ଜିଲ୍ଲାମାନଙ୍କରୁ ୨୫୦ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗଦେଇ ‘ସଂହତି’ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଚିତ୍ରାଙ୍କନ, ବକ୍ତୃତା, ତର୍କ, ଏକକ ଅଭିନୟ, ସଙ୍ଗୀତ ଓ ନୃତ୍ୟରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଆଇନ୍ଜୀବୀ ଓ ସମାଜସେବୀ ସୁରେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ନେତାଜୀଙ୍କ ଜୀବନୀ ବିଷୟରେ ଉପଦେଶ ପ୍ରଦାନ କରିବା ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ‘ସଂହତି’ ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଏହା ଚୌଦ୍ୱାରର ଲକ୍ଷ୍ମୀନାରାୟଣ ସାହିରେ ଅବସ୍ଥିତ । ଏହା ସମାଜର ବିଭିନ୍ନ ପ୍ରକାରର ସମୂହ କାର୍ଯ୍ୟକ୍ରମରେ ନିଜକୁ ନିୟେଜିତ କରିଥାଏ । ପଛୁଆବର୍ଗର ପିଲାମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରତିଭା ପ୍ରଦର୍ଶନ କ୍ଷେତ୍ରରେ ସୁରକ୍ଷା ପ୍ରଦାନ ଓ ପଥ ପ୍ରଦର୍ଶନ କରିବା ସହିତ ସମାଜର ନିରକ୍ଷର, ଦରିଦ୍ର ଓ ପଛୁଆ ଶ୍ରେଣୀର ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧା ବିଷୟରେ ସୁପରିଚାଳିତ କାର୍ଯ୍ୟକ୍ରମ ଜରିଆରେ ଅବଗତ ଓ ସଚେତନ କରିବା, ସମାଜର ପଛୁଆ ଓ ଦରିଦ୍ରଶ୍ରେଣୀର ମହିଳାମାନଙ୍କୁ ବିଭିନ୍ନ ପ୍ରକାର କୁଟୀରଶିଳ୍ପି ମାଧ୍ୟମରେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହେବା ପାଇଁ ସଚେତନ ଓ ସାହାଯ୍ୟ କରିବା, ଆଧୁନିକ ସମାଜରେ ଆଇନ୍ଗତ ସୁବିଧା ଓ ସୁରକ୍ଷା ନିମନ୍ତେ ସମାଜର ସମସ୍ତବର୍ଗର ଲୋକମାନଙ୍କୁ ଦେଶର ସାମ୍ବିଧାନିକ ଅଧିକାର ଓ ସରକାରଙ୍କ ଯୋଜନ।। ବିଷୟରେ ଅବଗତ ଓ ସଚେତନତ କରିବା । ଏହିସବୁ ବିଭିନ୍ନ ପ୍ରକାର ସମାଜମଙ୍ଗଳକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜନହିତକର କାର୍ଯ୍ୟଗୁଡ଼ିକୁ ସଫଳ ରୂପାୟନ ପାଇଁ ଆମ୍ଭେ ସମସ୍ତଙ୍କର ସହଯୋଗ ଓ ଶୁଭେଚ୍ଛା କମନା କରୁଛୁ ।