ନ୍ୟୁଜିଲାଣ୍ଡରେ ଅବତାର ୨ର ଶୁଟିଂ ଆରମ୍ଭ

ନାମୀ ହଲିଉଡ୍ ଫିଲ୍ମ ନିର୍ମାତା ଜେମ୍ସ କ୍ୟାମେରୁନ ଗତ କିଛି ମାସ ଧରି ବ୍ଲକବଷ୍ଟର ଫିଲ୍ମ ଅବତାରର ସିକ୍ବେଲକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର ଶୁଟିଂ ନ୍ୟୁଜିଲାଣ୍ଡରେ ହେଉଥିଲା। ମାତ୍ର କୋରୋନା ଭାଇରସ ପାଇଁ ନ୍ୟୁଜିଲାଣ୍ଡ ସରକାର ମାର୍ଚ୍ଚ ମାସରେ ଲକଡାଉନ ଘୋଷଣା କରିଥିଲେ। ଫଳରେ ଫିଲ୍ମର ଶୁଟିଂ ସ୍ଥଗିତ ରହିଥିଲା। ତେବେ ନ୍ୟୁଜିଲାଣ୍ଡ ସରକାର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପରେ ଏଠାରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ସ୍ବାଭାବିକ ହୋଇଛି। ଫଳରେ ପୁଣିଥରେ ଫିଲ୍ମ ଶୁଟିଂ ଆରମ୍ଭ ହୋଇଛି। ଏପରିସ୍ଥଳେ ଫିଲ୍ମର ପ୍ରଯୋଜକ ଜନ୍ ଲଣ୍ଡେ ଅବତାର ୨ର ଶୁଟିଂ କାମ ପୁଣି ଥରେ ଆରମ୍ଭ ହୋଇଛି ବୋଲି ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟ ସହିତ ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଅନେକ ପ୍ରଫେସନାଲଙ୍କୁ ଦେଖିବାକୁ ମିଳୁଛି। ଏହି ଫଟୋରେ ନିର୍ଦେଶକ ଜେମ୍ସ କ୍ୟାମରୁନ କ୍ୟାମେରା କ୍ରେନ୍ ପଛରେ ବସିଥିବା ଦେଖିବାକୁ ମିଳୁଛି। ଏହି ଫଟୋର କ୍ୟାପସନରେ ଲେଖାଯାଇଛି ଯେ ଅବତାର ସିକ୍ବେଲର ପ୍ରଡକ୍ସନ୍ ଆରମ୍ଭ ହୋଇସାରିଛି। ଏହି ପୋଷ୍ଟର ଲୋକେସନ ଷ୍ଟୋନ ଷ୍ଟ୍ରିଟ୍ ଷ୍ଟୁଡିଓ ନ୍ୟୁଜିଲାଣ୍ଡ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ୨୦୦୯ରେ ଅବତାର ସିନେମା ବିଶ୍ବବ୍ୟାପୀ ରିଲିଜ୍ ହୋଇଥିଲା। ଏହି ସିନେମାକୁ ୯ଟି ଓସ୍କାର କ୍ୟାଟିଗୋରୀରେ ମନୋନୀତ କରାଯାଇଥିଲା ଓ ୩ଟି ଓସ୍କାର ଜିତିବାରେ ଏହି ସିନେମା ସଫଳ ହୋଇଥିଲା। ଏହି ସିନେମାକୁ ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍ ଓ ଶ୍ରେଷ୍ଠ ଇଫେକ୍ଟ ପାଇଁ ଓସ୍କାର ମିଳିଥିଲା। ଏଥି ସହିତ ସେତେବେଳେ ଫିଲ୍ମଟି ସାରା ବିଶ୍ବରେ ସବୁଠାରୁ ଅଧିକ ଆୟକାରୀ ଫିଲ୍ମର ମାନ୍ୟତା ପାଇଥିବା ବେଳେ ସର୍ବକାଳୀନ ରୋଜଗାର ତାଲିକାରେ ଏବେ ବି ଉଚ୍ଚସ୍ଥାନରେ ରହିଛି। ଜେମ୍ସ କ୍ୟାମରୁନ ଏହା ପୂର୍ବରୁ ଟାଇଟାନିକ ଭଳି ଅନ୍ୟଏକ ବ୍ଲକବଷ୍ଟର ସିନେମା ମଧ୍ୟ ନିର୍ମାଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ