ପଂଚାୟତରାଜ ଦିବସ ପାଳିତ
ହିଞ୍ଜିଳିକାଟୁ, ୬ା୩ (ଶେଷଦେବ ସାହୁ) : ବ୍ଳକରେ ବ୍ଳକସ୍ତରୀୟ ପଂଚାୟତରାଜ ଦିବସ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ତହସିଲଦାର ଗୋପିନାଥ କଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ର, ମହିଳା ବିଜେଡ଼ି ସଭାପତି ମମତା ରେଡ୍ଡି ପ୍ରମୂଖ ମଂଚାସୀନ ଥିଲେ । ଏହି ଅବସରରେ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିଙ୍ଗର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ, ପଂଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉଦ୍ୟମ ଜାରୀ ରଖିଥିଲେ । ଏଣୁ ତାଙ୍କରି ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କରି ପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଜାରୀ ରଖିଥିବା ଉଦ୍ୟମକୁ ମଂଚାସୀନ ଅତିଥି ମାନେ ଭୂୟସୀ ପ୍ରଂଶସା କରିଥିଲେ । ପରବର୍ତି ସମୟରେ ଆୟୋଜିତ ସମାବେଶ ସ୍ଥଳରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିବ୍ୟକ୍ତ ବୀବରଣୀକୁ ସିଧା ପ୍ରସାରଣ ମାଧ୍ୟମରେ ଦର୍ଶକଙ୍କୁ ପ୍ରଦର୍ଶିତ କରାଯାଇଥିଲା । ପରିଶେଷରେ ସ୍ୱେଛାସେବୀ ଅନୁଷ୍ଠାନ ଓ ଶିକ୍ଷାର୍ଥୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରଣୀଧର ଭୂୟାଁ, ଯୋଗାଣ ନିରିକ୍ଷକ ଶରତ ବେହେରା, ବିଜେଡ଼ି ନେତା ଅଜୟ କୁମାର ମହାରଣା, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ସମେତ ବହୁ ଅଙ୍ଗନୱାଡ଼ି ଓ ଆଶା କର୍ମୀ ଉପସ୍ଥିତ ଥିଲେ ।