ପଂଚାୟତ ଜନ ସୂଚନା ଅଧିକାରୀଙ୍କୁ ୨୫ ହଜାର ଜରିମାନା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସୂଚନା ଅଧିକାର ଆଇନ ବଳରେ ତଥ୍ୟ ନ ଦେବା ପଂଚାୟତ ଜନ ସୂଚନା ଅଧିକାରୀଙ୍କ ପାଇଁ ମହଙ୍ଗା ପଡିଛି । ଆବେଦନକାରୀଙ୍କୁ ତଥ୍ୟ ଯୋଗାଇ ଦେବା ପାଇଁ ଅଧିକ ଅର୍ଥ ଦାବି କରିବା,ତଥ୍ୟ ପ୍ରଦାନ ନ କରିବା ଓ ଧାର୍ଯ୍ୟ ସମୟ ମଧ୍ୟରେ କାରଣ ଦର୍ଶାଅ ଦାଖଲ ନ କରି ଥିବାରୁ ରାଜ୍ୟ ସୂଚନା କମିସନର ବି.କେ ମହାପାତ୍ର ଜଣେ ପଂଚାୟତ ଜନ ସୂଚନା ଅଧିକାରୀଙ୍କୁ ୨୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାଉଗାଁ ବ୍ଲକ ତିରୁଣା ପଂଚାୟତର ଜନସୂଚନା ଅଧିକାରୀ ତଥା ପିଇଓ ଅଶୋକ କୁମାର ନାୟକଙ୍କ ବିରୋଧରେ ଏଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ସୂଚନା ଆଇନର ଉଲ୍ଲଂଘନ କରିଥିବା କାରଣରୁ ସୂଚନା ଆଇନ ଧାରା ୨୦(୧)ପ୍ରକାରେ ମକଦ୍ଦମାର ବିଚାର କରି ୨୫ ହଜାର ଟଙ୍କା ଅର୍ଥ ଦଣ୍ଡ ଦେବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ପାଇବା ଦିନଠାରୁ ଏକ ମାସ ମଧ୍ୟରେ ପଂଚାୟତର ଜନସୂଚନା ଅଧିକାରୀ ତଥା ପିଇଓ ଶ୍ରୀ ନାୟକଙ୍କୁ ଜରିମାନା ବାବଦ ସମସ୍ତ ଅର୍ଥ ଟ୍ରେଜେରୀରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏଥିରେ ବିଫଳ ହେଲେ ପ୍ରଦାନ କରାଯାଉଥିବା ବେତନରୁ ପାଂଚଟି କିସ୍ତିରେ ଉକ୍ତ ରାଶି ପୁନରୁଦ୍ଧାର ପାଇଁ ପ୍ରଦେକ୍ଷପ ଗ୍ରହଣ କରିବାକୁ ନାଉଗାଁ ବିଡିଓଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସୂଚନା ପ୍ରକାରେ ତିରୁଣା ପଂଚାୟତର ସୂଚନା କର୍ମୀ ପ୍ରଦିପ କୁମାର ସ୍ୱାଇଁ ତିରୁଣା ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ,ମନରେଗା ଯୋଜନା ଆଦି ଉପରେ ୨୦୨୦ ଡିସେମ୍ବର ୨୧ରେ ବ୍ଲକ ଜନ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ମଗାଯାଇଥିବା ତଥ୍ୟକୁ ଯୋଗାଇ ଦେବା ପାଇଁ ବ୍ଲକ ସୂଚନା ଅଧିକାରୀ ପତ୍ର ମାଧ୍ୟମରେ ପଂଚାୟତ ଜନ ସୂଚନା ଅଧିକାରୀଙ୍କୁ ଜଣାଇଥିଲେ । ତେବେ ପଂଚାୟତ ଜନ ସୂଚନା ଅଧିକାରୀ ତଥା ପିଇଓ ଅଶୋକ କୁମାର ନାୟକ ସୂଚନା ଆଇନର ଅବମାନନା କରିବା ସହ ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବଶ୍ୟକ ସମସ୍ତ ତଥ୍ୟ ଦେଇ ନଥିଲେ । ଫଳରେ ଆବେଦନକାରୀ ଶ୍ରୀ ସ୍ୱାଇଁ ଏହା ବିରୋଧରେ ରାଜ୍ୟ ସୂଚନା କମିସନଙ୍କ ଠାରେ ଦ୍ୱିତୀୟ ଅପିଲ୍ କରିଥିଲେ । ଆବେଦନକାରୀଙ୍କ ଆବେଦନ ମାମଲାର ନମ୍ବର ୧୦୧୯/୨୦୨୧କୁ ସୂଚନା କମିସନର ଗ୍ରହଣ କରି ଏହାର ବିଚାର କରିବା ସହ ପଂଚାୟତ ଜନ ସୂଚନା ଅଧିକାରୀ ତଥା ପିଇଓ ଶ୍ରୀ ନାୟକଙ୍କୁ ଦଣ୍ଡିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ