ପଙ୍କ ଗାଡିଆରେ ମାତିଛନ୍ତି ପିଲା
ମୋହନା:(ପ୍ରେମାନନ୍ଦ ପୁଜାରୀ)ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ , ପିଲାଏଁ ପାଠ ପଢିଲେ ଦେଶ ବିକଶିତ ହେବା ଲକ୍ଷ୍ୟରେ ,ସରକାର ଗାଁ ଗାଁରେ ବିଦ୍ୟାଳୟ ଖୋଲି ଆବଶ୍ୟକୀୟ ଭିତିଭୁମି ସାଙ୍ଗକୁ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି କରୁଛନ୍ତି , ଏବଂ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା I ଏହା ସହ ଶିକ୍ଷା ବ୍ୟବସ୍ଥାରେ ସୁଦୃଢ ତଥା ଗୁଣବତ୍ତା ବୃଦ୍ଦି ପାଇଁ ପ୍ରଶାସନିକ ସ୍ଥରରୁ କଡା ପଦକ୍ଷେପ ନିଆଯାଉଥିବା କହି ଶିକ୍ଷା ବିଭାଗ କୁ ମଧ୍ୟ ମୋ ସରକାର 5ଟି ରେ ସାମିଲ କରାଯାଇଛି I ହେଲେ ଏତେ ସବୁ ନିୟମ ଥିଲେ ମଧ୍ୟ ସରକାରଙ୍କ ସବୁ ନିୟମ କୁ ବେଖାତିର କରି ଶିକ୍ଷକ ମାନେ କେତେବେଳେ କେଉଁଠାରେ ଅନୁପସ୍ଥିତ ରହୁଛନ୍ତି ତ ଆଉ କିଛି ସ୍ଥାନରେ ନିର୍ଦ୍ଦାରିତ ସମୟ ପୁର୍ବରୁ ବିଦ୍ୟାଳୟ କୁ ବନ୍ଦ କରି ଚାଲିଯାଉଛନ୍ତି ଶିକ୍ଷକ I ଅପରପକ୍ଷେ ବିଦ୍ୟାଳୟର ପିଲାମାନେ କୌଣସି ଶିକ୍ଷକ ଉପସ୍ଥିତ ନଥିବା ର ସୁଯୋଗ ପାଇ ବିପଦପୁର୍ଣ୍ଣ ଭାବେ କାଦୁଅ ପଚ ପଚ ବିଲମାଳିଆରେ ବୁଲୁଥିବା ଦେଖିବାକୁ ମିଳିଛି , ଏଭଳି ଘଟଣା ଦିନେ କି ଦୁଇ ଦିନ ନୁହଁ ବରଂ ସବୁଦିନ ଚାଲିଥିବା ବେଳେ ଶିକ୍ଷା ବ୍ୟବସ୍ଥା ଭେଳିକି ପାଲଟିଛି , ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଉଜିଗିଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଥା I ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ରହିଥିବା ବେଳେ ନିଯୁକ୍ତ ଅଛନ୍ତି ପାଞ୍ଚ ଜଣ ଶିକ୍ଷକ, ହେଲେ ପ୍ରଧାନ ଶିକ୍ଷକ ସିଆରସି ଦାୟିତ୍ବ ନେବା ପରେ ଅଧିକାଂଶ ବିଦ୍ୟାଳୟ ଆସୁନଥିବା ବେଳେ ପାଳି କରି ଜଣେ ଦୁଇଜଣ ଶିକ୍ଷକରେ ଚଲାଉଛନ୍ତି ବିଦ୍ୟାଳୟ, ସବୁଠୁ ବଡ କଥା ସକାଳ 10 ଘଣ୍ଟା ଠାରୁ ଅପରାହ୍ନ 4ଘଣ୍ଟ ପର୍ଯ଼୍ୟନ୍ତ ବିଦ୍ୟାଳୟ ଖୋଲାଯିବା ର ନିୟମ ରହିଥିବା ବେଳେ ଏହି ବିଦ୍ୟାଳୟରେ ଅପରାହ୍ନ ତିନିଟାରେ ହିଁ ବିଦ୍ୟାଳୟରେ ତାଲା ପକେଇ ଚାଲିଯାଉଛନ୍ତି ଶିକ୍ଷକ ମାନେ I ଅପରପକ୍ଷେ ଅଭିବାବକ ମାନେ ଶିକ୍ଷକ ଙ୍କ ଭରସାରେ ନିଜ ପିଲାକୁ ବିଦ୍ୟାଳୟ କୁ ପାଠ ପଢୁଥିବାକୁ ଛାଡୁଥିବା ବେଳେ ସ୍କୁଲ ୟୁନିଫର୍ମରେ ପିଲାମାନେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳୁଛି , କେଉଠି ଲଟା ବୁଦାରେ ଖେଳୁଛନ୍ତି ଅନ୍ୟ କେଉଁଠି ଆଣ୍ଠୁଏଁ କାଦ ପଚ ପଚରେ ଘୁରି ବୁଲୁଛନ୍ତି I ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଉକ୍ତ ବିଦ୍ୟାଳୟ ର ଦୃଶ୍ୟ ରେକର୍ଡ କରିବା ପାଇଁ ଯାଉଥିବାର ଜାଣି ଚାଲିଯାଉଥିବା ଶିକ୍ଷକ ପୁଣି ବଦ୍ୟାଳୟ କୁ ଫେରିଥିଲେ I ତେବେ ଶିକ୍ଷକଙ୍କୁ ପଚାରିବାରୁ ଦେହ ଖରାଫ ଥିବାହେତୁ ଶିଘ୍ର ବନ୍ଦ କରିଦେଉଥିବା ଜଣେ ଶିକ୍ଷକ କହୁଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଶିଘ୍ର ବନ୍ଦ କରିଦେଇଥିବା ସ୍ବୀକାର କରିଦେଇଛନ୍ତି I ହେଲେ ଏଇଠି ପ୍ରଶ୍ନ ଉଠୁଛି ପିଲାଙ୍କ କୌଣସି ଅଘଟଣ ଘଟିଲେ ଦାୟୀ କିଏ ? ଏହି ଘଟଣା କୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଙ୍କ ସହ ଆଲୋଚନା କରିବାରୁ ସେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ କେଉଁଦିନ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିଲା ତାହାର ତଦନ୍ତ କରି ଶିକ୍ଷକ ଙ୍କ ଦରମା ବନ୍ଦ କରିବା ପାଇଁ ମୋହନା ବିଇଓ ବିଶ୍ବନାଥ ଭୁୟାଁଙ୍କୁ ନିର୍ଦ୍ଦଶ ଦେଇଛନ୍ତି