ପଜେଟିଭ ପରେ ଅଞ୍ଚଳରେ କୋକୁଆଭୟ, ୩ଟି ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଓ ୧୧ଟି ଗ୍ରାମକୁ ବଫର ଜୋନ ଘୋଷଣା

ହାଟଡିହି (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲାର ହାଟଡିହିରେ ଦ୍ୱିତୀୟ କରୋନା ପଜେଟିଭ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ ଭୟ ଓ ଆଶଙ୍କାର ବାତାବରଣ ଖେଳି ଯାଇଛି । ସରକାରଙ୍କ ବାରମ୍ବାର ଚେତାବନୀ ଓ ସଚେତନତା ସତ୍ତ୍ୱେ ଲୋକମାନେ ସାମାଜିକ ଦୁରତା ରକ୍ଷା ନକରିବା, ଉକ୍ତ ସଂକ୍ରମିତ ବ୍ୟକ୍ତି ଜଣକ ଅନେକ ଲୋକଙ୍କ ସହିତ ମିଶିବା ଯୋଗୁଁ ଏବେ ସମଗ୍ର ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି । କରୋନା ପଜେଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଥିଲାଗିତ୍ତତତ୍ପରତା ପ୍ରକାଶ ପାଇଛି । ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର, ମୁଗୁପୁର ଓ ସର୍ବେଶ୍ୱରପୁରକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ପଞ୍ଚୁଗୋଛିଆ ପଞ୍ଚାୟତର ତରଭା, ବରେଶ୍ୱର, ପଞ୍ଚୁଗୋଛିଆ, ବଳଭଦ୍ରପୁର, ଟିକରା, ନୀଳାପୁର, ବରଡି (ଆଂଶିକ) ଆଡହୁରିଆ, ବଞ୍ଚୋ ପଞ୍ଚାୟତର ବଞ୍ଚୋ, (ଆଂଶିକ) ଶିବନାରାୟଣପୁର (ଆଂଶିକ), ସିଙ୍ଗାଡୋବ ଆଦି ୧୧ଟି ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । କ୍ୱାଣ୍ଟେନମେଣ୍ଟ ଗାଁ ଗୁଡିକର ମୁଗୁପୁର ବଜାର ନିକଟ ଦୁର୍ଗା ମନ୍ଦିର, ମୁଗୁପୁର ମାର୍କେଟ କମ୍ପେ୍ଲକସ ରୋଡ,ହୀରାପୁର ବ୍ୟାଙ୍କ ଛକ, ହୀରାପୁରର ସେଠୀ ସାହୁ, ସର୍ବେଶ୍ୱରପୁରର ହନୁମାନ ମନ୍ଦିର ଛକ, ମୁଗୁପୁର ମେଡିକାଲ ଛକ ଆଦିକୁ ସିଲ କରାଯାଇ ସିଲିଂ ପଏଣ୍ଟ ଭାବେ ଘୋଷଣା କରାଯାଇଛି । ଉପରୋକ୍ତ ଅଞ୍ଚଳରେ ସମସ୍ତ ପ୍ରକାର ଯାନବାହାନ ଚଳାଚଳକୁ ବନ୍ଦ ରଖାଯାଇଛି । ଅବରୋଧ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଛେନାପଦି-ତରଭା ମୁଖ୍ୟ ରାସ୍ତାଟି ସିଲ କରାଯାଇ ନଥିବାରୁ ବଫର ଜୋନର ମାନେ କିଛି ନଥିବା ଆଲୋଚନା ହେଉଛି । ଯାହାଦ୍ୱାରାକି ଲୋକମାନେ ବାହାରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି ।  ସେହିପରି ପ୍ରଶାସନ ପକ୍ଷରୁ ଆଜି ଗାଁରେ ବିଶୋଧନ, ସ୍ୱାସ୍ଥ୍ୟସେବା, ଘରକୁଘର ବୁଲି ସର୍ଭେ, କଣ୍ଟ୍ରାକ୍ଟ ଟ୍ରେସିଂ ଆଦି ଆରମ୍ଭ କରାଯାଇଛି । ଆନନ୍ଦପୁର ଓ ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ପ୍ରଥମେ ହୀରାପୁର, ମୁଗୁପୁର ଓ ସର୍ବେଶ୍ୱରପୁର ଗ୍ରାମକୁ ବିଶୋଧନ କରାଯାଇଛି । ହାଟଡିହି ଅଗ୍ନିଶମ ଅଧିକାରୀ ସୁର୍ଯ୍ୟମଣୀ ନାୟକ, ଆନନ୍ଦପୁର ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂ ତାଙ୍କ କର୍ମଚାରୀଙ୍କ ସହିତ ଆକ୍ରାନ୍ତଙ୍କ ଘର ସମେତ ଗ୍ରାମର ସମସ୍ତଙ୍କ ଘର, ମଣ୍ଡପ, ମନ୍ଦିର ଓ ମୁଗୁପୁର ହାଇସ୍କୁଲରେ ହୋଇଥିବା କ୍ୱାଣ୍ଟୋଇନ ସେଣ୍ଟର ଆଦିକୁ ବିଶୋଧନ କରିଥିଲେ । ପର୍ଯ୍ୟାୟକ୍ରମେ ବଫର ଜୋନର ସମସ୍ତ ଗ୍ରାମକୁ ବିଶୋଧନ କରାଯିବ ବୋଲି ଶ୍ରୀ ନାୟକ ସୁଚନା ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟକର୍ମଚାରୀ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନେ ଘରଘର ବୁଲି ସର୍ଭେ କରିବା ସହିତ ଲୋକମାନଙ୍କୁ ଘରେ ରୁହନ୍ତୁ ଓ ବାହାରକୁ ବାହାରନ୍ତୁ ନାହିଁ, ଅନେକବାର ସାବୁନରେ ହାତ ଧୁଅନ୍ତୁ ଆଦି ଅନେକ ବାବଦରେ ସଚେତନ କରାଉଛନ୍ତି । ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ଡାକ୍ତର ସଂଗ୍ରାମ ବ୍ରହ୍ମ, ଡାକ୍ତର ପ୍ରଶାନ୍ତ ନାୟକ, ଡାକ୍ତର ଭିକାଶ ପ୍ରସାଦ, ଡାକ୍ତର ସଶ୍ମିତାଞ୍ଜଳୀ ପଣ୍ଡା, ଡାକ୍ତର ରଞ୍ଜିତା ମଲ୍ଲିକଙ୍କ ନେତୃତ୍ୱରେ ଯାଇଥିବା ମେଡିକାଲ ଟିମ ପକ୍ଷରୁ ଗତକାଲି ୭୧ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ଆଜି ସେକେଣ୍ଡ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୧୨୬ଜଣଙ୍କ ସ୍ୱାବଟେଷ୍ଟ ପାଇଁ ପଠାଯାଇଥିବା ସୁଚନା ମିଳିଛି । ସଂକ୍ରମିତ ବ୍ୟକ୍ତି ଜଣକ ଛେନାପଦି ବଜାର ସମେତ ଅନେକ ସ୍ଥାନକୁ ଯାଇଥିବା ଜଣାଯାଇଛି । ପଞ୍ଚୁଗୋଛିଆ ମାର୍କେଟରେ ସେ ଅନେକବାର ଯାଇ ପରିବାପତ୍ର କିଣାକିଣି କରିବା ସହିତ ଲୋକମାନଙ୍କ ସହ ମିଶାମିଶି କରିଥିଲା । ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ପ୍ରକାଶ ପାଇନଥିବାରୁ ସେ ଖୁଲାମଖୁଲା ବାହାରେ ବୁଲିଥିବା ଗ୍ରାମବାସୀମାନେ କହିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ଗତ ମାର୍ଚ୍ଚମାସ ୨୭ତାରିଖ ଦିନ କଲିକତାରୁ ଏକ ଟ୍ରକ ଯୋଗେ ନିଜ ଶ୍ୱଶୁର ଘରକୁ ପଳାଇ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ