ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟ ଚୂଡ଼ାନ୍ତ
ନୂଆଦିଲ୍ଲୀ: କେନ୍ଦ୍ର-ରାଜ୍ୟ ଓ ରାଜ୍ୟ-ରାଜ୍ୟ ଭିତରେ ହେବାକୁ ଥିବା ସମ୍ବଳ ଆବଣ୍ଟନ ଉପରେ ପଞ୍ଚଦର୍ଶ ଅର୍ଥ ଆୟୋଗ ପକ୍ଷରୁ ପ୍ରସ୍ତୁତ ୫ ବର୍ଷିଆ ରିପୋର୍ଟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା ନଭେମ୍ବର ୯ ତାରିଖରେ ପ୍ରଦାନ କରାଯିବ। ୨୦୨୦-୨୧ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏଥିରେ ଅର୍ଥ ଆବଣ୍ଟନ ନେଇ ସୁପାରିସ କରାଯାଇଛି। ରିପୋର୍ଟ ଉପରେ ଚୂଡ଼ାନ୍ତ ବିଚାରବିମର୍ଶ ଗତକାଲି ଶେଷ ହୋଇଛି। ଏହାପରେ ରିପୋର୍ଟରେ ଆୟୋଗର ଅଧ୍ୟକ୍ଷ ଏନ୍ କେ ସିଂହ ଏବଂ ଅନ୍ୟ ୪ ଜଣ ସଦସ୍ୟ ଦସ୍ତଖତ କରିଛନ୍ତି। କମିସନ ପକ୍ଷରୁ ରିପୋର୍ଟର ଏକ ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଦାନ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ସମୟରେ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରିବା ସମ୍ଭାବନା ରହିଛି।କେନ୍ଦ୍ର-ରାଜ୍ୟ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଟିକସ ଓ ସମ୍ବଳ ଆବଣ୍ଟନ ପାଇଁ ଆୟୋଗ ସୁପାରିସ କରିଛି। ରାଜ୍ୟଗୁଡ଼ିକର ବିକାଶ, ଆଞ୍ଚଳିକ ଆବଶ୍ୟକତା ଆଦିକୁ ଭିତ୍ତିକରି ଆୟୋଗ ଅର୍ଥ ସୁପାରିସ କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀ ପାଇଁ ଆର୍ଥିକ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରୁଥିବାବେଳେ ଏବଂ ଜିଏସଟି କ୍ଷତିପୂରଣ ରାଶିକୁ ନେଇ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଅର୍ଥ କମିସନର ରିପୋର୍ଟ ଆସିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଉକ୍ତ ରିପୋର୍ଟର ଗୁରୁତ୍ବ ବଢ଼ିଯାଇଛି। ଜନସ୍ବାସ୍ଥ୍ୟ ପାଇଁ ଅର୍ଥ ଆୟୋଗ କରିଥିବା ସୁପାରିସ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। ବିଶେଷକରି କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶ ଉପରେ ଆୟୋଗ ଗୁରୁତ୍ବ ଦେଇପାରନ୍ତି। ଏଥିସହିତ ଆଭ୍ୟନ୍ତରୀଣ ନିରାପତ୍ତା ଓ ପ୍ରତିରକ୍ଷା କ୍ଷେତ୍ର ପାଇଁ କମିସନ ଏକ ନନ୍-ଲାପ୍ସେବଲ ବା ଅସମାପ୍ତ ପାଣ୍ଠି ସୃଷ୍ଟି ପାଇଁ ସୁପାରିସ କରିଥାଇପାରନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ ଦେଶର ୨୯ଟି ରାଜ୍ୟକୁ ୪୨ ପ୍ରତିଶତ ସମ୍ବଳ ଆବଣ୍ଟନ ପାଇଁ ସୁପାରିସ କରିଥିଲେ। କିନ୍ତୁ ପଞ୍ଚଦର୍ଶ ଅର୍ଥ କମିସନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଦାନ କରିଥିବା ପ୍ରଥମ ରିପୋର୍ଟରେ ରାଜ୍ୟଗୁଡ଼ିକର ଟିକସ ଭାଗକୁ ୪୧ ପ୍ରତିଶତକୁ କମାଇ ଦେଇଛନ୍ତି।


