ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବାକୁ ଜନଶକ୍ତି ପାର୍ଟିର ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କୋଭିଡ ମହାମାରୀ ଯୋଗୁ ଧନ ଜୀବନ ବେହାଲ ହୋଇଥିବା ବେଳେ ଓମିକ୍ରନ ଭୂତାଣୁ ସମଗ୍ର ରାଜ୍ୟରେ ପ୍ରବଳ ମାତ୍ରାରେ କାୟା ବିସ୍ତାର କରିବାକୁ ବସିଲାଣି । ଏଭଳି ପରିସ୍ଥିତିରେ ଲୋକଙ୍କ ଜୀବନ ଜୀବିକା ପ୍ରତି ସର୍ବାଗ୍ରେ ଧ୍ୟାନ ଦିଆଯାଇ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସମ୍ବିଧାନ ମତେ ଘୁଞ୍ଚାଇ ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ ଦାସଙ୍କ ନେତୃତ୍ୱରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଜନଶକ୍ତିପାର୍ଟି ପ୍ରଚାର କମିଟି ରାଜ୍ୟ ଅଧ୍ୟକ୍ଷ ସୂର୍ଯ୍ୟମଣି ପଣ୍ଡା, ଜିଲ୍ଲା ସଭାପତି ନରୋତ୍ତମ ଜେନା, ଦଳିତ ସଂପାଦକ ବିବେକ ନାୟକ, ନାରାୟଣ ମଲ୍ଲିକ , ଅମର ବିଶ୍ୱାଳ, ସଂଖ୍ୟାଲଘୁ ରାଜ୍ୟ ସଭାପତି ସେକ ଅମିରୁଦ୍ଦିନ, ବନମାଳି ମଳିକ, କିସୁ ଜେନା, ଅକ୍ଷୟ ସ୍ୱାଇଁ , ଅନିଲ ନାୟକ, ସୁବାଷ ରାଉତ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ଦାଶ କହିଛନ୍ତି ଯେ ଓଡିଶାରେ ସ୍ୱାସ୍ଥ୍ୟସେବା ଭିତିଭୂମି ଆବଶ୍ୟକତା ଅନୁଯାଇ ନଥିବା ବେଳେ ଭୋଟ ହେଲେ ସଂଖ୍ୟାଧିକ ଲୋକ ଏକତ୍ର ହେବେ ଯାହା ଫଳରେ ଅତ୍ୟନ୍ତ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ । ତେଣୁ ସର୍ବଦଳୀୟ ବୈଠକରେ ପଞ୍ଚାୟତ ଏବଂ ପୈାର ନିର୍ବାଚନକୁ ଆଉ କିଛି ଦିନ ପାଇଁ ସ୍ଥଗିତ ରଖାଯିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ନଚେତ୍ ପରିସ୍ଥିତ ପାଇଁ ମୁଖ୍ୟମନ୍ତ୍ରୀ ଦାୟି ରହିବେ ବୋଲି କୁହାଯାଇଛି ।