ପଞ୍ଚାୟତ ନିର୍ବାଚନ ପ୍ରକିୟାରେ ପ୍ରାର୍ଥୀପତ୍ର ଯାଞ୍ଚ
ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପରେ ଶନିବାର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ବ୍ଳକ ଓ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଯାଞ୍ଚ ପ୍ରକ୍ରିୟା ଆୟୋଜିତ ହୋଇଥିଲା । ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତିକୁ ଉଲ୍ଲଂଘନ ସହ ଦାଖଲ ହୋଇଥିବା ପ୍ରାର୍ଥିପତ୍ରଗୁଡ଼ିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିବା ଳକ୍ଷ୍ୟ କରାଯାଇଥିଲା । ତେବେ ନାମାଙ୍କନରେ ଆବଶ୍ୟକ ପ୍ରମାଣପତ୍ର ଦେଇନଥିବା କିମ୍ବା ପ୍ରାର୍ଥିପତ୍ର ଫର୍ମରେ ତ୍ରୁଟି ଥିଲେ ଯାଞ୍ଚ ଅଧିକାରୀମାନେ ଏହାର ସଂଶୋଧନ ପାଇଁ ସୁଯୋଗ ପ୍ରାର୍ଥୀଙ୍କୁ ଦେଉଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ପ୍ରାର୍ଥୀମାନଙ୍କ ଜାତିଗତ ପ୍ରମାଣପତ୍ର, ଭୋଟର ତାଲିକାରେ ନାମ ପ୍ରଭୃତି ବାବଦରେ ଯାଞ୍ଚ କରାଯାଇଥିବା ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସୂଚନା ଦେଇଛନ୍ତି । ତେବେ ମିଥ୍ୟା ସତ୍ୟପାଠ ଦେଇଥିବା ପ୍ରାର୍ଥୀଙ୍କ ବିରୋଧରେ ଆପତ୍ତି ଅଭିଯୋଗ ଗ୍ରହଣ ସହ ଆସନ୍ତାକାଲି ଶୁଣାଣି କରାଯିବ ବୋଲି ସେ କହିଛନ୍ତି । ଅବାଧ ତଥା ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ପ୍ରାର୍ଥୀ ଓ ତାଙ୍କର ସହଯୋଗୀଙ୍କ ସମେତ ପଞ୍ଚାୟତ ସ୍ତରୀୟ ଛାମୁଆ ନେତାମାନେ ଦୀର୍ଘ ସମୟଧରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅପେକ୍ଷା କରିଥିବା ପରିଲକ୍ଷିତ ହୋଇଥିଲା ।