ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ପଦଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କର ଏକ ପଦଯାତ୍ରା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର, ଉପ ସଭାପତି ମଧୁ ପୋଲାକି, କୋଷାଧ୍ୟକ୍ଷ ମନୋଜ ପଣ୍ଡା ଓ ରାଜ୍ୟ ସଂଯୋଜକ ନୃସିଂହ ଚରଣ ମିଶ୍ରଙ୍କ ସହିତ ସମସ୍ତ ସାତ ଗୋଟି ବ୍ଳକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ସରକାରଙ୍କ ନିକଟରେ ଉପସ୍ଥାପିତ ନ୍ଯାଯ୍ଯ ଦାବି ଯଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ସର୍ତ୍ତାବଳୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନିକୁ ପରିବର୍ତ୍ତନ କରାଯିବା ସହ ଦରମାରେ ଥିବା ଅସଙ୍ଗତି ଦୂର କରିବା , ପଞ୍ଚାୟତ ରାଜ ବିଭାଗର କ୍ୟାଡରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ କ୍ୟାଡରଭୁକ୍ତ କରିବା, ଶତ ପ୍ରତିଶତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପଦୋନ୍ନତି ଦେବା ଆଦି ଅନ୍ତର୍ଭୁକ୍ତ । ଉକ୍ତ ଦାବିଗୁଡିକୁ ପୂରଣ କରିବାରେ ସରକାର ବିଫଳ ହେବାରୁ ଆଜି ଠାରୁ ପଞ୍ଚାୟତ ନିବାହୀ ଅଧିକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଥି ସହ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ପଟ୍ଟନାୟକ, କେ ମୂରଲୀ, ରାସ ବିହାରି ପାତ୍ର ପରିଚାଳନା କରିଥିଲେ ।