ପଞ୍ଚାୟତ ବିକାଶ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ମଙ୍ଗଳବାର ଜୟନ୍ତୀ ପାଠାଗାର ଓ ଡି.ଆର.ଡି.ଏ, ଭଦ୍ରକ ଆନୁକୂଲ୍ୟରେ ବନ୍ତ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଲିଙ୍ଗଗତ ସମ୍ବେଦନଶୀଳତା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋମବାର ଉଦ୍ଘାଟନୀ ଦିବସରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ଏ.ପି.ଡି(ଟ୍ରେନିଂ) ରୂପାଲୀ ମହାପାତ୍ର, ବ୍ଲକ ପଞ୍ଚାୟତ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ୩ ଦିନ ବ୍ୟାପୀ ପ୍ରଶିକ୍ଷଣରେ ପ୍ରଶିକ୍ଷକ ଭାବେ ଜୟଶ୍ରୀ ମହାନ୍ତି ଓ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇ ଟିଲୋ, ବନ୍ତ, ରାମଚନ୍ଦ୍ରପୁର, ଆଡିଆ, ବସନ୍ତିଆ ଆଦି ୫ଟି ପଞ୍ଚାୟତରୁ ଆସିଥିବା ୫୦ ଜଣ ସଭ୍ୟସଭ୍ୟାଙ୍କୁ ତାଲିମ ପ୍ରଦାନ କରିଥିଲେ । ସେଥିମଧ୍ୟରେ ପ୍ରତ୍ୟେକ ପଞ୍ଚାୟତରୁ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି.ଆର.ଏସ୍, ୩ ଜଣ ୱାର୍ଡ ସଭ୍ୟ, ଜଣେ ଆଶା, ଜଣେ ଅଙ୍ଗନୱାଡି କର୍ମୀ, ଜଣେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭ୍ୟ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ସବୁ ବର୍ଗର ଲୋକ ମାନଙ୍କ ସହଭାଗିତାରେ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କିପରି ହୋଇ ପାରିବ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଜୟନ୍ତୀ ପାଠାଗାର, ଭଦ୍ରକର ସଭାପତି ସତ୍ୟ ସୁନ୍ଦର ସାହୁ, ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅବଶିଷ୍ଟ ପ୍ରଶିକ୍ଷଣ ପର୍ଯ୍ୟାୟକ୍ରମେ ସମଗ୍ର ବ୍ଲକରେ ଅନୁଷ୍ଠିତ ହେବ ।


