ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆସନ୍ତା ଅପ୍ରେଲ ୫ରୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପ୍ରତି ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କରାଯାଉଥିବା ଅନ୍ୟାୟ ପ୍ରତିବାଦରେ ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଆସନ୍ତା ଅପ୍ରେଲ ମାସ ୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନୋଟିସ୍ ପ୍ରଦାନ କରାଯାଇଛି । ସେହି ନୋଟିସ୍‌ରେ ଉଲ୍ଲେଖ ରହିଛି ଯେ ଜିଲ୍ଲାରେ ନିର୍ମାଣ ଶ୍ରମିକ କ୍ଷେତ୍ରରେ କାମ କରୁଥିବା ମହିଳା ଶ୍ରମିକମାନେ ପଞ୍ଜିକୃତ ହେବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଗତ ୨୦୧୮ ମସିହାରୁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ପଞ୍ଜିକରଣ ଶ୍ରମିକ କାର୍ଡ ପ୍ରଦାନ କରାଯାଉ ନାହିଁ । ବିଗତ ୨୦୧୮ ମସିହାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ଦରଖାସ୍ତ ଗୁଡିକୁ ବିଚାରକୁ ନିଆଯାଉନଥିବା ବେଳେ ୨୦୨୨-୨୩ ମସିହାର ଦିଆଯାଇଥିବା ଆବେଦନ ପତ୍ର ଗୁଡିକୁ କେଉଁ ଆଧାରରେ ଗ୍ରହଣ କରାଯାଇ ପଞ୍ଜିକରଣ କାର୍ଡ ପ୍ରଦାନ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥି ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ପଡିରହିଥିବା ୧୪ଶହ ବିବାହ ସହାୟତା, ୩୧୪ ମୃତ୍ୟୁ କାଳୀନ ସହାୟତା, ପ୍ରସ୍ତୁତି ସହାୟତା, ଶିକ୍ଷା ସହାୟତା, ୧୯୫୦ ବ୍ୟାକ୍‌ଲଗ୍ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଉପରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉନାହିଁ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ “ମୋ ସେବା କେନ୍ଦ୍ର” ର ମାଲିକମାନେ ପହଞ୍ôଚ ଅର୍ଥ ଦେଇ କେବଳ ଯାହା କାମ କରାଇନେଉଛନ୍ତି । ଉପରୋକ୍ତ ସମସ୍ୟା ଗୁଡିକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀ, ପ୍ରଭାଗୀୟ ଶ୍ରମ କମିଶନର, ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ବାରମ୍ବାର ଲିଖିତ ଭାବରେ ଅବଗତ କରାଯାଇଥିଲେ ମଧ୍ୟ ସେହିସବୁ ସମସ୍ୟାର କୌଣସି ସମାଧାନ ହୋଇପାରି ନାହିଁ । ତେଣୁ ଉପରୋକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ଦାବିରେ ଜିଲ୍ଲାର ଶ୍ରମିକ ଟ୍ରେଡ୍ ୟୁନିୟନର ପ୍ରତିନିଧିମାନେ ଆସନ୍ତା ଅପ୍ରେଲ ମାସ ୫ ତାରିଖରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ପ୍ରକାଶ ଚନ୍ଦ୍ର ମହାନ୍ତି, ଅଶୋକ ନାଥ, ତ୍ରିଲୋଚନ ଦାସ, ଶିବ ପ୍ରସାଦ ନାଥ, ଜଗତଜୀବନ ଦାଶ, ରଞ୍ଜନ କୁମାର ଲେଙ୍କା, ବିନୟ କୁମାର ମଲ୍ଲିକ, ପ୍ରଶାନ୍ତ ତ୍ରିପାଠୀ, ମୁକ୍ତାର ଖାଁ ପ୍ରମୁଖ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନୋଟିସ୍ ପ୍ରଦାନ କରିଛନ୍ତି । ଏହି ନୋଟିସ୍‌ର ନକଲ ଶ୍ରମ ମନ୍ତ୍ରୀ, ରାଜ୍ୟ ଶ୍ରମ କମିଶନ, ଶ୍ରମ ବିଭାଗ ସଚିବ, ରାଜ୍ୟ ମାନବିକ ଅଧିକାର କମିଶନ, ଯୁଗ୍ମ ଶ୍ରମ କମିଶନର କଟକ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ