ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ବିରୋଧରେ ବ୍ୟାପକ ଦୁର୍ନିତୀରେ ଲିପ୍ତ ରହିଥିବା ଓ ଦୁର୍ନିତୀ କରିବା ପାଇଁ ପ୍ରୋତ୍ସାହନ ଦେବା ସହିତ କଲେଜ ପରିଚାଳନା କମିଟି ସଭାପତିଙ୍କ ନିର୍ଦେଶକୁ ବେଖାତିର କରି ଦୁର୍ନିତୀଗ୍ରସ୍ତ କଲେଜ କର୍ମଚାରୀଙ୍କୁ ଘଂଟ ଘୋଡେଇବା ଭଳି ସଂଗୀନ ଅଭିଯୋଗମାନ ଜିଲ୍ଲାପାଳଙ୍କ ନିକଟରେ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କ ମିଳିତ ସହଯୋଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ସେହି କଲେଜର ଇତିହାସ ବିଭାଗ ଅଧ୍ୟାପକ ରମେଶ ଦେଠୀ କଲେଜ ମରାମତି ବାବଦକୁ ଅଗ୍ରୀମ ନେଇଥିବା ୩୦ହଜାର ଟଙ୍କାକୁ କୈାଣସି କାର୍ଯ୍ୟ କରାନଯାଇ ଫଲସବିଲ କରାଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଥିଲେ ମଧ୍ୟ କଲେଜ କତ୍ତୃପକ୍ଷ ତାହା ପ୍ରଦାନନକରିବା ଘଟଣା ଦୁର୍ନିତୀ କରାଯାଇଥିବା ସୂଚାଉଛି । ସେହିଭଳି ୨୦୧୭-୧୮ ଆର୍ଥିକ ବର୍ଷରେ ସେହି କଲେଜର ଓଡିଆ ବିଭାଗ ଅଧ୍ୟାପିକା ଚିନ୍ମୟୀ ଜେନା ବୃକ୍ଷ ରୋପଣ ପାଇଁ ୨୦ହଜାର ଟଙ୍କା ଅଗ୍ରୀମ ନେଇଥିଲେ ମଧ୍ୟ କଲେଜ କ୍ୟାମ୍ପସରେ ଗୋଟିଏବି ଗଛ ଲାଗିନଥିବା ଘଟଣା ଦୁର୍ନିତୀର ଆଉ ଏକ ନମୁନା ବୋଲି ଅଭିଯୋଗ ହୋଇଛି । ଏହି ଦୁଇଟି ଘଟଣା ସହିତ ଗତ ୨୦୧୮ ମସିହା ଡିସେମ୍ବର ୨୨ତାରିଖରେ ୫ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା କଲେଜ ପାଣ୍ଠିରୁ ହେରଫେର କରିଥିବା ଅଭିଯୋଗରେ ଛଟେଇ ହୋଇଥିବା କିରାଣୀ ସଞ୍ଜୟ କୁମାର ପଣ୍ଡାଙ୍କୁ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀ କିଭଳି କଲେଜ ପରିଚାଳନା କମିଟି ସଭାପତିଙ୍କ ନିର୍ଦେଶକୁ ଅମାନ୍ୟ କରି କଲେଜରେ ଗତ ଫେବୃୟାରୀମାସ ୧୮ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ଯାହା କଲେଜ ଷ୍ଟାଫ ଉପସ୍ଥାନରୁ ପ୍ରମାଣିତ ହେଉଛି । ତୃତୀୟରେ କଲେଜ ରସିଦ ନମ୍ବର ୨୪୦୧ ଓ ୨୪୦୨ରେ ଯଥାକ୍ରମେ ୭୮୦ଟଙ୍କା ଓ ୯୪୦ଟଙ୍କା ଦୁଇଜଣ ଛାତ୍ରୀଙ୍କ ଫର୍ମ ଫିଲପ ପାଇଁ କଲେଜ ପିଅନ ଏନ.କେ.ସେଠୀଙ୍କ ସ୍ୱାକ୍ଷରରେ କଟାଯାଇଛି ଯାହାକି ଆଇନତଃ ଠିକ ନୁହେଁ । ସଂପୃକ୍ତ ପିଅନଙ୍କ ସ୍ୱାକ୍ଷରକୁ ମଧ୍ୟ ସେହି ରସିଦରେ ଜାଲ କରାଯାଇଥିବା ଅଭିଯୋଗ ହୋଇଛି । କଲେଜ ଅଧ୍ୟକ୍ଷାଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ଜଣେ ଛଟେଇ ହୋଇଥିବା କଲେଜ କିରାଣୀ ଏଭଳି ଜାଲ କାର୍ଯ୍ୟ କରିବାକୁ ସାହସ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏସବୁ ଦୁର୍ନିତୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଅଭିଯୋଗକାରୀ ବାସୁଦେବ ପାତ୍ର, ବିଜୟ ମହାନ୍ତି, ସନ୍ତୋଷ ପଣ୍ଡା, ମନେରାଜ ନାୟକ, ପ୍ରକାଶ ସାହୁ, ମଳୟ ଜେନା, ମହମ୍ମଦ ଆକ୍ରମ, ମାଗୁଣି ସାହୁ ଓ ସୁଧାକର ନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଅଭିଯୋଗକାରୀମାନେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଆଚଂଳିକ ଶିକ୍ଷା ନିର୍ଦ୍ଦେଶକ ଓ କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି ।