ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟାପକଙ୍କ ଦ୍ୱାରା ଦୁର୍ନୀତି ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କ ବେଆଇନ ଓ ମନମୁଖୀ କାର୍ଯ୍ୟ ଏବଂ ବ୍ୟାପକ ଦୁର୍ନୀତି ଓ ହରିଲୁଟରେ ସମ୍ପୃକ୍ତି ରହିଥିବା ଏବଂ ସେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ସେହି ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗର ଅଧ୍ୟାପକ ରମେଶ ଦେଠି ଗତ ୨୦୧୭ମସିହା ଜୁଲାଇମାସ ୨୭ତାରିଖରେ ଚେକ୍ ନଂ ୦୦୨୦୪୫ ରେ ତିରିଶ ହଜାର ଟଙ୍କା ମହାବିଦ୍ୟାଳୟ ଗୃହ ମରାମତି କାର୍ଯ୍ୟ କରିବାକୁ ଅଗ୍ରୀମ ଆକାରରେ ନେଇଥିଲେ । କିନ୍ତୁ ଅଧ୍ୟାପକ ଶ୍ରୀ ଦେଠି କୈାଣସି ମରାମତି କାର୍ଯ୍ୟ କରିନଥିବା ବେଳେ ନକଲି ଭାଉଚର ଦେଇ ତତକାଳୀନ ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ପଣ୍ଡାଙ୍କ ଉପରେ ଅଧ୍ୟକ୍ଷାଙ୍କ ଦ୍ୱାରା ଚାପ ପକାଇ ସେ ନେଇଥିବା ଅଗ୍ରୀମ ଅର୍ଥକୁ ଆଡଯଷ୍ଟ କରିବାକୁ ବାଧ୍ୟ କରିଥିଲେ ମଧ୍ୟ ଶ୍ରୀ ପଣ୍ଡା ସେପରି କରିବାକୁ ରାଜିହୋଇନଥିଲେ । ସରକାରୀ ନିୟମ ଅନୁଯାଇ ଜଣେ ବ୍ୟକ୍ତିଙ୍କ ନାମରେ ଗୋଟିଏ ବାବଦରେ ଅଗ୍ରୀମ ଅର୍ଥ ଥାଇ ସେ ଆଉ ଅଗ୍ରୀମ ନେବା କଥା ନୁହେଁ । କିନ୍ତୁ ଅଧ୍ୟକ୍ଷାକଙ୍କ ନିର୍ଦ୍ଦେଶରେ ବାରମ୍ବାର ଅର୍ଥ ଉଠାଯାଉଥିଲା ଓ ଉକ୍ତ ୩୦,୦୦୦ଟଙ୍କାକୁ ୧ବର୍ଷ ୭ମାସ ପର୍ଯ୍ୟନ୍ତ କାମ କରାଯାଇନଥିବା ବେଳେ ଆକାଉଣ୍ଟାଣ୍ଟ ଶ୍ରୀ ପଣ୍ଡାଙ୍କ ଉପରେ ବାରମ୍ବାର ଚାପ ସୃଷ୍ଟି କରାଯାଇ ନକଲି ଭାଉଚର ଦ୍ୱାରା ଆଡଜଷ୍ଟ କରାଇବା ପାଇଁ କୁହାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ଗତ ୨୦୧୮ ମସିହାରେ ଅଧ୍ୟକ୍ଷା ଏବଂ କିଛି କୁଚକ୍ରୀଗୋଷ୍ଠିଙ୍କ ପ୍ରରୋଚନାରେ ଜମି କିଣା ଅର୍ଥ କାରବର ଦୁର୍ନୀତି ଅଭିଯୋଗରେ ଶ୍ରୀ ପଣ୍ଡାଙ୍କୁ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ବସନ୍ତ କୁମାର ରାଉତ ଛଟେଇ କରିଥିଲେ । ଶ୍ରୀ ପଣ୍ଡା ଛଟେଇ ହେବାପରେ ତରବରିଆ ଭାବରେ ଅଧ୍ୟକ୍ଷା ପଢିହାରୀଙ୍କ ଦ୍ୱାରା ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ଦେଠି ଅଗ୍ରୀମବାବଦ ନେଇଥିବା ୩୦ ହଜାର ଟଙ୍କାକୁ ନକଲି କାଗଜ ପତ୍ର ଦେଇ କନିଷ୍ଠ କିରାଣୀ ତଥା କମ୍ପ୍ୟୁଟର ସହକାରୀ ମଧୁସ୍ମିତା ବସନ୍ତରାୟଙ୍କ ସହାୟତାରେ ଖର୍ଚ୍ଚ ହୋଇଛି ବୋଲି ଦର୍ଶାଇ ଆଡଜଷ୍ଟ କରାଇନେଇଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଆଇନରେ କାମର ଫଟୋ କପି ସହ ସମସ୍ତ କାଗଜ ପତ୍ରର ନକଲ ମଗାଯାଇଥିଲେ ମଧ୍ୟ ସଂପୃକ୍ତ କାଗଜାଦର ନକଲ ପ୍ରଦାନ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି । ଏହି ଅର୍ଥକୁ ଅଧ୍ୟାପକଙ୍କ ସହିତ କଲେଜ ଅଧ୍ୟକ୍ଷା ସମ୍ପୂର୍ଣ୍ଣଭାବେ ଆତ୍ମସାତ କରିଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଶ୍ରୀ ପଣ୍ଡା ଏଭଳି ହରିଲୁଟରେ ସାହାଯ୍ୟ ନକରିବାରୁ ସେମାନେ ଷଡଯନ୍ତ୍ର କରି ଜମି କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ତେଣୁ ଶ୍ରୀ ପଣ୍ଡା ବାଧ୍ୟ ହୋଇ ଅଧ୍ୟକ୍ଷାଙ୍କ ଅଫିସ ଅର୍ଡର ନଂ ୨୪୬/ ୧୨.୧୨.୨୦୧୮ ଅନୁସାରେ ୫ଲକ୍ଷ ଟଙ୍କାର ଏକ ଚେକ୍ ଜମି ମାଲିକ କିଶୋର ଦାସଙ୍କ ନାମରେ କାଟିଥିଲେ କିନ୍ତୁ ଜମି ମାଲିକ କିଶୋର ଦାସଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଥାଇ ମଧ୍ୟ ସେ ଏକ ନୋଟାରୀ ଆଫିଡେଭିଟ କରି ପରେ କିଶୋର ଦାସ ନାମ ପରିବେ ର୍ କିଶୋର ଚନ୍ଦ୍ର ଦାସ ନାମରେ ଚେକ ଇସୁ କରିବା ପାଇଁ ଅଧ୍ୟକ୍ଷା ପଢିହାରୀଙ୍କ ନିର୍ଦେଶ ପରେ ଶ୍ରୀ ପଣ୍ଡା ପୁନଶ୍ଚ ଏକ ଚେକ ଲେଖି ଅଧ୍ୟକ୍ଷାଙ୍କୁ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଏହାର ଦୁଇ ଦିନ ପରେ ଅତିରିକ୍ତ ଜିଲ୍ଲାପାଳ ଜମି କିଣାକୁ କେନ୍ଦ୍ର କରି ସମସ୍ତ ଫାଇଲ ମଗାଇବାରୁ ଅଧ୍ୟକ୍ଷା ଆକାଉଣ୍ଟାଣ୍ଟ ଶ୍ରୀ ପଣ୍ଡାଙ୍କୁ ଗତ ୨୦୧୮ମସିହା ଡିସେମ୍ବର ୨୦ତାରିଖରେ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ଲାଇବ୍ରେରିଆନ ରତିରଞ୍ଜନ ନାୟକଙ୍କ ସହିତ ଯାଇ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜମି କିଣା ସମ୍ପର୍କୀତ ତଥ୍ୟ ଦେବାକୁ ପତ୍ର ସଂଖ୍ୟା ୨୪୯/୨୦୧୮ ରେ ନିର୍ଦେଶ ଦେଇଥିଲେ । ସେହି ଅନୁଯାଇ ଶ୍ରୀ ପଣ୍ଡା ଏବଂ ତାଙ୍କ ସହକର୍ମୀ ଶ୍ରୀ ନାୟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ ମଧ୍ୟ ସେ ଅଫିସରେ ଅନୁପସ୍ଥିତ ଥିବାରୁ ସେମାନେ ଫେରି ଆସିଥିଲେ । କିନ୍ତୁ ଏହାର ଦୁଇ ଦିନ ପରେ ଅର୍ଥାତ ୨୦୧୮ ମସିହା ଡିସେମ୍ବରମାସ ୨୨ତାରିଖରେ ଶ୍ରୀ ପଣ୍ଡା ପୁନଃଶ୍ଚ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଂପୃକ୍ତ ଫାଇଲ ଦେବାକୁ ଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିନା ଦୋଷରେ ଓ ବିନା ତଦନ୍ତରେ ଶ୍ରୀ ପଣ୍ଡାଙ୍କୁ ଛଟେଇ କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । କିନ୍ତୁ ଯେଉଁ ଅଧ୍ୟାପକ ଶ୍ରୀ ଦେଠୀଙ୍କ କାର୍ଯ୍ୟକୁ ନେଇ ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି ତାଙ୍କୁ ଏବଂ ଏହିସବୁ ଘଟଣାର ମୁଖ୍ୟ କାର୍ପଟଦାର ଅଧ୍ୟକ୍ଷା ପଢିହାରୀ ଯେଉଁ ମାନେ କି ପ୍ରକୃତ ଦୋଷୀ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ମହିଳା ମହାବିଦ୍ୟାଳୟର ସମ୍ପୃକ୍ତ ଅଧ୍ୟକ୍ଷା ଓ ଅଧ୍ୟାପକ କଲେଜର ଉଚ୍ଚକତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରି ଯାବତୀୟ ଦୁର୍ନୀତି କରିଚାଲିଥିବା ବେଳେ ସେ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେବି ତାହାର ତଦନ୍ତ କରାନଯିବା ବେଳେ ଶ୍ରୀ ପଣ୍ଡାଙ୍କ ଭଳି ଜଣେ ଗରିବ କର୍ମଚାରୀର ଚାକିରୀ ଯିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତି ପଢିହାରୀ ଓ ଅଧ୍ୟାପକ ଶ୍ରୀ ଦେଠୀଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଶ୍ରୀ ପଣ୍ଡା ଦାବିକରିଛନ୍ତି । ଏଥିସହିତ ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ,ଉଚ୍ଚଶିକ୍ଷା ଶଚିବ ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ଶ୍ରୀ ପଣ୍ଡା ଅଭିଯୋଗ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।