ପଣସ ଓ ମହୁଲ ଫୁଲରୁ ଖାଦ୍ୟ ପ୍ରସ୍ତୁତି ନେଇ କର୍ମଶାଳା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ପ୍ରଚୁର ପରିମାଣରେ ମହୁଲ ଫୁଲ ସହ ପଣସ ଉତ୍ପାଦିତ ହୋଇଥାଏ । କିନ୍ତୁ ସଂରକ୍ଷଣ ବ୍ୟବସ୍ଥା ଓ ପ୍ରକ୍ରିୟା କରଣର ଅଭାବରୁ ଏହାର ପ୍ରକୃତ ଲାଭ ଲୋକେ ପାଇପାରିନଥାନ୍ତି । ତେଣୁ ଏହାର କିପରି ବ୍ୟବହାର କରାଯାଇ ପାରିବ ସେ ନେଇ ଏକ କର୍ମଶାଳାର ଅନୁଷ୍ଠିତ ହୋଇଯାଇଛି । ମହୁଲ ଫୁଲ ତଥା ପଣସରୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଉପରେ ଏହି କର୍ମଶାଳାରେ ଯୋଗ ଦେଇଥିବା ମହିଳା ମାନଙ୍କୁ ରୋଜଗାରର ବିଭିନ୍ନ ମାଧ୍ୟମ ଉପରେ ପରାମର୍ଶ ଦିଆଯାଇଥିଲା ।ଫୁଲବାଣୀ ବ୍ଳକ ଅନ୍ତର୍ଗତ ଜାମୁଝରୀଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ । ମହୁଲ ଫୁଲରୁ କେକ, ଲଡୁ ତଥା ପଣସ ଚିପ୍‌ସ ପ୍ରସ୍ତୁତି ପ୍ରଣାଳୀ ସଂପର୍କରେ ମହିଳା ମାନଙ୍କୁ ତାଲିମଦାତା ମାନେ ପ୍ରଶିକ୍ଷଣ ଦେଇଥିଲେ । ଏଥିସହ ପ୍ରସ୍ତୁତ ସାମଗ୍ରୀ କୁ ଫୁଲବାଣୀରେ ଖୋଲା ଯାଇଥିବା କନ୍ଧମାଳ ଫ୍ରେସ ଆଉଟଲେଟରେ ବିକ୍ରି କରିବା ବ୍ୟବସ୍ଥା କରାଯିବ ବୋଲି ଫୁଲବାଣୀ ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ବିଡିଓ ଶାନ୍ତନୁ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜମାଝରି ସରପଂଚ ଲଳିତା କହଁର , ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତି ଏ.ସାହୁ, ଫୁଲବାଣୀ ଜୀବିକା ମିଶନର କର୍ମଚାରୀ ଜେ. ମାୟା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ତାଲିମଦାତା ଭାବେ ମନମୋହନ ବାରିକ ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମକୁ ଓ.ଏଲ୍‌.ଏମ୍‌ର ବିପିଏମ୍‌ ସବିତା ସୁବୁଦ୍ଧି ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ