ପତାକା ଉତ୍ତୋଳନ କଲେ ଷଷ୍ଠ ଶ୍ରେଣୀର ଛାତ୍ରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏଠି ଛାତ୍ରଛାତ୍ରୀ ହିଁ କେବଳ କରନ୍ତି ପତାକା ଉତ୍ତୋଳନ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଗ୍ରାମଟି ସୃଷ୍ଟି ହେବାର ୪୦ ବର୍ଷ ପରେ ଗ୍ରାମବାସୀ ମାନଙ୍କୁ ୨୦୧୬ ମସିହାରୁ ଏକତ୍ରିତ କରି ସାମାଜିକ କର୍ମୀ ସୁଶାନ୍ତ ସାହୁ ଜାତୀୟତାର ମହାନ୍ ଚିନ୍ତଧାରାକୁ ଆପଣାଇ ପ୍ରଥମେ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ନା ଏଠି କୌଣସି ନେତା, ମନ୍ତ୍ରୀ ଓ ସେଲିବ୍ରେଟିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ନଥାଏ । ଦେଶ ପ୍ରେମରେ ଉଦ୍ବୁଦ୍ଧ ହୋଇଥିବା ଏହି ଅଗମ୍ୟ ଗ୍ରାମଟି ହେଉଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ । ଚଳିତବର୍ଷ ୭୪ତମ ଗଣତନ୍ତ୍ରର ଏହି ମହାପର୍ବକୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପଲ୍ଲୀରେ ପାଳିତ ହୋଇଯାଇଛି । ପୂର୍ବବର୍ଷ ଭଳି ଚଳିତବର୍ଷ ଜଣେ ଛାତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀ, ଗ୍ରାମବାସୀ, ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ଗହଣରେ ଏହି ରାଷ୍ଟ୍ରୀୟ ପର୍ବର ମହତ୍ତ୍ୱକୁ ନେଇ ଚର୍ଚ୍ଚା କରାଯାଇଥିଲା । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଆଦିବାସୀ ଝିଅ ନାରୀ ଗାଗରାଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ବିଧାନ ପ୍ରଣେତା ଡଃ ବି.ଆର. ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ । ନାରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି ଓ ଗର୍ବ ଅନୁଭବ କରିପାରୁଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା, ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀ ଓ ବିଦ୍ୟାର୍ଥୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ ।


