ପତ୍ନୀଙ୍କ ପାଇଁ ନିର୍ବାଚନ ଲଢ଼ିଲେନି ରଘୁରାମ୍ ରାଜନ୍

ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଏବେ ଜୋରସୋରରେ ଚାଲିଥିବା ବେଳେ ବିଭିନ୍ନ ବର୍ଗର ଲୋକ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ମଧ୍ୟ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ପୂର୍ବରୁ ଆଲୋଚନା ହେଉଥିଲା । ଏପରିକି କଂଗ୍ରେସ ଟିକଟରେ ସେ କୌଣସି ଏକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ରଘୁରାମ ରାଜନ୍ ଏହି ପ୍ର୍ରକିୟାରୁ ନିଜକୁ ଦୂରେଇ ରଖିଲେ । ତେବେ ପୂର୍ବରୁ ରାଜନୀତିକୁ ଆସିବାକୁ ଆଗ୍ରହ ପ୍ରକାଶ କରିଥିବା ରଘୁରାମ ରାଜନ୍ କାହିଁକି ନିଜକୁ ନିର୍ବାଚନରୁ ଦୂରେଇ ରଖିଲେ ସେ ସମ୍ପର୍କରେ ସେ ନିଜେ କହିଛନ୍ତି । ରଘୁରାମ୍ ରାଜନ୍ ନିଜ ପତ୍ନୀଙ୍କ ପାଇଁ ଚଳିତ ଲୋକସଭା ନିର୍ବାଚନ ଲଢ଼ିନଥିବା କହିଛନ୍ତି । ତାଙ୍କ କହିବାନୁସାରେ ରାଜନୀତିରେ ପ୍ରବେଶ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ତାଙ୍କ ପତ୍ନୀ ତାଙ୍କୁ ରାଜନୀତିକୁ ଆସିବାକୁ ବାରଣ କରିଥିଲେ । ଏମିତିକି ସେ ରାଜନୀତିକୁ ଆସିଲେ ପତ୍ନୀ ତାଙ୍କୁ ଛାଡ଼ି ଚାଲିଯିବେ ବୋଲି କହିଥିଲେ । ପାରିବାରିକ ଜୀବନକୁ ଖରାପ କରି ରାଜନୀତିକୁ କଦାପି ପ୍ରାଥମିକତା ଦେଇପାରିବେ ନାହିଁ ବୋଲି ଚିନ୍ତା କରି ରଘୁରାମ ରାଜନ୍ ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ରଘୁରାମ ରାଜନ୍ ସମ୍ପ୍ରତି ଏବେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ ସ୍କୁଲ୍ ଅଫ ବିଜ୍ନେସ୍ରେ ଅଧ୍ୟାପକ ଅଛନ୍ତି ।
ସୂଚନାଥାଉ କି, ଗତ ରାଜ୍ୟସଭା ନିର୍ବାଚନ ସମୟରେ ରଘୁରାମ ରାଜନଙ୍କୁ ସଂସଦକୁ ପଠାଇବାକୁ ବିରୋଧୀ ଦଳ ଭାବେ କଂଗ୍ରେସ ଚେଷ୍ଟା କରିଥିଲା । ଏପରି ହୋଇଥିଲେ ମୋଦି ସରକାରଙ୍କ ଅର୍ଥନୀତିକୁ ଉଚିତ୍ ଜବାବ ଦେବା ପାଇଁ ରଘୁରାମ୍ ପ୍ରମୁଖ ଅସ୍ତ୍ର ସାଜିଥାନ୍ତେ ବୋଲି କଂଗ୍ରେସ ଚିନ୍ତା କରିଥିଲା । ହେଲେ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥିଲା । ସେହିପରି ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ରଘୁରାମ ରାଜନଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ନେବାକୁ ଚେଷ୍ଟା କରିଥିଲା । ଏପରିକି କଂଗ୍ରେସର କିଛି ନେତା ଘୋଷଣା କରିଦେଇଥିଲେ ଯେ, ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢ଼େ ତେବେ ରଘୁରାମ ରାଜନଙ୍କୁ ଅର୍ଥମନ୍ତ୍ରୀ କରାଯିବ । ମାତ୍ର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ରଘୁରାମ ରାଜନ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ