ଜୁଲାଇରେ ଭାରତର ଚନ୍ଦ୍ର ଅଭିଯାନ
ନୂଆଦିଲ୍ଲୀ(ଏଜେନ୍ସି): ଇସ୍ରାଏଲର ଚନ୍ଦ୍ରଯାନ ବିଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବେ ପୂର୍ବାପେକ୍ଷା ଟିକେ ଅଧିକ ସତର୍କ ହୋଇଯାଇଥିବା ପରି ଅନୁଭବ ହେଉଛି । ଭାରତୀୟ ଚନ୍ଦ୍ରଯାନ ଯେପରି ପ୍ରଥମ ପ୍ରୟାସରେ ହିଁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାରେ ସଫଳ ହେବ ସେନେଇ ଇସ୍ରୋ ବୈଜ୍ଞାନିକମାନେ ଲାଗିପଡିଛନ୍ତି । ସେଥିଲାଗି ଇସ୍ରୋ ଏବେ ତରବରିଆ ଭାବେ କୌଣସି କାର୍ଯ୍ୟକ୍ରମ କରି ରିସ୍କ ନେବାକୁ ଆଦୌ ଚାହୁଁନାହିଁ । ସୁତରାଂ ଆସନ୍ତା ମେ’ ମାସରେ ହେବାକୁ ଥିବା ଚନ୍ଦ୍ରଯାନର ଉତ୍କ୍ଷେପଣକୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପ୍ରୋଜେକ୍ଟ ଚନ୍ଦ୍ରାୟନର ସମସ୍ତ ଦିଗ ପ୍ରତି ବୈଜ୍ଞାନିକମାନେ ଅଧିକ ପରୀକ୍ଷାନୀରିକ୍ଷା କରିବା ଆରମ୍ଭ କରିଦେଇଛନ୍ତି । ମିଶନ୍ ଚନ୍ଦ୍ରାୟନ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଚନ୍ଦ୍ରଯାନ ଉତ୍କ୍ଷେପଣ ପ୍ରକ୍ରିୟାକୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ କହିଛନ୍ତି । ପ୍ରକାଶ ଯେ, ଭାରତର ଚନ୍ଦ୍ରଯାନ ପୂର୍ବରୁ ଗତ ଜାନୁୟାରୀ ମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ପରେ ତାହାକୁ ଏପ୍ରିଲ, ତା ପରେ ମେ ଓ ଏବେ ଜୁଲାଇ ମାସକୁ ଘୁଞ୍ଚାଇ ଦିଆଯାଇଛି । ତେବେ ନିଜ ଅଭିଯାନରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ୱର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷ୍ ଓ ଚୀନ୍ ଏହି ସଫଳତା ହାସଲ କରିସାରିଛନ୍ତି । କିନ୍ତୁ ଇସ୍ରାଏଲର ଅଭିଯାନ ସଫଳ ହୋଇଥିଲେ ସେ ବିଶ୍ୱର ୪ର୍ଥ ଦେଶ ହୋଇଥାନ୍ତା । ପ୍ରକାଶ ଯେ, ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟ୍କୁ ଗତ ଫେବ୍ରୁଅ ।ରୀ ମାସରେ ଲଞ୍ଚ୍ କରିଥିଲା କିନ୍ତୁ ଗତ ୧୨ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଥିଲା ।


