ପଥ ବିକ୍ରେତା ସଂଘ ପକ୍ଷରୁ ଉଚ୍ଛେଦ ବିରୋଧୀ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ଚାଲିଥିବା ରାସ୍ତାପାଶ୍ୱର୍ ଉଚ୍ଛେଦକୁ ବିରୋଧ କରି ଉଠା ଦୋକାନୀ, ପଥ ବିକ୍ରେତା ଓ ହକରମାନଙ୍କ ପକ୍ଷରୁ ବୁଧବାର ଉଛେଦ ବିରୋଧୀ ଦିବସ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ସମ୍ମୁଖରେ ପାଳିତ ହୋଇଯାଇଛି । ନ୍ୟାସନାଲ ହକର ଫେଡେରେସନ ସହ ଅନୁବନ୍ଧିତ ଓଡ଼ିଶା ପଥ ବିକ୍ରେତା ସଂଘ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଉନ ଭେଣ୍ଡିଂ କମିଟି(ଟିଭିସି) ସଭ୍ୟ ଟିପିରି ସିଂଙ୍କ ଅଧ୍ୟକ୍ଷତା କରିଥିଲେ । ନ୍ୟାସନାଲ ହକର ଫେଡ଼େରେସନ ଜାତୀୟ ଅତିରିକ୍ତ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପଥ ବିକ୍ରେତା ସଂଘ ରାଜ୍ୟ ସଭାପତି ଜୟନ୍ତ ଦାସ ଏଥିରେ ଯୋଗଦେଇ ଜାତୀୟ ପଥ ବିକ୍ରେତା ଆଇନ କାର୍ଯ୍ୟକାରୀରେ ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକକୁ ଅବମାନନା ସହ ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷ ରାସ୍ତାପାଶ୍ୱର୍ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଥିବା ବେଳେ ସେମାନଙ୍କ ଥଇଥାନ ବାବଦରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଦାସ କହିଥିଲେ । ଏନେଇ ପଥ ବକ୍ରେତା ଓ ଉଠା ଦୋକାନୀମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଚଳିତ ନଭେମ୍ୱର ୩୦ ତାରିଖରେ ସହରରେ ଉଠା ଦୋକାନ ପାଳନ ସହ ସକାଳ ୯ଟାରେ ଗାନ୍ଧୀସ୍ମୃତି ଭବନଠାରୁ ଶୋଭାଯାତ୍ରାରେ ବାହାରି କର୍ତ୍ତୃପକ୍ଷଙ୍କଠାରେ ଦାବିପତ୍ର ଉପସ୍ଥାପନ କରାଯିବ ବୋଲି ସଙ୍ଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ପତ ବିକ୍ରେତା ସଙ୍ଘ ଉପ-ସଭାପତି ଆବିଦ ଖାନ, ସମ୍ପାଦକ ମୋହିନୀ ମୋହନ ପରିଡ଼ା, ସହ-ସମ୍ପାଦକ ଅଭିରାମ ବାରିକ, ସହଦେବ ମହାନ୍ତି, କୁଳମଣି ସାହୁ, ସେଖ ଇସ୍ଲାମ, ରାମ ଚନ୍ଦ୍ର ପରଡ଼ା, ସୁଧାଂଶୁ ଶାହା, ରାମ ଚନ୍ଦ୍ର ପୃଷ୍ଟି, ମନୋଜ ରାଠୋର, ଜଗବନ୍ଧୁ ସିଂହ, ନିତ୍ୟ ଚରଣ ସାହୁ, ଦୀନବନ୍ଧୁ ସାହୁ, ପବନ କୁମାର ପଟ୍ଟନାୟକ, କମଳା ନାୟକ, ଶଶୀଧର ନାଥ, ଗୋକୁଳାନନ୍ଦ ଜେନା, ସେଖ୍ ମୋତି, ଗୌରାଙ୍ଗ ଜେନା ପ୍ରଶାନ୍ତ ସେଠୀ, ସେଖ୍ ମୁକ୍ତାର ପ୍ରମୁଖ ଏଥିରେ ଯୋଗଦେଇ ପ୍ରଶାସନର ଜନ ବିରୋଧୀ କାର୍ଯ୍ୟକୁ ଓ ଦୌରାତ୍ମ୍ୟ ଅସହ୍ୟ ହୋଇଥିବା କହିଥିଲେ । ରାସ୍ତାପାଶ୍ୱର୍ ଉଠା ଦୋକାନୀଙ୍କ ଉପରେ ଦେଶର ୮୦ ପ୍ରତିଶତ ଲୋକେ ନିର୍ଭରଶୀଳ ଥିବା ବେଳେ ଜିଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କର ଜୀବିକା ମାରଣ ନୀତିକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ ମତ ଦେଇଥିଲେ । ଏନେଇ ଆସନ୍ତା ୩୦ ତାରିଖରେ ଦିନ ତମାମ ସହରର ଓଠାଦୋକାନ ବନ୍ଦ ରଖିବା ସହ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ