ଦୁଇଦିନିଆ ‘ପ୍ରକଳ୍ପ ରକ୍ଷକ’ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମଗ୍ର ରାଜ୍ୟରେ ସଡ଼କ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଆପାତକାଳୀନ ଚିକିତ୍ସା ସେବା ପ୍ରଦାନ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ‘ପ୍ରୋଜେକ୍ଟ ରକ୍ଷକ’ ଚାଲିଥିବା ବେଳେ ବାଲେଶ୍ୱରରେ ବି ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଉଦଘାଟିତ ହୋଇଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହିତ ‘ପ୍ରକଳ୍ପ ରକ୍ଷକ’ ଭଳି ପ୍ରଶିକ୍ଷଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଦୁର୍ଘଟଣା ଘଟିବାର ଘଣ୍ଟାଏ ମଧ୍ୟରେ ଆହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ହସପିଟାଲରେ ପହଞ୍ଚାଇବା ଭଳି ମହତ କାର୍ଯ୍ୟ ଆଉ କିଛି ନାହିଁ ବୋଲି ସେ କହିଥିଲେ । ସମାଜସେବା ପ୍ରତି ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କୁ ଏହିଭଳି ସେବାକାର୍ଯ୍ୟ ଏକ ସୁଯୋଗ ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ମତପ୍ରକାଶ କରିଥିଲେ । ରାଜ୍ୟ ପରିବହନ ପ୍ରାଧିକରଣର ସମ୍ପାଦକ ବ୍ରଜବନ୍ଧୁ ଭୋଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରୋଜେକ୍ଟ ରକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ନଭେମ୍ବର ୧୦ ତାରିଖରେ ଭୁବନେଶ୍ୱରର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଅଭିଯାନରେ ୩୦ଟି ଜିଲାର ମୋଟ ୩୦ହଜାର ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ପ୍ରଦାନର ଲକ୍ଷ୍ୟ ରହିଥିବା ସେ କହିଥିଲେ । ପ୍ରଶିକ୍ଷଣ ନେଉଥିବା ବ୍ୟକ୍ତି ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର ସହ ହସପିଟାଲ ପହଞ୍ଚାଇ ସେମାନଙ୍କ ଜୀବନ ରକ୍ଷା କରିପାରିବେ । ଏଣୁ ସେମାନଙ୍କୁ ଏହି ଅଭିଯାନରେ ‘ରକ୍ଷକ’ର ମାନ୍ୟତା ଦିଆଯାଇଛି ବୋଲି ଶ୍ରୀ ଭୋଲ କହିଥିଲେ । ତେବେ ପ୍ରଥମ ଘାଣ୍ଟାଏ ମଧ୍ୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ହସପିଟାଲରେ ପହଞ୍ଚାଉଥିବା ଉତ୍ତମ ବ୍ୟକ୍ତିତ୍ୱ ବା ‘ଗୁଡ ସମରିଟିଆନ’ଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଏଥିରେ ପୌରୋହିତ୍ୟ କରିବା ସହ ବାଲେଶ୍ୱରରେ ଦୁଇଦିନିଆ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ନୂଆଦିଲୀର ଅଟୋମେଟିଭ ସ୍କିଲ ଡେଭେଲୋପମେଣ୍ଟ କାଉନସିଲ, ରେଡକ୍ରସ ସୋସାଇଟି, ଗ୍ରୀନ ଅର୍ବାନ ମୋବିଲିଟି ପାର୍ଟନରସିପ ଓ ଜର୍ମାନ କର୍ପୋରେସନ ପ୍ରଭୃତି ସଂଗଠନଙ୍କ ମିଳିତ ସହଯୋଗରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିବା ବେଳେ ଦୁଇ ଜଣ ମାଷ୍ଟର ଟ୍ରେନର ଏହି କର୍ମଶାଳାରେ ଉତ୍ତର ଓଡିଶାର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ଆରକ୍ଷୀ ଅଧୀକ୍ଷକ ଆଲୋକ କୁମାର ରାୟ, ମାଷ୍ଟର ଟ୍ରେନର ଆଦିତ୍ୟ ଚୌଧୁରୀ ଓ ଡ. ବିକ୍ରମ କେଶରୀ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଇଞ୍ଜିନିୟରିଂ, ଏନଫୋର୍ସମେଣ୍ଟ, ଶିକ୍ଷା ଓ ଜରୁରୀକାଳୀନ ସ୍ଥିତି ପ୍ରଭୃତି ବିଷୟ ସମ୍ପର୍କରେ ପ୍ରଶିକ୍ଷକମାନଙ୍କୁ ତାଲିମ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ରେଡକ୍ରସର ୪୮ଜଣ ଓ ସାଧାରଣ ବର୍ଗର ୬ଜଣ ପ୍ରଶିକ୍ଷକ ଯୋଗ ଦେଇଛନ୍ତି । ଜିଲା ସଡ଼କ ସୁରକ୍ଷା ଅଧିକାରୀ ନେତ୍ରାନନ୍ଦ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ