ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି : ଶିଶୁ ଓ ମାତୃ ଚିକିତ୍ସା ୟୁନିଟ୍‌ର କାର୍ଯ୍ୟ ଶେଷ ହେଉନାହିଁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାରେ ନବଜାତ ଶିଶୁ ଓ ପ୍ରସୂତିମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଯେଉଁ ଚିକିତ୍ସା ୟୁନିଟ୍ ଶ୍ୟାମଗୁଡିଆ ରେ ନିର୍ମାଣ ଚାଲିଛି ତାହା ଶେଷ ହେଉନି । ଏହା ପଦ୍ମ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଯିବା ଭଳି ସମୟ ବଢାଇ ଚାଲିଛି । ୧୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହାର ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ୨ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ଅବଧି ରହିଥିଲା । ଅର୍ଥାତ ୨୦୨୦ସୁଦ୍ଧା ଶେଷ ହେବ ବୋଲି ଦିନ ଧ୍ୟାର୍ଯ୍ୟ କରାଯାଇଥିଲା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିଲା ନାହିଁ । ୨୦୨୨ ମସିହା ମଇମାସ ଶେଷ ହେବାକୁ ବସିଲାଣି । କିନ୍ତୁ କାମ ସରୁନାହିଁ । ଅଟାଳିକାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ହୋଇ ନାହିଁ । ଠିକ ସେହିପରି ଅନେକ ସ୍ଥାନରେ ଟାଇଲ ପଡିନାହିଁ । ଏପରିକି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୈଦୁତିକ ବ୍ୟବସ୍ଥା ସଠିକ ଭାବେ ହୋଇ ନାହିଁ । ପ୍ରବେଶ ପଥକୁ ପଲସ୍ତରା ମଧ୍ୟ କରାଯାଇ ନାହିଁ । କିନ୍ତୁ ତରବରିଆ ଭାବେ ୨୦୨୧ ଡିସେମ୍ବର ୧୫ ତାରିଖରେ ଏହାକୁ ଉଦ୍‌ଘାଟନ କରି ଦିଆଗଲା । କିନ୍ତୁ ଏବେ ଯେତିକି କାମ ବାକି ରହିଛି ତାହା ଆହୁରି ୬ ମାସରୁ ଅଧିକ ସମୟ ଲାଗିବ । ଠିକ ସେହିପରି ଏହା ମଧ୍ୟରେ ଡାକ୍ତରଖାନା ଉପକରଣ ରହିବା ପାଇଁ ସେପରି କୌଣସି ବ୍ୟବସ୍ଥା ହୋଇ ନାହିଁ । ତେଣୁ ଏଥିପାଇଁ ଆହୁରି କେତେ ମାସ ଲାଗିବ ତାହା କେବଳ ସମୟ ହିଁ କହିବ ବୋଲି କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । କେବଳ ସେତିକି ନୁହେଁ ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସୁରକ୍ଷାକୁ ଠିକା ସଂସ୍ଥା ଠିକ ଭାବେ ତଦାରଖ କରୁ ନ ଥିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି । ଅଟାଳିକାର ପଲସ୍ତରା କରୁଥିବା ବେଳେ ୫ ମହଲା ଉପରୁ ଖସି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଶ୍ରମିକଙ୍କ ପରିବାରକୁ ସେପରି କିଛି ଆଖି ଦୃଶିଆ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ । ଏହି ଅଟାଳିକାରେ ଯେଉଁ ସବୁ କାର୍ଯ୍ୟ ଚାଲିଛି ତାହା ଅତ୍ୟନ୍ତ ନିମ୍ନମାନର ବୋଲି ଆଇନ୍‌ଜୀବୀ ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏହି ଅଟାଳିକା ନିର୍ମାଣରେ ନିମ୍ନମାନର ଇଟା, ସିମେଣ୍ଟ, ରଡ, ଗୋଡି ପ୍ରଭୃତିି ବ୍ୟବହାର କରାଯାଉଛି । ଠିକ ସେହିପରି ପାଣି ପାଇପ ସାମଗ୍ରୀ, ୱୟାରିଂରେ ବ୍ୟବହୃତ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନିମ୍ନମାନର ଲଗା ଯାଇଛି । ତେଣୁ ଏହି ଅଟାଳିକାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଆଇନ୍‌ଜୀବୀ ଶ୍ରୀ ମହାପାତ୍ର ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ ଠିକା ସଂସ୍ଥା କାର୍ଯ୍ୟକୁ କଚ୍ଛପ ଗତିରେ କରୁଥିବା ହୃଦୟଙ୍ଗମ କରି ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଏହାର ତଦାରଖ କରିବା ପାଇଁ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ । ୬ ମାସ ମଧ୍ୟରେ କାମ ଶେଷ କରିବା ପାଇଁ ଠିକା ସଂସ୍ଥାକୁ ତାଗିଦ କରିଥିଲେ । କିନ୍ତୁ ଠିକା ସଂସ୍ଥା ଏହି ନିର୍ଦେଶକୁ ପାଣିର ଗାର ଭଳି ମନେ କଲା । ଫଳରେ ପୂର୍ବବତ କଚ୍ଛପ ଗତିରେ କାର୍ଯ୍ୟ ଚଳାଇ ରଖିଲା । ଏହାପରେ ୫ଟି ସଚିବଙ୍କ ନିର୍ଦେଶକ୍ରମେ ପୂର୍ତ୍ତ ବିଭାଗ ସଚିବ କ୍ରିସନ କୁମାର କେନ୍ଦ୍ରାପଡ଼ା ଗସ୍ତରେ ଆସିଲେ । ସେ ମଧ୍ୟ ହୃଦୟଙ୍ଗମ କଲେ ଯେ କାମ ଅତ୍ୟନ୍ତ ନିମ୍ନମାନର ହେଉଛି । ଏହାସହ କଚ୍ଛପ ଗତିରେ କାମ ହେଉଛି । ତେଣୁ ସେ ଠିକା ସଂସ୍ଥାକୁ ଧମକ ଦେଇ ଯାଇଥିଲେ ଯେ କାର୍ଯ୍ୟ ଠିକ ସମୟରେ ଶେଷ ନ କଲେ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ । ପୂର୍ତ୍ତ ସଚିବକଙ୍କ ଏହି ତାଗିଦକୁ ମଧ୍ୟ ଠିକା ସଂସ୍ଥା ଖାତିର କରି ନ ଥିଲା । ତେଣୁ ଅଦ୍ୟାବଧି କାମ ଚାଲୁଛି କିନ୍ତୁ ସରିବାର ନାଁ ଧରୁନାହିଁ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରୁ ଜଣାପଡିଛି ଯେ ଠିକା ସଂସ୍ଥାର କୌଣସି ଅଧିକାରୀ ଏଠାରେ ରହୁ ନାହାଁନ୍ତି । ସଂସ୍ଥା ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ଲୋକଙ୍କୁ ସବ୍ ଲିଜ ଦେଇ ଦେଇଛି । ତେଣୁ ସେମାନେ ମନମୂଖୀ ଭାବେ କାର୍ଯ୍ୟ କରୁଛନ୍ତି । ଏତେବଡ଼ ଅଟାଳିକା ପରିସରରେ ମାତ୍ର ଦୁଇ ଜଣ ସୁରକ୍ଷା କର୍ମୀ ଜଗି ରହିଛନ୍ତି । କିନ୍ତୁ ଠିକା ସଂସ୍ଥାର କେହି କର୍ମଚାରୀ ଏଠାରେ ରହୁ ନ ଥିବା ସରଜମିନ ତଦନ୍ତ ବେଳେ ଜଣାପଡିଛି । ଯାହା ଫଳରେ କାର୍ଯ୍ୟ ଶେଷ ହୋଇ ପାରୁନାହିଁ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ