ପଦ୍ମ ଧରିଲେ ସାଗରାମ ମୁର୍ମୁ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ) ରାଜନୀତିରେ ଆଜି ଯେ ଶତ୍ରୁ ଓ ଅଛୁଆଁ କାଲି ସେ ମିତ୍ର ।ଘଡିକେ ଘୋଡା ଛୁଟୁଛି ରାଜନୀତିରେ । ନିଜକୁ ସୁହାଇଲା ଭଳି ରାଜନୀତିର ଯୁଗ ଚାଲିଛି । କୌଣସି ଦଳର ଆଜି ନୀତି ଅନୀତି ହେଉଛି ଓ ଅନୀତି ନୀତି ହେଉଛି ।ସାଧାରଣ ବେନଫିକର ଜନତା ନୀରବ ଦ୍ରଷ୍ଟା । ମୟୂରଭଂଜ ଜିଲ୍ଲାର ପଛୁଆ ଓ ସିମାନ୍ତ ଜାମଦା ବ୍ଲକର ଅଧ୍ୟକ୍ଷ ପଦ ବିଜେପି ଦଖଲରେ ।କିଛି ମାସ ତଳେ ବଡଦୁନ୍ଦୁର ସମିତି ସଭ୍ୟ ବିଜେପି ତରଫରୁ ଉପାଧ୍ୟକ୍ଷ ପଦ ଅଳଂକୃତ କରିଥିଲେ ।ପରେ ସେ ତତକାଳିନ ମନ୍ତ୍ରୀ ତଥା ମୟୂରଭଂଜ ବିଜେଡି ପ୍ରଭାରୀ ଅରୁଣ ସାହୁଙ୍କ ସମ୍ମୁଖରେ ବିଜେଡିରେ ସାମିଲ ହୋଇଥିଲେ ।ପରେ ଦେହ ଅସୁସ୍ଥତା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା ।ପରେ ଜାମୁଦା ବ୍ଲକରେ ଉପାଧ୍ୟକ୍ଷ ପଦ ନିର୍ବାଚନ ହୋଇଥିଲା ସେଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ସାଗରାମ ମୁର୍ମୁ ବିଜୟୀ ହୋଇଥିଲେ ।ଏବେ ଲକ୍ ଡାଉନ୍ ପିରିୟଡ଼ । କିନ୍ତୁ ବିଜେପି ଶୋଇ ନାହିଁ । ଜାମଦା ବ୍ଲକର ବିଜେପି ଚାଣକ୍ୟ ବିଜୁ ଗୋପାଲ ଗୋପଙ୍କ ନେତୃତ୍ବରେ ଗତ ନିର୍ବାଚନରେ ବିଜେପି ବିଜେଡ଼ି ଠାରୁ କମ୍ ଭୋଟ ପାଇଥିଲା ଯଦିଓ ନିର୍ବାଚନ ମଣ୍ଡଳୀ ରେ ଅଳ୍ପ ଭୋଟ ବ୍ୟବଧାନରେ ବିଜେପି ବିଧାୟକ ପଦ ହାତେଇଥିଲା ।ସେହି କମ ଭୋଟ ବ୍ୟବଧାନର ଘା’ତାଙ୍କଠି ଶୁଖି ନ ଥିଲା । ଯାହାକି ତାଙ୍କ ମନରେ ପରାଜୟର ଗ୍ଲାନି ସଦା ସର୍ବଦା ଉଙ୍କୁଥିଲା । କେମିତି ସେ ପୂର୍ବ ହୃତ ଗୌରବ ଫେରି ପାଇବେ !ସେ ଦିନରୁ ସେରାଜନୀତିର ଅଙ୍କ ଚାଳନା କରୁଥିଲେ । ସୁଯୋଗ ମିଳିଲା ଲକ୍ ଡାଉନ୍ ।ଆକାରରେ ଛୋଟ ହେଲେବି ବିଜୁ ଗୋପ ଦିମାକ ତେଜ୍ ।ପୁଣି ଥରେ ରାଜ୍ୟ ନେତୃତ୍ଵଙ୍କ ପାଖରେ ନିଜର ନିଆରା ପରିଚୟ ସୃଷ୍ଟି କରିବା ପାଇଁ ରାଜନୀତିର ଗୋଟି ଚଳାଇଲେ ।ଶେଷରେ ସଫଳ ହେଲେ ।ଆଜି ଶୁକ୍ରବାର ଦିନ ଜାମଦା ବ୍ଲକ ଉପାଧ୍ୟକ୍ଷ ସାଗରାମ ମୁର୍ମୁଙ୍କୁ ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ଚାଇ ରାଜ୍ୟ ନେତୃତ୍ବ ତଥା ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୟୂରଭଂଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ସାଂସଦ ପ୍ରତିନିଧି ବରୁଣ ଦେ, ବିଜେପି କୋଷାଧ୍ୟକ୍ଷ ମନୋଜ ଦାସ,ନଗର ବିଜେପି ସଭାପତି ବିକାଶ ମହାନ୍ତ , ବିଜେପି ମିଡ଼ିଆ ପ୍ରଭାରୀ କିଶୋର ରଜକ ଏବଂ ଅନ୍ୟ ନେତୃବୃନ୍ଦ ସମ୍ମୁଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ସ୍ଥାନୀୟ ବିଜେପି ନେତୃବୃନ୍ଦଙ୍କ କାର୍ଯ୍ଯଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ । ନେତୃବୃନ୍ଦ ନୁତନ ସାଥୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।


