ପବିତ୍ର କାର୍ତ୍ତିକ ମାସର ସୋମବାର ମାଟି ଖୋଳୁ ଖୋଳୁ ବାହାରିଲେ ଶିବଲିଙ୍ଗ; ସ୍ଥାନୀୟ ଅଂଚଳରେ ଭକ୍ତି ମୟ ପରିବେଶ
ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଆ ଢଗ ଢମାଳିରେ ଏକ କଥା ଅଛି “ଆଳୁ ଖୋଳୁ ଖୋଳୁ ମହାଦେବ” । ତେବେ ଏହି କଥା ଟି ବାସ୍ତବରେ ରୂପାୟନ ହୋଇଛି ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟର ଚନ୍ଦ୍ରପଦା ଗ୍ରାମରେ । ଚନ୍ଦ୍ରପଦା ଗାଁରେ ପବିତ୍ର କାର୍ତ୍ତିକ ମାସର ସୋମାବର ରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ପରିତ୍ୟକ୍ତ ଭାବେ ପଡିଥିବା ପଡିଆରୁ ମାଟି ଖୋଳୁ ଖୋଳୁ ହଠାତ୍ ଶିବଲିଙ୍ଗ ଆବିର୍ଭାବ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ କିଛି ଦିନ ତଳେ ଚନ୍ଦ୍ରପଦା ଗ୍ରାମର ପ୍ରଥମେ ଦାମଦୋର ପ୍ରଧାନଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କର କଥାକୁ କେହି ବିଶ୍ୱାସ କରିନଥିଲେ । ପରେ ଅନନ୍ତ ପ୍ରଧାନ , ଗଣେଶ ପ୍ରଧାନ ଓ ନବୀନ ପ୍ରଧାନଙ୍କୁ ସ୍ୱପ୍ନାଦେଶ ହୋଇଥିଲେ । ହେଲେ ଆଜି ଉକ୍ତ ସ୍ଥାନରେ ଚନ୍ଦନ ଚନ୍ଦନ ବାସ୍ନା ହେବାରୁ ଏହି ଚାରିଜଣଙ୍କ ସମେତ ଗ୍ରାମର କିଛି ଯୁବକ ସେହି ସ୍ଥାନରେ ଖୋଳିବା ଆରମ୍ଭ କରିଥିଲେ । ଆଉ କିଛି ସମୟ ଖୋଲିବା ପରେ ହଠାତ୍ ଚନ୍ଦନ ପ୍ରଲୋପିତ ହୋଇଥିବା ଶିବ ଲିଙ୍ଗ ଆବିର୍ଭାବ ହୋଇଥିଲେ । ପରେ ଗାଁ ଲୋକଙ୍କୁ କିଛି ଯୁବକ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଅଧିକ ଖୋଳାଖୋଳି କରିଥିଲେ । ପରେ ପାତାଳୀ ମୂର୍ତ୍ତି ଦେଖିବାକୁ ମିଳିଥିଲା । ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାରରେ ଏଭଳି ଘଟଣା ଘଟିଥିବାରୁ ମହାଦେବଙ୍କ ଲୀଳା ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଉକ୍ତ ସ୍ଥାନରେ ଏବେ ଭକ୍ତଙ୍କ ସୁଅ ଛୁଟିଛି । ଗାଁର କୁନି କୁନି ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ଉକ୍ତ ସ୍ଥାନକୁ ଦର୍ଶନ କରି ଆବିର୍ଭାବ ଶିବଲିଙ୍ଗ କୁ ପୂଜାର୍ଚ୍ଚନା କରିବା ସହ ମହିଳାମାନଙ୍କ ହୁଳି ହୁଳି ଓ ପୂଜା ଫଳରେ ସେଠା ଭକ୍ତମୟ ପରିବେଶ ସୃଷ୍ଟିହୋଇଛି ।