ପରବ ୨୦୨୪ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ପାଳନ ଉପଲକ୍ଷେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତବର୍ଷ ମାନଙ୍କରେ ପରବ ମୁଖ୍ୟ ଉତ୍ସବ ୩ ଦିନ ପର୍ଯ୍ୟନ୍ତ ହେଉଥିବା ବେଳେ ଚଳିତ ବର୍ଷ ପରବ ମୁଖ୍ୟ ଉତ୍ସବ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ କହିଥିଲେ।ଚଳିତ ମାସ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଉତ୍ସବ ପାଳନ କରାଯିବ ବୋଲି ସେ କହିଥିଲେ। କୋରାପୁଟ ଜିଲ୍ଲାର ଲୋକ ନୃତ୍ୟକୁ ପ୍ରାଧାନ୍ୟ ଦିଆଯିବା ସହ ବାହାର ଜିଲ୍ଲା ଏବଂ ବିଭିନ୍ନ ରାଜ୍ୟର କଳାକାର ମାନେ ସେମାନଙ୍କର ନୃତ୍ୟ ପରିବେଷଣ କରିବେ। ପରବ ଉତ୍ସବ ଶେଷ ସନ୍ଧ୍ୟା ୧୮ ତାରିଖ ଦିନ ଇଣ୍ଡିଆନ ଆଇଡଲ ୧୨ ଫେମ ପଵନଦୀପ ରଞ୍ଜନ ଏବଂ ଅରୁଣିତା କାଞ୍ଜିଲାଲ ବିଶେଷ ଆକର୍ଷଣ ରହିବେ ବୋଲି ସେ କହିଛନ୍ତି।୧୪ ତାରିଖ ଦିନ ସଙ୍ଗୀତକାର ଅଭିଜିତ ମଜୁମଦାର ଏବଂ ଦୀପ୍ତିରେଖା ପାଢୀ,୧୫ ତାରିଖ ଦିନ ଟ୍ରୋନ ଡ୍ୟାନସ ଗ୍ରୁପ, ଅନୁରାଧା ପାଣିଗ୍ରାହୀ ଓ ସ୍ଥାନୀୟ ଗାୟିକା ନମିତା ମେଲେକା,୧୬ ତାରିଖ ଦିନ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ବର୍ଣ୍ଣାଲି ହୋତା ଓ ସୁନୀଲ କୁମାର ପରିଡ଼ା ଏବଂ ୧୭ ତାରିଖ ଦିନ ହାଇଦ୍ରାବାଦର ଇନଫ୍ୟୁଜନ ବ୍ୟାଣ୍ଡ ବିଶେଷ ଆକର୍ଷଣ ରହିବ ବୋଲି ସେ କହିଛନ୍ତି। ପଲ୍ଲୀଶ୍ରୀ ମେଳା ଆୟୋଜନ ହେବା ସହ ଖାଦ୍ୟ କୋର୍ଟ ଓ ମୀନାବଜାର ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି। ପରବ ସ୍ମରଣିକା ଓ କଫି ପୁସ୍ତିକା ଅରଣ୍ୟ ଗୁଜନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବ । ପରବ ଉତ୍ସବ ଆରମ୍ଭ ହେବା ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ପରବ ସ୍ମୃତି ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି। ଗତ ମାସ ପର୍ଯ୍ୟନ୍ତ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ପରବ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିବାରୁ ସମସ୍ତ ଜନ ପ୍ରତିନିଧି ଏବଂ ବ୍ଲକ ଅଧିକାରୀ ମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ। ସମସ୍ତ ନିର୍ବାଚିତ ଜନ ପ୍ରତିନିଧି,ସାମ୍ବାଦିକ ଏବଂ ଜନ ସାଧାରଣଙ୍କ ସହଯୋଗରେ ଚଳିତ ବର୍ଷ ପରବ ମୁଖ୍ୟ ଉତ୍ସବ ସଫଳତାର ସହ ସଂପନ୍ନ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସହମତି ପ୍ରକାଶ କରିଥିବା ସେ କହିଛନ୍ତି।ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ଏସପି ରୋହିତ ବର୍ମା କହିଛନ୍ତି।ଆସନ୍ତା ୧୨ ତାରିଖ ସୁଦ୍ଧା ରୁଟ ଚାର୍ଟ ଜନ ସାଧାରଣଙ୍କ ନିମନ୍ତେ ପ୍ରକାଶିତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଓ ଲଗ୍ନଜିତ ରାଉତ,କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ