ପରଳାଖେମୁଣ୍ଡିରେ ଆରମ୍ଭ ହେଲା ଅକ୍ଷୟ ଦାନ ପାତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଗଜପତି ଏସପି ସାରା ଶର୍ମାଙ୍କ ଦ୍ୱାରା ପୁଣି ଏକ ମହତ୍ ଯୋଜନା ଅକ୍ଷୟ ଦାନ ପାତ୍ରର ଶୁଭାରମ୍ଭ ଆଜି ହୋଇଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ଯୋଜନାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଲାର ସବୁ ବର୍ଗର ଲୋକଙ୍କ ସୁବିଧା ପାଇଁ ମନରେ ସବୁବେଳେ ନୁଆନୁଆ ଟିନ୍ତାଧାରାକୁ ନେଇ ଗଜପତି ଏସପି ସାରା ଶର୍ମା ଅକ୍ଷୟ ଦାନ ପାତ୍ର ନାମରେ ଏକ ନୂତନ ଏବଂ ମହତ୍ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନୁଯାଇ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଗରିବ ଲୋକଙ୍କ ସାହାଜ୍ୟ ପାଇଁ କେତେକ ଦାନ ପାତ୍ରର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ନିଜନିଜର ସୁବିଧାକୁ ନେଇ ଅନ୍ୟ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ସାହାଯ୍ୟ କରିବା ପାଇଁ ବ୍ୟବହାରିକ ଜିନିଷପତ୍ର,ପୋଷାକପତ୍ର,ପାଠ୍ୟ ସାମଗ୍ରୀ,ଛୋଟଛୋଟ ପିଲାଙ୍କ ଖେଳ ସାମଗ୍ରୀ ଆଦି ମୁକ୍ତ ହସ୍ତରେ ଦାନ କରିବାପାଇଁ ଏହି ଅକ୍ଷୟ ପାତ୍ର ଯୋଜନା ଆରମ୍ଭ କରିଛନ୍ତି ବୋଲି ଗଜପତି ଏସପି ସାରା ଶର୍ମା ପ୍ରକାଶ କରି କହିଛନ୍ତି ଯେ ଅକ୍ଷୟ ପାତ୍ରରେ ଦାନ କରାଯାଇଥିବା ସାମଗ୍ରୀକୁ ନିଜନିଜର ବ୍ୟବହାରରେ ଆବଶ୍ୟକୀୟ ବ୍ୟକ୍ତିମାନେ ନେଇ ବ୍ୟବହାର କରିପାରିବେ । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହାର ଉଦ୍ଘାଟନ କରି କହିଛନ୍ତି ସବୁ ବର୍ଗର ଲୋକଙ୍କ ଉନ୍ନତି ଓ ସାହାଯ୍ୟ ପାଇଁ ଏଭଳି କାର୍ଯ୍ୟ ଆରମ୍ଭ କରିବା ବେଶ ପ୍ରଶଂସନୀଅ ଅଟେ । ଅକ୍ଷୟ ଦାନ ପାତ୍ର ଯୋଜନାର ଶୁଭାରମ୍ଭ ପରେ ମହାରାଜାଙ୍କ ଡାଇମଣ୍ଡ ଜୁବୁଲି କୁଷ୍ଠାଶ୍ରମରେ ଥିବା ଅନ୍ତେବାସୀ ମାନଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା । ଗଜପତି ଜିଲ୍ଲାପାଳ ଅନୁପମ ଶାହା କୃଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ଭୋଜନ ପରଷି ଥିବା ବେଳେ ଏସପି ସାରା ଶର୍ମା ନିଜ ହାତରେ ସେମାନଙ୍କୁ ଖାଦ୍ୟ ଖୁଆଇବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ଚଞ୍ଚଳା ରାଣା,ପାରଳାଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ,ବିଭିନ୍ନ ପୋଲିସ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକ ଉପସ୍ତିତ ଥିଲେ ।