ପରିଣତ ବୟସରେ ଅପହଞ୍ଚ ଆବାସ ଯୋଜନା : ବର୍ଷା ଯୋଗୁ ଘର ଭାଙ୍ଗିବା ପରେ ବାସହୀନ ହେଲେ ସୁଧାକରଙ୍କ ପରିବାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ଯାଏଁ ଗ୍ରାମାଞ୍ଚଳ ମାନଙ୍କରେ ପକ୍କାଗୃହ ନିର୍ମାଣ ପାଇଁ ଗୁରୁତ୍ୱ ଦେଉଥିବାବେଳେ କୌଣସି ପରିବାର କଚ୍ଚାଘରେ ରହିବେ ନାହିଁ ବୋଲି ବାରମ୍ବାର ଘୋଷଣା କରୁଛନ୍ତି । ଏଥିପାଇଁ ସରକାରୀ ବଜେଟରୁ ବର୍ଷକୁବର୍ଷ କୋଟିକୋଟି ଟଙ୍କା ବ୍ୟୟ ହେଉଛି । ହେଲେ କିଛି ବ୍ୟବସ୍ଥାଗତ ଆଇନକାନୁନ ଓ ପଞ୍ଚାୟତ ସ୍ତରର ତୃଟିବିଚ୍ୟୁତି ଯୋଗୁ ପ୍ରକୃତ ହିତାଧିକାରୀଟିଏ ଆଜିବି ସୁଦ୍ଧା ପକ୍କାଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ଦାଳୋ-ମଢିଆଳୀ ପଞ୍ଚାୟତ ୨ନଂ ୱାର୍ଡ ନମକଣା ଗ୍ରାମର ୬୮ବର୍ଷୀୟ ସୁଧାକର ମହାନ୍ତି ପରିଣତ ବୟସରେ ମଧ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ପକ୍କାଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି । ସୁଧାକରଙ୍କ ତେଲଲୁଣର ସଂସାର ମଧ୍ୟରେ ତାଙ୍କ ପତ୍ନୀ, ପୁଅ, ବୋହୂ ଓ ତିନିବର୍ଷର ନାତିଟିଏ ରହିଛି ।ତାଙ୍କର କୌଣସି କୃଷିଭିତ୍ତିକ ଚାଷଜମି ନଥିବାବେଳେ ସରକାରୀ ସହାୟତା କହିଲେ ସେ ରାସନକାର୍ଡରୁ ଚାଉଳ ଗଣ୍ଡାଏ ପାଇଥାଆନ୍ତି । ଘରଡିହକୁ ଛାଡିଦେଲେ ଏକ ନିଜସ୍ୱ ଛୋଟ ପୋଖରୀରେ ମାଛଚାଷ କରି ସୁଧାକର ପରିବାର ପ୍ରତିପୋଷଣ କରିଥାଆନ୍ତି । ପୁଅ ବାହାରେ ରହି ଦୈନନ୍ଦିନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା କରୋନା ମହାମାରୀ ପାଇଁ ଦୀର୍ଘଦିନ ହେବ ଆସି ଘରେ ରହିଛନ୍ତି । ଏପରିସ୍ଥଳେ ପାଞ୍ଚଜଣ ସଦସ୍ୟ ବିଶିଷ୍ଟ ଘର ଚଳାଇବା କେତେ ଯେ କଷ୍ଟକର ତାହା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । ଏହାରି ଭିତରେ ବୋଝ ଉପରେ ଲଳିତା ବିଡା ସଦୃଶ ସୁଧାକରଙ୍କ କଚ୍ଚା ଛପର ଘର ଭାଙ୍ଗିଯିବା ଯୋଗୁ ପରିବାର ଏବେ ବାସହୀନ ହୋଇଯାଇଛନ୍ତି । ଗତ ରବିବାର ଦିନ ରାତିରେ ବର୍ଷା ଯୋଗୁ ଘରର କାନ୍ଥ ପଡିଯାଇଥିବାବେଳେ ଦୈବଯୋଗୁରୁ ଜୀବନ ବଞ୍ଚିଯାଇଥିଲେ ସୁଦ୍ଧା ପାଞ୍ଚପ୍ରାଣୀ ଏବେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନୀୟ ଅଙ୍ଗନବାଡି ଗୃହକୁ ଭରସା କରିଛନ୍ତି । ଏପଟେ ଭଙ୍ଗା କାନ୍ଥ ତଳୁ ଘରର ଆସବାବପତ୍ରକୁ ସୁଧାକର ଓ ତାଙ୍କ ପତ୍ନୀ ଖୋଜୁଥିବାବେଳେ ସରକାରଙ୍କ ପକ୍କାଗୃହ ଯୋଜନା ପ୍ରତି ଉକ୍ତ ଦୃଶ୍ୟ ଅଟ୍ଟହାସ୍ୟ ହୋଇଛି । ଘର ଭାଙ୍ଗିବା ପୂର୍ବରୁ ସୁଧାକର ବର୍ଷକୁ ବର୍ଷ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପକ୍କାଗୃହ ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରିଥିଲେ । ହେଲେ ବ୍ୟବସ୍ଥାଗତ ତୃଟି ମଧ୍ୟରେ ଡାଟାବେସକୁ ତାଙ୍କ ନାମ ଉଠିନଥିବାରୁ ସେ ପକ୍କାଗୃହ ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ତେବେ ଯଦି ଗୃହ ଖଣ୍ଡିଏ ସେ ପାଇଥାଆନ୍ତେ ତାହେଲେ ଆଜି ସେ ବାସହୀନ ହୋଇନଥାନ୍ତେ । ସେ ଯାହାବି ହେଉ ସୁଧାକରଙ୍କ ପାଇଁ ଏବେ ପକ୍କାଗୃହ ଖଣ୍ଡିଏ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଘରଭାଙ୍ଗିବାର କ୍ଷତ୍ରୀୟ ଅନୁଧ୍ୟାନ କରାଯାଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳ କିଶୋର ପଣ୍ଡା ସୂଚନା ଦେଇଛନ୍ତି । ଏସମ୍ପର୍କରେ ସେ ବିଡିଓଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି । ସମାଜରେ ଆର୍ଥିକ ଦୁର୍ବଳ ବର୍ଗର ସୁଧାକରଙ୍କ ଭଳି ପରିବାରକୁ ଯଦି ଆଇନର ସରଳିକରଣ ପ୍ରକ୍ରିୟା ମାଧ୍ୟମରେ ପକ୍କାଗୃହ ଯୋଜନାରେ ଅନ୍ତର୍ଭୁକ୍ତ କରାନଯାଏ ପାଞ୍ଚବର୍ଷ କଣ ପଚାଶ ବର୍ଷ ବିତିଗଲେ ସୁଦ୍ଧା ପକ୍କା ଗୃହ ଯୋଜନା ସଫଳ ରୂପାୟନ ହୋଇପାରିବ ନାହିଁ ଏଥିୁ ସ୍ପଷ୍ଟ ଅନୁମେୟ ହେଉଛି । ସୁତରାଂ ସରକାର ଓ ପ୍ରଶାସନ ଏଭଳି ଘଟଣା ଉପରେ ଯଥାଶୀଘ୍ର ଦୃଷ୍ଟିଦେବା ଜରୁରୀ ହୋଇପଡିଛି ।