ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଜଳସେଚନ ଉପଯୋଗୀ “ରଙ୍ଗବନ୍ଧ”ର ଉଦ୍ଧାର ଓ ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ଦାବୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ କେ: ସିତାପୁର ପଞ୍ଚାୟତର ସିଂଙ୍ଗିପୁରଗୁଡ଼ା ଅଞ୍ଚଳର ମାଳତୀ ପାହାଡ ପାଦ ଦେଶରେ ରହିଥିବା ରଙ୍ଗବନ୍ଧ ଜଳ ସେଚନ ଉପଯୋଗୀ ବନ୍ଧଟି ଦୀର୍ଘବର୍ଷ ଧରି ପୋତି ହୋଇପଡ଼ି ରହିଛି. କେତେକଙ୍କ ଦ୍ୱାରା ଜବରଦଖଲ ହୋଇ ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଜଳସେଚନ ଉପଯୋଗୀ “ରଙ୍ଗବନ୍ଧ” ର ଉଦ୍ଧାର ଓ ଉନ୍ନତି କରଣ କରାଯିବାକୁ ଅଞ୍ଚଳବାସୀ ଦୃଢ଼ ଦାବୀ ଜଣାଇଛନ୍ତି । ପୂର୍ବରୁ ୩ ଏକର ପରିମିତ ଜମିରେ ରହିଥିବା ଏହି ଜଳସେଚନ ଉପଯୋଗୀ ରଙ୍ଗବନ୍ଧ ପୋତିହେବା ସହ ଜବରଦଖଲ ହୋଇ ରହିଛି. ଏହି ଗ୍ରାମର ଚାଷୀ ମାନଙ୍କ ବହୁବାର ଦାବି ହେବା ଫଳରେ ଏହି ରଙ୍ଗବନ୍ଧର ଉଦ୍ଧାର ଓ ଉନ୍ନତିକରଣ ଦିଗରେ ଲୋକଙ୍କ ଜବରଦଖଲ ସମାଧାନ ହୋଇ ଜମି ଅଞ୍ଚଳ ଚିହ୍ନଟ କରି ଏ ଦିଗରେ ପଦକ୍ଷେପ ସ୍ୱରୂପ ଅମୃତ ସରୋବର ଯୋଜନାରେ ସାମିଲ କରାଯାଉ ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ମାଟି ଖୋଳା କାର୍ଯ୍ୟ ଗତ ଡିସେମ୍ବର ମାସରେ ଆରମ୍ଭ କରାଯାଇଥିଲା । ଗଜପତି ଜିଲ୍ଲା ମାଇନିଙ୍ଗ ବିଭାଗ ଏହା ଜାଣି ଘଟଣା ସ୍ଥଳରେ ପହଞ୍ଚି ରଙ୍ଗବନ୍ଧର ମାଟିଖୋଳା କାର୍ଯ୍ୟକୁ ବନ୍ଦ କରିଦେବା ସହ ବିନା ଅନୁମତିରେ ମାଟିଖୋଳା କାର୍ଯ୍ୟ କରୁଥିବା ଅଭିଯୋଗ କରି ପାରଳା ଥାନାରେ ସରପଞ୍ଚଙ୍କ ନାମରେ ଲିଖିତ ଅଭିଯୋଗ ଦାଏର କରାଯାଇଛି. ସିଙ୍ଗିପୁର ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମର ବରିଷ୍ଠ ନାଗରିକ ତଥା ଚାଷୀ ସୁମନ୍ତ ଚିନ୍ତାଡା ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , କୃଷି , କୃଷକ ଓ ଜଳସେଚନର ଉନ୍ନତି ପାଇଁ ଅଞ୍ଚଳର ସରପଞ୍ଚ ଶ୍ରୀ କେ: ତେଜେଶ୍ୱର୍ ରାଓ ଅହରହ ଉଦ୍ୟମ କରିଆସୁଛନ୍ତି. ଚାଷୀଙ୍କ ଜମିକୁ କିଭଳି ଠିକ୍ ଭାବେ ପାଣି ଟୋପାଏ ମିଳିବ ସେଥିପାଇଁ ସେ ସିଙ୍ଗିପୁରଗୁଡ଼ା ଅଞ୍ଚଳରେ ଜଳସେଚନ ଉପଯୋଗୀ ତଥା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏବଂ ବର୍ତ୍ତମାନ ଜବରଦଖଲ ହୋଇଥିବା ରଙ୍ଗବନ୍ଧ ଉଦ୍ଧାର ପାଇଁ ଜମି ଚିହ୍ନଟ କରି କାର୍ଯ୍ୟାଦେଶ କ୍ରମେ ମାଟି ଖୋଳା କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଏ ଦିଗରେ ମାଇନିଙ୍ଗ ଅଧିକାରୀ ମାନେ ଆସି ହଇରାଣ କରିବା ଉଦ୍ଦେଶ୍ୟ ନେଇ କାମ ବନ୍ଦ କରି ଦେଇଥିଲେ । ଯାହାକି ଏହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ , ଜିଲ୍ଲାପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଚାଷୀଙ୍କ ହିତ ପାଇଁ ମହତ୍ ଉଦ୍ଦେଶ୍ୟ ନେଇ ଚାଲିଥିବା ରଙ୍ଗବନ୍ଧ କାର୍ଯ୍ୟକୁ ସମାଧାନ କରି ପୂର୍ବଭଳି ସ୍ଵାଭାବିକ କରିବାକୁ ନିବେଦନ କରିଛନ୍ତି ।ସରପଞ୍ଚ ଶ୍ରୀ ରାଓ କହିଛନ୍ତି ଯେ , ଏ ଅଞ୍ଚଳରେ ଲୋକେ ମୁଖ୍ୟତଃ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ବର୍ଷା ହେଲେ ଚାଷ , ନ ହେଲେ ନାହିଁ । ଏପରି ସ୍ଥଳେ ଗତ କିଛିବର୍ଷ ହେଲା ଅଞ୍ଚଳରେ କମ ବୃଷ୍ଟିପାତ ଯୋଗୁଁ ଏ ଅଞ୍ଚଳରେ ମରୁଡି ପ୍ରାୟ ହୋଇପଡିଛି । ଏହି ରଙ୍ଗବନ୍ଧ୍ ତଳ ମୁଣ୍ଡରେ ଥିବା ଏବଂ ଏହି ବନ୍ଧ ଉପରେ ନିର୍ଭର କରୁଥିବା ୨୦୦ ହେକ୍ଟର ରୁ ଅଧିକ ଚାଷଜମି ପ୍ରଭାବିତ ହୋଇଥିଲା । ଏହି ସବୁ ଦୃଷ୍ଟିରେ ରଖି ଏହି ରଙ୍ଗବନ୍ଧ ର ଉଦ୍ଧାର ଓ ଉନ୍ନତି କରଣ ପାଇଁ ପଦକ୍ଷେପ ନିଆ ଯାଇଥିଲା । ହେଲେ ଏଭଳି ମହତ୍ କର୍ଯ୍ୟପ୍ରତି ବୈମାତୃକ ମନୋଭାବ ପୋଷଣ କରି ମାଇନିଙ୍ଗ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯେଭଳି ଭାବେ ହୀନକାର୍ଯ୍ୟ କରି ବନ୍ଦ କରି ଦେଇଥିଲେ , ଏଥିପ୍ରତି ଅଞ୍ଚଳବାସୀ ବିଶେଷ ଭାବେ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଶ୍ରୀ କେ: ତେଜେଶ୍ୱର ରାଓ କହିଛନ୍ତି ଯେ , ଏ ଅଞ୍ଚଳରେ ଶତାଧିକ ହେକ୍ଟର ଚାଷ ଜମି ଥିବା ବେଳେ ଏଠାରେ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ ଏବଂ ଚାଷୀମାନେ କେବଳ ବର୍ଷାଜଳ ଉପରେ ନିର୍ଭର କରି ଧାନଚାଷ ସହ ବିଭିନ୍ନ ଚାଷ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ହିତ ପାଇଁ ସରପଞ୍ଚ ଶ୍ରୀ ରାଓ , ପଞ୍ଚାୟତର ସିଙ୍ଗିପୁରଗୁଡ଼ା ଅଞ୍ଚଳରେ ତଥା ମାଳତୀ ପାହାଡ ପାଦ ଦେଶରେ ଥିବା ୩ ଏକର ପରିମିତ ଜମି ବିଶିଷ୍ଟ ରଙ୍ଗବନ୍ଧ ଦୀର୍ଘବର୍ଷ ଧରି ଅନେକ ଜମି ପୋତି ହୋଇପଡ଼ିଥିବା ବେଳେ ଅନେକ ଜମି ଜବରଦଖଲ ହୋଇ ଶୁଷ୍କ ପରିତ୍ୟକ୍ତ ଅବସ୍ଥାରେ ଥିଲା । ଏହାର ଉଦ୍ଧାର ଓ ଉନ୍ନତି କରଣ ପାଇଁ ଆବଶ୍ୟକ ପଦକ୍ଷେପ ସ୍ୱରୂପ ଜବରଦଖଲକାରୀ ଓ ଲୋକଙ୍କ ସହ କଥାବାର୍ତ୍ତା ହୋଇ ଏହାର ସମାଧାନ କରିବା ସହ ଜମି ମାପଜୁପ ଚିହ୍ନଟ କରି ଅନୁମତି ଅପେକ୍ଷା କରି ଏବଂ କାର୍ଯ୍ୟାଦେଶ ପାଇ ବନ୍ଧ ଖୋଳା ଆରମ୍ଭ କରିଥିଲେ । ଏଥିପାଇଁ ସରପଞ୍ଚ ଶ୍ରୀ ତେଜେଶ୍ଵର ରାଓ ଅମୃତ ସରୋବର ଯୋଜନାରେ ମନରେଗା କନଭରଜେନ୍ସିରେ ମାଟି ଖୋଳା କାର୍ଯ୍ୟ ଆରମ୍ଭ କରିଥିଲେ ।ଚାଷ ଜଳସେଚନ କ୍ଷେତ୍ରରେ ଶତାଧିକ ଚାଷୀ ପରିବାର ଏହା ଉପରେ ନିର୍ଭର କରିଥାନ୍ତି , କାରଣ , ଏହାର ଜଳଧାରଣ କ୍ଷମତା ୩ ଏକରରୁ ଅଧିକ ରହିଥିବା ବେଳେ ଏହା ଉପରେ ୨ଶହରୁ ଅଧିକ ହେକ୍ଟର ଚାଷଜମି ଜଳସେଚନ କ୍ଷେତ୍ରରେ ନର୍ଭାର କରିଥାଏ । ତେବେ ଏଭଳି ମହତ୍ କାର୍ଯ୍ୟ ଚାଲିଥିବା ବେଳେ ମାଇନିଙ୍ଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଆସି କାମ ବନ୍ଦ କରିଦେବା ଉଚିତ୍ ହେଲାନାହିଁ ବୋଲି ଅଭିଯୋଗ କରିଛନ୍ତି ।ତୁରନ୍ତ ଏହି ରଙ୍ଗବନ୍ଧ ଉନ୍ନତିକରଣ ଏବଂ ଚାଷ ଜମିକୁ ପାଣି ଦେବା ଭଳି ସକ୍ଷମ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ