ପରିବାରର ପ୍ରତ୍ୟେକ ସଦସ୍ୟ ସତର୍କତା ଅବଲମ୍ବନ କରନ୍ତୁ : ଜିଲ୍ଲାପାଳ

ଛତ୍ରପୁର, (ଓ୍ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବ୍ଲକ୍, ତହସିଲ୍ ଓ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ କର୍ମଚାରୀଗଣ କରୋନା ସଂକ୍ରମିତ ହେଉଛନ୍ତି. ଏହାକୁ ଦୃଷ୍ଟିରେ ରଖି ଅନ୍ୟ ଲାଇନ୍ ବିଭାଗର କର୍ମଚାରୀ ମାନଙ୍କୁ ମଧ୍ୟ କାର୍ଯ୍ୟ ବଣ୍ଟନ କରି କାର୍ଯ୍ୟଧାରାର ସୁପରିଚାଳନା କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ଆଲୋଚନାରେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ସଦର ମହକୁମା ଛାଡି ଅନ୍ୟତ୍ର ଯିବା ଆସିବା କରିବାକୁ ବାରଣ କରାଯାଇଛି । କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଆକ୍ଟିଭ୍ କଣ୍ଟାକ୍ଟ ଟ୍ରାକ୍ କରି ସଂପୃକ୍ତ ବ୍ୟକ୍ତିର ସ୍ୱାସ୍ଥ୍ୟ ଜନିତ ତଥ୍ୟକୁ ଆଧାର କରି କରୋନା ଲକ୍ଷଣମାନ ଦେଖାଯାଉଥିବା ବ୍ୟକ୍ତିଙ୍କର ସ୍ୱାବ୍ ସଂଗ୍ରହ କରି ପରୀକ୍ଷା କରିବା ଦିଗରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଯେଉଁ ବ୍ୟକ୍ତି ବିଶେଷଙ୍କୁ ଡିସଚାର୍ଯ କରାଯାଇଛି ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରହିବା ଓ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସଂଗ୍ରହ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, ସେମାନେ ଏଣେତେଣେ ଅଯଥାରେ ବୁଲି ସଂକ୍ରମିତ ହୁଅନ୍ତୁ ନାହିଁ ଏବଂ ନିଜ ପରିବାରର ଅନ୍ୟ ସଦସ୍ୟଙ୍କୁ ସଂକ୍ରମିତ କରନ୍ତୁ ନାହିଁ । ବିନା କାରଣରେ ନିୟମ ଉଲଂଘନ କରି ବିପଦକୁ ଟାଣି ଆଣନ୍ତୁ ନାହିଁ ବୋଲି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଗ୍ରୀନ୍ ଜୋନ୍ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବ୍ୟକ୍ତି ବିଶେଷ ନିଜ ଅଞ୍ଚଳ ଛାଡି ବାହାରକୁ ଯିବାକୁ ବାରଣ କରାଯାଇଛି, ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ସାମଗ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜରିଆରେ ଯୋଗାଇ ଦେବାକୁ ଯୋଜନା କରି ଏହାର ସୁପରିଚାଳନା କରିବାପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରେଡ୍ ଜୋନ୍ ଘୋଷିତ ଅଞ୍ଚଳର ସଂକ୍ରମିତ ବ୍ୟକ୍ତିଙ୍କ ଆକ୍ଟିଭ୍ କଣ୍ଟାକ୍ଟ ଟ୍ରାକିଂ କରି ଯାହାର କରୋନା ଲକ୍ଷଣ ରହୁଛି, ଲେମାନଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା କରିବାକୁ ଏବଂ ସେହି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରଖିବାକୁ କୁହାଯାଇଛି, ଯେଉଁମାନେ ନିୟମ ଉଲଂଘନ କରନ୍ତି ତେବେ ସେମାନଙ୍କ ପ୍ରତି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ଅଞ୍ଚଳରେ ରେଡଜୋନ୍, ଗ୍ରୀନ୍ ଜୋନ୍ କିମ୍ବା ୟେଲୋ ଜୋନ୍ ଲାଗୁ କରାଯାଇଛି ସେସମ୍ପର୍କରେ ସ୍ଥାନୀୟ ବାସୀନ୍ଦାଙ୍କୁ ଅବଗତ କରାନ୍ତୁ ତେବେଯାଇ ସେହି ଅନୁସାରେ ଜନସାଧାରଣ ସତର୍କତା ଅବଲମ୍ବନ କରିବେ ଓ ସତର୍କ ରହିବେ ବୋଲି ଜିଲ୍ଲାପାଳ ସୂଚାଇଥିଲେ । କୋଭିଡ୍ କେୟାର୍ ହୋମ୍ ଓ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ସ୍ୱଚ୍ଛତା ଓ ଉତ୍ତମ ମାନଖାଦ୍ୟ ଯୋଗାଣ କ୍ଷେତ୍ରରେ ଯଥେଷ୍ଚ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବା ସହ ଏଥିରେ ବ୍ୟତିକ୍ରମ ଘଟିଲେ କୌଣସି ସାଲିଶ୍ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସତର୍କ କରାଇଥିଲେ . । ଜିଲ୍ଲାର ପ୍ରତିଟି ଅଞ୍ଚଳରେ ଦୂର୍ଘଟଣାଜନିତ ହେଉ, ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଜନୀତ ହେଉ କିମ୍ବା କୋଭିଡ୍ ସଂକ୍ରମିତ ଜନୀତ ହେଉ ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ତେବେ ମୃତ୍ୟୁଜନୀତ ତଥ୍ୟ ଗୁଡିକ ଜିଲ୍ଲାପାଳ/ପ୍ରଶାସନକୁ ଅବଗତ କରାଇବା ସକାଶେ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ପରିଚାଳନାଗତ ଯେ କୌଣସି ସମସ୍ୟା ଦେଖାଗଲେ ତୁରନ୍ତ ଜିଲ୍ଲାପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ, ଏ ଦିଗରେ ତାର ଆଶୁ ସମାଧାନ କରାଯିବ । ଭିଡିଓ କନଫରେନ୍ସିଂ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡଃ ଅର୍. ଜଗଦୀଶ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ