‘ଥ୍ରୀଲର’ ରେ ଓଡ଼ିଆ ଝିଅ ଅପସରା

ବେଙ୍ଗାଲୁରୁ: ଓଡ଼ିଆ ଝିଅ ଅପସରା ରାଣୀ । ହିନ୍ଦୀ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ହେବେ । ବଲିଉଡ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଅପସରା ହେଉଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଗ୍ରାମର ଚନ୍ଦ୍ରଶେଖର ମହାରଣା ଓ ସନ୍ଧ୍ୟାରାଣୀଙ୍କ ସାନ ଝିଅ । ପିତା ଚନ୍ଦ୍ରଶେଖର ବାୟୁସେନା କର୍ମଚାରୀ ହୋଇଥିବାରୁ ଭାରତର ବିଭିନ୍ନ ସହରରେ କାର୍ଯ୍ୟ କରିଛନ୍ତି । ଅପସରାଙ୍କ ଜନ୍ମ ଡେରାଡୁନରେ ଓ ପାଠପଢ଼ା ସମୟ ବେଙ୍ଗାଲୁରୁ, ନୂଆଦିଲ୍ଲୀ ଓ କର୍ଣ୍ଣାଟକ ରାଜ୍ୟ ବେଲଗାଁରେ କଟିଛି । ସେ ପରିବାର ସହ ନୂଆଦିଲ୍ଲୀରେ ରହିବା ବେଳେ କ୍ରମାଗତ ୪ ବର୍ଷ ନୃତ୍ୟ ପାଇଁ ଶ୍ରେଷ୍ଠ ପୁରସ୍କାର ବିଜେତା ହୋଇଥିଲେ । ଦିଲ୍ଲୀରେ କଥକ ନୃତ୍ୟ ଶିକ୍ଷା ଲାଭ କରିଥିଲେ । ବେଲଗାଁ ଜିଆଇଟି କଲେଜରୁ କମ୍ପୁ୍ୟଟର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ୨୦୧୬ ମସିହାରେ କଲେଜ ତରଫରୁ ଫ୍ୟାସନ ପ୍ରତିଯୋଗିତାରେ ସମ୍ମାନିତ ହୋଇଥିଲେ । ମୁମ୍ବାଇରେ ଅନୁଷ୍ଠିତ ଅଲ ଇଣ୍ଡିଆ ମିସ ୟୁନିଭରସିଟି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ । ୨୦୧୭ ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ମିସ ବେଙ୍ଗାଲୁରୁ ପ୍ରତିଯୋଗିତାରେ ସେ ରନର୍ସ ଅପ ହୋଇଥିଲେ । ତାଙ୍କ ଅଭିନୀତ ଏକ କ୍ଷୁଦ୍ର ସିନେମା ଦୁବାଇରେ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଅପସରା କଲେଜ ପାଠପଢ଼ା ସମୟରେ ବହୁ ଜାତୀୟ ବିଜ୍ଞାପନ ତଥା ଫ୍ୟାସନ ସୋରେ ମଧ୍ୟ ସେ ଭାଗ ନେଇଥିଲେ । ଅପସରା ଦୁଇଟି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ଅପସରାଙ୍କ ଭେଟ ହୋଇଥିଲା ରାମଗୋପାଳ ବର୍ମାଙ୍କ ସହ । ପ୍ରଥମ ଦେଖାରେ ରାମଗୋପାଳ ଅପସରାଙ୍କୁ ନିଜ ଚଳଚ୍ଚିତ୍ରରେ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସେ ରାମଗୋପାଳଙ୍କ ଦୁଇଟି ହିନ୍ଦୀ ସିନେମା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଅପସରାଙ୍କ ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ଥ୍ରୀଲରର ସୁଟିଂ ହାଇଦ୍ରାବାଦରେ ଆରମ୍ଭ ହୋଇଥିବା ବେଳେ ଅନ୍ୟ ସିନେମାର ନାଁ ଘୋଷଣା କରାଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ