ପରିବାର ଲୋକଙ୍କୁ ନିଜ ବାସଭବନରେ ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ଶାଳକଣିଆଁ ଗ୍ରାମରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣା ପରଠାରୁ ଗାଁର ନନ୍ଦ କିଶୋର ଯେନାଙ୍କୁ କିଛି ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ଗାଁରୁ ବାହାର କରିଦେଇଥିବାରୁ ତାଙ୍କୁ ପୁନର୍ବାର ପ୍ରଶାସନର ସହଯୋଗରେ ଗାଁକୁ ଫେରାଇ ଅଣାଯାଉ ବୋଲି ନନ୍ଦ କିଶୋର ଯେନା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସେ କରିଥିବା ନିବେଦନ ପତ୍ରରେ ଗତ ୨୦୨୧ ଜୁନ ମାସରେ ତାଙ୍କ ଗାଁରେ ଏକ ହତ୍ୟାକାଣ୍ଡକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ତାଙ୍କର କୌଣସି ସଂପୃକ୍ତି ନଥିବାବେଳେ କିଛି ଉଚ୍ଚ ଜାତିର ଲୋକ ତାଙ୍କ ନାମକୁ ଏହି ଘଟଣାରେ ଯୋଡି ତାଙ୍କ ପରିବାରକୁ ମାରଧର କରି ଘରୁ ତଡିଦେବା ସହିତ ତାଙ୍କ ଘରଦ୍ୱାର ଭାଙ୍ଗି ଆସବାବପତ୍ର ଲୁଟି ନେଇଥିଲେ । ଯାହାଦ୍ୱାରାକି ସେ ଆଜି ପର୍ଯ୍ୟନ୍ତ ପିଲାଛୁଆଙ୍କୁ ଧରି ବାର ଦୁଆର ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଜଣାଇ ସହଯୋଗ ପାଇଁ ନିବେଦନ କରୁଥିଲେବି କିଛି ସୁଫଳ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ତାଙ୍କୁ ନିଜ ଗ୍ରାମରେ ଥଇଥାନ କରିବାକୁ ସେ ନିବେଦନ କରିଛନ୍ତି ।