ପରିବା ଦର ଅସହ୍ୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଏବେ ପୁଣ୍ୟ ମାସ କାର୍ତିକ ଚାଲିଛି । ଓଷା ବ୍ରତର ମାସ । ପାର୍ବଣ ସରିନି କହିଲେ ଚଳେ । ବୋଇତ ବନ୍ଦାଣ ପର୍ଯ୍ୟନ୍ତ ପାର୍ବଣର ଝଲକ ରହିବ । ହେଲେ କାର୍ତିକ ମାସ ମହାଦେବ ଶିବ ଓ ବିଷ୍ଣୁ ଭଗବାନଙ୍କ ମାସ ଭାବେ ପରିଗଣିତ ହୋଇଥିବାରୁ ଲୋକେ ଆମିଷ ଭୋଜନକୁ ନା’ କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ ପରିବା ଦର ଅସହ୍ୟ ହୋଇପଡ଼ିଛି । ଦର ଯାହା ହୋଇଛି, ତାହା ସହ୍ୟ କରିବା ସମସ୍ତଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ିଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ପ୍ରଚୁର ପରିମାଣରେ ପନିପରିବା ଅମଳ ହେଉଥିବା ବେଳେ ହିଞ୍ଜିଳିକାଟୁ ସହରରେ ପରିବା ଦର ଯଦି ଏଭଳି ଅସହ୍ୟ ହୋଇପଡ଼ିଛି, ତେବେ ଅନ୍ୟାନ ସହରରେ ପରିବା ଦର କିଭଳି ଥିବ ତାହା ସହଜେ ଅନୁମେୟ ।ଧର୍ମର ମାସ କାର୍ତିକ ମାସ ଚାଲିଥିବାରୁ ପ୍ରାୟତଃ ସମସ୍ତେ ସାଦା ଓ ନିରାମିଷ ଭୋଜନ ଗ୍ରହଣ କରିଥାନ୍ତି । ଏଥି ସକାଶେ ସମସ୍ତେ ପରିବା ଉପରେ ନିର୍ଭରଶୀଳ । ଗତମାସରେ ଲଗାଣ ବର୍ଷା ଫଳରେ ଖନ୍ଦ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହା କିଛି ବି ଅମଳ ହେଉଛି, ତାହା ବି ପୁଣି ଚାଷ ଜମି ନିକଟରୁ ହିଁ ଶେଷ ହୋଇଯାଉଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ରାଇକିଆ ଅଂଚଳରୁ ଯାହା ବି କିଛି ପନିପରିବା ଆସୁଛି ତାହାକୁ ବେପାରୀ ମାନେ ବିକ୍ରି କରୁଛନ୍ତି । ଧର୍ମର ମାସ କାର୍ତିକ ମାସ ଚାଲିଥିବାରୁ ପ୍ରାୟ ଲୋକଙ୍କ ଘରେ ଆମିଷ ପଶିବା ନିଷେଧ ହୋଇଯାଇଛି । ମନ୍ଦିରର ହବିଷାନ୍ନ ଭୋଜନକୁ ଲୋକେ ପସନ୍ଦ କରୁଛନ୍ତି । ଆମିଷକୁ ଲୋକେ ନା’ କରୁଥିଲେ ମଧ୍ୟ ଦର କମିନି । ଆମିଷ ଦର ସହିତ ସମକକ୍ଷ ହୋଇ ଏବେ ପରିବା ଦର ଚାଲିଥିବାରୁ ୫ଶହ ଟଙ୍କାରେ ମଧ୍ୟ ବ୍ୟାଗ ଭର୍ତି ହେଉନି । ଏଭଳି ପରିବା ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ଚିନ୍ତା ବଢିଯାଇଛି । ଅନ୍ୟପକ୍ଷରେ ଏଭଳି ଦରବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଅନ୍ୟ ଉପାୟ ନପାଇ ଦର ଅଧିକ ହେଲେ ମଧ୍ୟ କମ୍ ପରିମାଣର ପରିବା କିଣି ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି ।
ବିଗତ ଦିନ ଗୁଡ଼ିକରେ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାକୁ ହିଞ୍ଜିଳିକାଟୁ ଅଂଚଳରୁ ଯଥେଷ୍ଟ ପରିମାଣରେ ପନିପରିବା ରପ୍ତାନି ହେଉଥିଲା । ସ୍ଥାନୀୟ ବ୍ଳକର ଖରିଡ଼ା, ଆଲପୁର, ବୁରୁପୋଡ଼ା, ସିକିରି, ରାଳବ, ଖଣ୍ଡରା, ଚାନ୍ଦୁଲି ଅଂଚଳରୁ ପ୍ରଚୁର ପରିମାଣରେ ପନିପରିବା ଆମଦାନି ହୋଇ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତି ଅଂଚଳର ବିଭିନ୍ନଜ ଅଂଚଳରେ ବିକ୍ରି ହେଉଥିଲା । ଗତ ଅଗଷ୍ଟ ଓ ସେପ୍ଟମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀøୟ ଅଂଚଳର ପରିବା ଚାଷୀ ମାନେ ବେଶ କ୍ଷତିଗ୍ରସ୍ତ ହୋଇ ପଡ଼ିଛନ୍ତି । ଯଦ୍ୱାରା ବର୍ତମାନ ପରିବା ପାଇଁ ଏବେ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ଓ ଦର ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି ବୋଲି ସ୍ଥାନୀୟ ଅଂଚଳର ପରିବା ବ୍ୟବସାୟୀ ମାନେ କହିଛନ୍ତି । ଆଗାମି ଦିନରେ ସ୍ଥାନୀୟ ଅଂଚଳରେ ପରିବା ଆମଦାନି ପରେ ଦର କମିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବ୍ୟବସାୟୀ ଓ ଗ୍ରାହକ ମାନେ ଆଶା ବାନ୍ଧିଛନ୍ତି । ହିଞ୍ଜିଳିକାଟୁ ପରିବା ବଜାରରେ ଆଳୁ ଦର କିଲୋ ୩୮ରୁ ୪୦ ଟଙ୍କା ରହିଥିବା ବେଳେ ପିଆଜ ୮୦ରୁ ୮୫, ଟମାଟ ୪୦ରୁ ୪୫, ଫୁଲକୋବି ୮୦, ବିନ୍ସ ୧୨୦, ବନ୍ଧାକୋବି ୪୦, କଟିକି ୭୦, ଦେଶୀଆଳୁ ୫୦, କଖାରୁ ଓ ଭଣ୍ଡା ୩୦, ଭେଣ୍ଡି ୪୦ ଓ କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା କାର୍ତିକରେ ପୁଣି ବୃଦ୍ଧି ପାଇଛି । କହିବାକୁ ଗଲେ ପରିବା ଦର ସମସ୍ତଙ୍କୁ ନାକେଦମ କରି ପକାଇଛି ।


