ବାଲିଗୁଡାର ଅଧିକାଂଶ ଗ୍ରାମାଞ୍ଚଳ ଗଞ୍ଜେଇ ମାଫିଆଙ୍କ ପାଇଁ ପାଲଟିଛି ଭୁ-ସ୍ୱର୍ଗ : ଆଧୁନିକ ପଦ୍ଧତିରେ ଚାଲିଛି ଗଞ୍ଜେଇ ଚାଷ  

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧିକ ଫସଲ ଉତ୍ପାଦନ ହେବ, ଚାଷୀ ଅଧିକ ଲାଭବାନ ହେବେ। ଏଭଳି ଲକ୍ଷ୍ୟରେ ସଂପ୍ରତି ଶ୍ରୀ ପଦ୍ଧତି ପ୍ରଣାଳୀ ଚାଷକୁ ସରକାର ଗୁରୁତ୍ବ ଦେଉଛନ୍ତି । ଏଥି ନିମନ୍ତେ ଚାଷୀଙ୍କୁ ସବୁ ପ୍ରକାର ସାହାଯ୍ୟ ବି ଯୋଗାଇ ଦେଉଛନ୍ତି ସରକାର । ଧାନ ନୁହେଁ କି ଅନ୍ୟାନ୍ୟ ଚାଷ ନୁହେଁ । ଚଳିତ ବର୍ଷ କନ୍ଧମାଳରେ ଶ୍ରୀପଦ୍ଧତି ପ୍ରଣାଳୀରେ ଗଂଜେଇ ଚାଷ ହୋଇଥିବା ଦେଖିବାକୁ ମିଳିଛି । ୩ ଦିନ ଧରି ଗଂଜେଇ ଚାଷ ନଷ୍ଟ ଅଭିଯାନ ଚାଲିଥିବା ବେଳେ ସାମିଲ ଥିବା ପୁଲିସ ଓ ଅବକାରୀ ବିଭାଗର ଅଧିକାରୀ ଆଧୁନିକ ଶ୍ରୀପଦ୍ଧତିରେ ଗଛ ଲଗାଯାଇ ଥିବା ଦେଖି ତାଜୁବ ହୋଇ ପଡିଛନ୍ତି । ଜିଲ୍ଲାର ଫିରିଙ୍ଗିଆ,ଗୋଛାପଡା ଓ ବାଲିଗୁଡା ଥାନା ଇଲାକାରେ ପ୍ରତିବର୍ଷ ହଜାର ହଜାର ଏକର ଜାଗାରେ ଗଂଜେଇ ଚାଷ ହୋଇ ଆସୁଛି । ପୁଲିସ ଓ ଅବକାରୀ ବିଭାଗ ଗଂଜେଇ ଚାଷକୁ ନଷ୍ଟ କରୁଛନ୍ତି।ହେଲେ ଏତେ ପରିମାଣର ଗଞ୍ଜେଇ ଚାଷ ହେଉଛି ଯେ ଯେତେ କାଟି ନଷ୍ଟ କଲେ ବି ସରୁ ନାହିଁ । ଚଳିତ ବର୍ଷ ଗଂଜେଇ ଚାଷ ହେଉଥିବା ଅଞ୍ଚଳରେ ପ୍ରଥମ ଥର ପାଇଁ ବ୍ୟାପକ ଭାବେ ଚାଷ ହୋଇଥିବା ଜଣା ପଡିଛି । ଫିରିଙ୍ଗିଆ,ଗୋଛାପଡା ଓ ବାଲିଗୁଡା ଅଞ୍ଚଳରେ ପ୍ରତିବର୍ଷ ଗଂଜେଇ ଗଛ କଟା ସଫା କରି ଦିଆଯାଉଥିବାରୁ ମାଫିଆମାନେ ଏବେ ସାରଙ୍ଗଗଡ ଅଞ୍ଚଳକୁ ନିରାପଦ ସ୍ଥାନ ଭାବେ ଭାବି ନେଇଛନ୍ତି । ସାରଙ୍ଗଗଡ ଥାନା ଅଞ୍ଚଳରେ ୩ହଜାରରୁ ଉର୍ଦ୍ଧ୍ବ ଏକର ଜାଗାରେ ଗଂଜେଇ ଚାଷ ହୋଇଥିବା କୁହାଯାଉଛି । ସାରଙ୍ଗଗଡରେ ବିଭିନ୍ନ ଥାନା ଅଞ୍ଚଳରେ ତଥାକଥିତ ଚାଷୀ ଗଂଜେଇ ଚାଷ କରିଥିବାବେଳେ ସେମାନଙ୍କୁ ମାଫିଆମାନେ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି । ଏ ନେଇ ସାରଙ୍ଗଗଡ ପୁଲିସ ପାଖରେ ଖବର ଅଛି। ହେଲେ ଗଛକଟା ଅଭିଯାନ କଷ୍ଟଦାୟକ ହୋଇଥିବାରୁ ଏ ନେଇ ସାରଙ୍ଗଗଡ ପୁଲିସ ଏସପିଙ୍କୁ ଅବଗତ କରୁନଥିବା କୁହାଯାଉଛି । ସାରଙ୍ଗଗଡ ଥାନା ଅଞ୍ଚଳରେ ଗଂଜେଇ ଚାଷ ହେବା ନେଇ ଅବକାରୀ ବିଭାଗ ଅନ୍ଧାରରେ ଥିବା ଜଣାପଡିଛି । ଏ ନେଇ ଏସପି ତନାଘନା କରି ତୁରନ୍ତ ପଦକ୍ଷେପ ନେବା ସହ ସଂପୃକ୍ତ ଅଞ୍ଚଳରେ ଗଂଜେଇ ଗଛ କଟା ଅଭିଯାନକୁ ଗୁରୁତ୍ବ ଦେବାକୁ ଦାବି ହେଉଛି । କନ୍ଧମାଳରେ ଗଂଜେଇ ଚାଷ ଅମରାବତୀ ପାଲଟିଛି। ଗଂଜେଇ ଚାଷକୁ ବନ୍ଦ କରିବା ନିମନ୍ତେ ପ୍ରଶାସନ ଓ ପୁଲିସ ଉଦ୍ୟମ ଜାରି ରଖିଥିଲେ ବି ଗଂଜେଇ ଚାଷ କମିବା ବଦଳରେ ବର୍ଷକୁ ବର୍ଷ ବଢି ଚାଲିଛି। ମାଫିଆଙ୍କ ସହ କିଛି ଦୁର୍ନୀତିଗ୍ରସ୍ତ ଓ ଟଙ୍କାଖୋର ସରକାରୀ ବାବୁ,ପୁଲିସ ଓ ଅବକାରୀ ବିଭାଗର ଅନୁକମ୍ପା ରହୁ ଥିବାରୁ କନ୍ଧମାଳରୁ ଗଂଜେଇ ଚାଷ କମୁ ନଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ