ପରିମଳ କାର୍ଯ୍ୟରେ ବ୍ୟବହୃତ ଯାନବାହାନ ର ମରାମତି କରିବେ, ୨ ଟି ଆଇଟିଆଇ ର ଛାତ୍ରୀ ଛାତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଂଜାମ ଜିଲାରେ ଥିବା ୧୮ ସହରାଂଚଳରେ ପରିମଳ କାର୍ଯ୍ୟରେ ବ୍ୟବହୃତ ଯାନବାହାନ ଓ ସଂରଜାମ ର ମରାମତି ଓ ରକ୍ଷଣାବେକ୍ଷଣ ଏଣିକି ୨ ଟି ଆଇଟିଆଇ ର ଛାତ୍ରୀ ଛାତ୍ର କରିବେ । ସେଥିମଧ୍ୟରେ ବ୍ରହ୍ମପୁର ଓ ହଂଜିଳି ଆଇଟିଆଇ ରହିଛି । ଏଥିଲାଗି ଗୁରୁବାର ୨ ଆଇଟିଆଇ ପ୍ରିନ୍ସପାଲଙ୍କ ସହ ବ୍ରହ୍ମପୁର ମହାନଗର ନିଗମ, ହିଂଜିଳି ମ୍ୟୁନିସିପାଲିଟି ଓ ୧୬ ଏନଏସି ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷାରିତ ହୋଇଛି । ଏନେଇ ଭୁବନେଶ୍ୱର ରୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ରାଜ୍ୟ ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ୍ ପ୍ରମୁଖ ଯୋଡି ହୋଇଥିଲେ । ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ୍ ହଲରେ ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଠାରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କ ଉପସ୍ଥିତିରେ ୨ ଆଇଆଟିଆଇ ପ୍ରିନ୍ସପାଲଙ୍କ ସହ କମିଶନର, ହିଂଜିଳି ମ୍ୟୁନିସିପାଲିଟି ଓ ୧୬ ଏନଏସି ନିର୍ବାହୀ ଅଧିକାରୀମାନଙ୍କ ସହ ଏମଓୟୁ ସ୍ୱାକ୍ଷାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ସହରାଂଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ହଂଜିଳି ଆଇଟିଆଇ ର ପ୍ରିନ୍ସପାଲ ରାଜେଶ ତ୍ରିପାଠୀ, ଛତ୍ରପୁର ଏନଏସି ନିର୍ବାହୀ ଅଧିକାରୀ ଏନ୍.ଗଣେଷବାବୁ ଙ୍କ ସମେତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ମହାନଗର ନିଗମ, ଚିକିଟି, ବୁଗୁଡା, ଛତ୍ରପୁର, ଦିଗପହଣ୍ଡି, ଗଂଜାମ , ଗୋପାଳପୁର, ଖଲିକୋଟ, ରମ୍ଭା ଓ ସୋରଡା ଏନଏସିରେ ପରିମଳ କାର୍ଯ୍ୟ, ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଂଟରେ ନିୟୋଜିତ ଯାନବାହାନ ଓ ବିଭିନ୍ନ ସଂରଜାମ ର ମରାମତି ଓ ରକ୍ଷଣାବେକ୍ଷଣ ବ୍ରହ୍ମପୁର ଆଇଟିଆଇ ର ଛାତ୍ରୀଛାତ୍ରମାନେ କରିବା ଲାଗି ଏମଓୟୁ ସ୍ୱାକ୍ଷାରିତ ହୋଇଛି । ସେହିପରି ହିଂଜିଳି ମ୍ୟୁନିସିପାଲିଟି, ଆସିକା, ବେଲଗୁଂଠା, କବିସୂର୍ଯ୍ୟନଗର, କୋଦଳା, ପୋଲସରା, ଭଂଜନଗର ଓ ପୁରୁଷୋତମପୁର ଏନଏସି ପରିମଳ କାର୍ଯ୍ୟ, ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଂଟରେ ନିୟୋଜିତ ଯାନବାହାନ ଓ ବିଭିନ୍ନ ସଂରଜାମ ର ମରାମତି ଓ ରକ୍ଷଣାବେକ୍ଷଣ ହିଂଜିଳି ଆଇଟିଆଇ ର ଛାତ୍ରୀଛାତ୍ରମାନେ କରିବା ଲାଗି ଏମଓୟୁ ସ୍ୱାକ୍ଷାରିତ ହୋଇଛି । ସୂଚନାଯୋଗ୍ୟ, ପରିମଳ କାର୍ଯ୍ୟରେ ବ୍ୟବହୃତ ଯାନବାହାନ ଓ ବିଭିନ୍ନ ସଂରଜାମ ଗୁଜୁରାଟ, ମହାରାଷ୍ଟ୍ର ଆଦି ରାଜ୍ୟ ମାନଙ୍କରୁ କିଣାଯାଇଥାଏ । ଏହାର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଓଡିଶାରେ ସର୍ଭିସ ସେଂଟର ନାହିଁ । ଏଥିସହ ମେକାନିକ୍ ବାହାର ରାଜ୍ୟରୁ ଆସି ଏଠାରେ ମରାମତି ଆଦି କାର୍ଯ୍ୟ କରିଥାନ୍ତି । ଏଣୁ ବିଳମ୍ବ ହୋଇଥାଏ ଏବଂ କାର୍ଯ୍ୟରେ ବ୍ୟାହାତ ସୃଷ୍ଟି ହୋଇଥାଏ । ଏଥିଲାଗି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ନେଇ ଏହି ନୂତନ ବ୍ୟବସ୍ଥା ର ଶୁଭାରମ୍ଭ କରାଯାଇଛି । ଅନକଲ୍ରେ ୨୪ ଘଂଟା ମଧ୍ୟରେ ଆଇଟିଆଇ ଛାତ୍ରୀ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସି ମାନଙ୍କରେ ବ୍ୟବହୃତ ଗାଡି, ସରଂଜାମ ର ମରାମତି କରିବେ ବୋଲି ସୂଚନା ଦିଆଯାଇଛି । ଏହାଫଳରେ ଉକ୍ତ ୨ ଆଇଟିଆଇ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଆଇଟିଆଇ ପାଠପଢା ପରେ ଆପ୍ରେଂଟିକ୍ସ ଟ୍ରେନିଂ ମିଳିପାରିବ । ପୂର୍ବରୁ କେବଳ ଶିଳ୍ପାନୁଷ୍ଠାନରେ ଆଇଟିଆଇ ପାଠପଢା ପରେ ପିଲାମାନଙ୍କୁ ଅପ୍ରେଂଟିକ୍ସ ଟ୍ରେନିଂ ମିଳିପାରୁଥିଲା । ଏଥିସହ ବରିଷ୍ଠ ଆଇଟିଆଇ ଛାତ୍ରୀଛାତ୍ରମାନେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହେବେ ବୋଲି କୁହାଯାଇଛି ।


