ପର୍ଯ୍ୟଟକ ଙ୍କ କାର ଧକ୍କା ରେ ଚାଲିଗଲା ଦମ୍ପତିଙ୍କ ଜୀବନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ କଲୋନୀ ସାହିର କାମଦେବ ଦିଗାଲ ଏବଂ ତାଙ୍କ ସ୍ତ୍ରୀ ଦିବିକା ଦିଗାଲ l ମୃତକଙ୍କ ପରିବାର କ୍ଷତି ପୁରଣ ଦାବି କରିଛନ୍ତି। ପ୍ରକାଶ ଯେ, କାମଦେବ ଏକ ବାଇକ୍‌ କିଣି ବାଲିଗୁଡ଼ାରୁ ନିଜ ଗ୍ରାମକୁ ଫେରୁଥିଲେ। ଗାଁ ଠାରୁ ମାତ୍ର ୩ କି.ମି ଦୂରରେ ବିପରୀତ ଦିଗ ବ୍ରହ୍ମପୁରରୁ ବଲାଙ୍ଗୀର ପୁଇଁତଳାକୁ ଯାଉଥିବା ଏକ କାର ସହ ଧକ୍କା ହୋଇ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତିଙ୍କ ଜୀବନ ଚାଲିଯାଇଥିଲା। ଘଟଣାକୁ ନେଇ ପୋଲିସ କାର ଚାଳକଙ୍କୁ ଗିରଫ କରିବା ସହ କାର ଜବତ କରିଛି। ଦମ୍ପତିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ