ପଲିଥିନ୍ରେ ବନ୍ଧାହୋଇ ନଦୀପାର ହୁଅନ୍ତି ସ୍କୁଲ ପିଲା

ଭିଏତ୍ନାମର ହୁଓଇ ହୋ, ଏକ ଛୋଟିଆ ଗାଁ । ଏଠି ପହଞ୍ଚିପାରିନାହିଁ ସରକାରଙ୍କର କୌଣସି ପ୍ରକାର ଯୋଜନା । ତଥାପି ସେମାନେ ଏତିକି ଭଲଭାବେ ଅବଗତ ଯେ, ଜୀବନରେ ଶିକ୍ଷାର ଆବଶ୍ୟକ ବହୁତ ରହିଛି । ତେଣୁ ନିଜ ଗାଁରେ ବିଦ୍ୟାଳୟ ନ ଥିଲେ ବି ଅନ୍ୟ ଗ୍ରାମର ବିଦ୍ୟାଳୟକୁ ପିଲାଙ୍କୁ ପଢ଼ିବାକୁ ଛାଡିଥାଆନ୍ତି । କଥା ସେତିକିରେ ସୀମିତ ନୁହେଁ, ଯେଉଁ ବିଦ୍ୟାଳୟକୁ ପିଲାମାନେ ଯାଆନ୍ତି ସେଠାକୁ ପହଞ୍ôଚବା ଲାଗି ରାସ୍ତା ନାହିଁ । ଅଛି ଏକ ନଦୀ, ଯାହାକୁ ପାର୍ ହେବାକୁ ପଡ଼ିଥାଏ । ନଦୀରେ ଡଙ୍ଗାର ସୁବିଧା ବି ନାହିଁ । ବାଉଁଶକୁ ବାଉଁଶ ବନ୍ଧାଯାଇ ଡଙ୍ଗା ଭଳି କରାଯାଇଥାଏ । ତାରି ଉପରେ ଠିଆ ହୋଇ ପିଲାମାନେ ନଦୀ ପାର ହୁଅନ୍ତି । ତେବେ ବର୍ଷାଦିନ ଆସିଲେ ତାକୁ ବି ବ୍ୟବହାର କରି ହୁଏନା । କାରଣ ବନ୍ୟା ଜଳ ଆସିଯିବାରୁ ଜଳର ସ୍ରୋତ ପ୍ରଖର ହୋଇଯାଏ । ଆଉ ସେଥିରେ ନଦୀ ପାର ହେବା ବିପଜ୍ଜନକ ହୋଇଯାଏ । ତେଣୁ ସେମାନେ ଏକ ଭିନ୍ନ ଉପାୟ ଆପଣେଇଥାଆନ୍ତି । ସେ ହେଉଛି ନଦୀକୂଳରେ ଜଣ ଜଣ କରି ପିଲାଙ୍କୁ ଏକ ବଡ ପଲିଥିନ୍ ଭିତରେ ପୂରାଇ ଦିଆଯାଏ । ଆଉ ତା’ର ମୁହଁ ବନ୍ଦ କରି ତା’କୁ ଜାବୁଡି ଧରି ପହଁରା ଜାଣିଥିବା ଗାଁର ବଳିଷ୍ଠ ବ୍ୟକ୍ତି ଜଳରେ ସେହି ପଲିଥିନ୍କୁ ଟାଣି ଟାଣି ନଦୀ ପାର କରାନ୍ତି । ଏଥିରେ ବି ବିପଦ ଭରି ରହିଥାଏ । ଟିକେ ଏପଟ ସେପଟ ହେଲେ ମୃତ୍ୟୁ ସୁନିଶ୍ଚିତ । ତଥାପି ଏହିଭଳି ଭାବେ ପ୍ରାୟ ୫୦ ଜଣ ପିଲା ନଦୀ ପାର୍ ହୁଅନ୍ତି । ସବୁ ପିଲା ଧାଡି ହୋଇ ଠିଆହୋଇ ଅପେକ୍ଷା କରି ଥାଆନ୍ତି ନିଜ ପାଳିକୁ । ଏତେ ବିପଦ ଥିବା ସତ୍ତେ୍ୱ ତାକୁ ଖାତିର୍ ନ କରି ମା’ବାପା ଛାତିରେ ପଥର ରଖି ପିଲାଙ୍କୁ ଏମିତି ଭାବେ ନଦୀ ପାର୍ କରାଇ ବିଦ୍ୟାଳୟ ପଠାନ୍ତି । ଏହି ପିଲାଙ୍କ କଷ୍ଟ ଏତିକିରେ ସରି ନ ଥାଏ । ନଦୀ ପାର୍ ହେବା ପରେ ପ୍ରାୟ ୫ ଘଣ୍ଟାର ତଥା ପ୍ରାୟ ୧୫ କି.ମି. ସେମାନଙ୍କୁ ଚାଲିବାକୁ ହୁଏ । ସେପୁଣି ପାଣି କାଦୁଅ ଭରା ଖସଡ଼ା ଓ ଜଙ୍ଗଲ ରାସ୍ତାରେ । ଗମନାଗମନର ଏହି ଅସୁବିଧା ଯୋଗୁ ପିଲାମାନେ ସ୍କୁଲରେ ରହିଯାଆନ୍ତି । ଆଉ ପ୍ରତି ଶନିବାର ଘରକୁ ଫେରନ୍ତି । କିନ୍ତୁ କେହି ପଢ଼ା ବନ୍ଦ କରିନାହାନ୍ତି । ପିଲାଙ୍କ ଭିତରେ ପଢ଼ିବାର ଏହି ଆଗ୍ରହ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ