ପଳସିଂହା ଗ୍ରାମପଂଚାୟତ ଲିଭଷ୍ଟକ ଏଡ ସେଂଟର ନିର୍ମାଣ ଦୁର୍ନିତୀର ତଦନ୍ତ ଦାବୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମପଂଚାୟତ ପକ୍ଷରୁ ଲିଭଷ୍ଟକ ଏଡ ସେଂଟର ନିର୍ମାଣ ଦୁର୍ନିତୀର ତଦନ୍ତ ଦାବୀ କରାଯାଇଛି । ଗୁରୁବାର ପଂଚାୟତର ଅଧିବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏହି ଦୁର୍ନିତୀର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ପଳସିଂହା ପଂଚାୟତରେ ଲିଭ ଷ୍ଟକ ଏଡ ସେଂଟର ନିର୍ମାଣ ପାଇଁ ୪ଲକ୍ଷ ୨୫ହଜାର ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା । ଏହି ସେଂଟର ନିର୍ମାଣ ନିମନ୍ତେ ପଳସିଂହା ମୈାଜାର ସଂରକ୍ଷିତ ଖାତା ନମ୍ବର ୧୦୭୬ ଓ ପ୍ଲଟ ନମ୍ବର ୧୧୭୯ ଏରିଆ ଏ ୦.୦୧ ଡିସିମିଲ କିଷମ ଘରବାରୀ ଉପରେ ନିର୍ମିତ ହୋଇଥିବା ପଳସିଂହା ଗ୍ରାମର ମହେନ୍ଦ୍ର ମଳିକ ସୂଚନା ଅଧିକାର ଆଇନରେ ବ୍ଲକ ରେକର୍ଡରୁ ପାଇଥିବା ତଥ୍ୟରୁ ଜଣାପଡିଛି । ଏହି କାର୍ଯ୍ୟଟି ବ୍ଲକର ତତକାଳୀନ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ସାହୁଙ୍କ ନାମରେ ଗତ ତା ୨୭.୧୨.୨୦୧୦ରିଖରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟ ନିମନ୍ତେ ପ୍ରଥମ କିସ୍ତି ବାବଦ ଗତ ତା ୯.୦୩.୨୦୧୬ରିଖରେ ୨ଲକ୍ଷ ୨୧ହଜାର ୬୮୫ଟଙ୍କା ଅଗ୍ରୀମ ଉଠାଯାଇଛି । ଦ୍ୱିତୀୟ କିସ୍ତିରେ ଗତ ତା ୯,୦୧.୨୦୧୭ରିଖରେ ୧ଲକ୍ଷ ୧୬ହଜାର ୯୯୮ଟଙ୍କା ଅଗ୍ରୀମ ଉଠାଯାଇଥିବା ବେଳେ ଗତ ତା ୬.୧୦.୨୦୧୭ରିଖରେ ଅନ୍ୟଜଣେ ତତକାଳୀନ କନିଷ୍ଠ ଯନ୍ତ୍ରୀ ନାରାୟଣ ରଣାଙ୍କ ନାମରେ କାର୍ଯ୍ୟାଦ୍ଦେଶ ପରିବର୍ତ୍ତନ କରାଯାଇ ୮୬ହଜାର ୩୮୭ଟଙ୍କା ଉଠାଯାଇଥିବା ସୂଚନା ଅଧିକାର ଆଇନରେ ବ୍ଲକରୁ ମିଳିଥିବା ତଥ୍ୟରୁ ଜଣାପଡିଛି । କିନ୍ତୁ ଏହି ନିର୍ମାଣ ପାଇଁ ପ୍ରଦାନ କରାଯାଇଥିବା କାର୍ଯ୍ୟାଦ୍ଦେଶରେ ଉଲ୍ଲେଖଥିବା ପଳସିଂହା ମୈାଜାର ଖାତା ନମ୍ବର ୧୦୭୬ ଓ ପ୍ଲଟ ନମ୍ବର ୧୧୭୯ ଉପରେ କୈାଣସି ଗୃହ ନଥିବା ଅଭିଯୋଗ ହୋଇଛି । ତେଣୁ ଏହି ୪ଲକ୍ଷ ୨୫ହଜାର ଟଙ୍କା ସରକାରୀ ଅନୁଦାନ ଅର୍ଥକୁ ମିଥ୍ୟା ବିଲ ପ୍ରସ୍ତୁତ କରାଯାଇ ହଡପ କରାଯାଇଥିବା ଯୋଗୁଁ ଏଥିନିମନ୍ତେ ଦାୟୀ ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ସାହୁ ଓ ନାରାୟଣ ରଣା,ପୂର୍ବତନ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ,ପୂର୍ବତନ ବିଡିଓ କିଶୋର ଚନ୍ଦ୍ର ସ୍ୱାଇଁ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିବେଦିତା ସାମଲଙ୍କ ବିରୋଧରେ ଦୃଢ କାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି । ଏହି ପଂଚାୟତଟି ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାମଲଙ୍କ ନିଜ ପଂଚାୟତ ହୋଇଥିବାରୁ ଏଠାରେ ହଡପ ହୋଇଥିବା ସମସ୍ତ ସରକାରୀ ଅର୍ଥ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ଓ ସହଯୋଗରେ ହୋଇଛି ବୋଲି ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ସେହି କେଶ ରେକର୍ଡକୁ ଜବତ କରାଯିବା ସହ ସଂପୃକ୍ତ ସ୍ଥାନକୁ ପରିଦର୍ଶନ ପୂର୍ବକ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଏଭଳି ମହାଦୁର୍ନିତୀ ପାଇଁ ଦାୟୀ ସମସ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋରରୁ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ଶରତ ଚନ୍ଦ୍ର ବିଶ୍ୱାଳ,ମହେନ୍ଦ୍ର କୁମାର ମଳିକ,ଶଶୀକାନ୍ତ ମଳିକ,ଭିକାରୀ ପରିଡା,ଗୋପବନ୍ଧୁ ସେଠୀ,ବସନ୍ତ ସେଠୀ,ରଶ୍ମୀତା ସେଠୀ,ଚାନ୍ଦିନୀ ସେଠୀ,ରାମଚନ୍ଦ୍ର ବେହେରା,ମଦନମୋହନ ସେଠୀ,ଜଗବନ୍ଧୁ ପଲାଇ,ଖଗେଶ୍ୱର ମଳିକ,ବିଚିତ୍ର ନାୟକ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅଭିଯୋଗକାରୀମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ