ପଳସିଂହା ପଂଚାୟତରେ ଗଣକବି ଗୋପାଳ ଦାଶଙ୍କ ୧୪୪ତମ ଜୟନ୍ତୀ ପାଳିତ
କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଗଣକବି ଗୋପାଳ ଦାଶଙ୍କ ୧୪୪ତମ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗଣକବି ଗୋପାଳ ଦାଶ ସ୍ମୃତି ସଂସଦର ସଭାପତି ନିତ୍ୟାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ଉତ୍ସବରେ ସଂଗୀତକାର ବିମଳ କିଶୋର ପରିଡା,ମୁଖ୍ୟବକ୍ତା ଭାବେ ଜଗଦାନନ୍ଦ ଜେନା ଓ ସମ୍ମାନୀତ ଅତିଥି ଭାବେ ପଳସିଂହା ସରପଂଚ କାଦମ୍ବିନୀ ମହାପାତ୍ର ପ୍ରମୁଖ ଯୋଗଦେଇ ଗଣକବି କେବଳ କେନ୍ଦ୍ରାପଡାରେ ନୁହେଁ ବଙ୍ଗ,ବିହାର ଏବଂ ଓଡିଶାରେ ତାଙ୍କର ଉତ୍କର୍ଷ କଳାନୈପୂର୍ଣ୍ଣ୍ୟତା ପାଇଁ ପ୍ରସିଦ୍ଧି ଅର୍ଜ୍ଜନ କରିଥିଲେ । ତାଙ୍କର ପିତା କହ୍ନେଇ ଦାସ ଜଣେ ସଫଳ ଲେଖକ ଓ ଅଭିନେତା ଥିଲେ । ଗଣକବିଙ୍କ ମା’ ଜେମା ଦେଇ ଜଣେ ଧର୍ମ ପରାୟଣ ମହିଳା ଥିଲେ । ସେ ବୃନ୍ଦାବନଜୀଉଙ୍କ ଆଶ୍ରିତ ଥିଲେ । ପିତିମାତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୧୨ବର୍ଷ ବୟସରେ ଗଣକବି ଗୋପାଳ ଦାଶ ନାରଦ ଭୂମିକାରେ ଅଭିନୟ କରି କଳା ସାମ୍ରାଜ୍ୟରେ ପ୍ରଥମେ ପାଦ ଥାପିଥିଲେ ୧୮୯୦ ମସିହାରେ ।
୧୮୯୮ ମସିହାରେ ନିଜେ ଯାତ୍ରା ଦଳ ଗଢି ୧୯୩୮ ମସିହା ପର୍ଯ୍ୟନ୍ତ ନୀରବଛିନ୍ନ ଭାବରେ ବିଭିନ୍ନ ସ୍ଥାନରେ ଯାତ୍ରା ବା ଗୀତାଭିନୟ ପରିବେଷଣ କରି ଜନମାନସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ରାଜା ଭୂମିକାରେ ଅଭିନୟ କରି ବଡକୋଠାର ପ୍ରତିଷ୍ଠିତ ଜମିଦାର ଭ୍ରମରବର ରାୟଙ୍କ ସଦିଛାରୁ ତାଙ୍କ ରାଜଦରବାରରେ ରାଜା ଭାବରେ ସମ୍ମାନୀତ ହୋଇଥିଲେ । ସେ ପ୍ରାୟ ୭୦ଟି ଗୀତାଭିନୟ ଓ ସୁଆଙ୍ଗ ରଚନାକରି ନିଜ କବିତ୍ୱର ପରାକାଷ୍ଠା ପ୍ରତିପାଦନ କରିଯାଇଛନ୍ତି । ସେ ଆଜି ନାହାଁନ୍ତି ସତ କିନ୍ତୁ ତାଙ୍କର କାଳଜୟୀ ସୃଷ୍ଟି ତାଙ୍କୁ ଯୁଗେ ଯୁଗେ କାଳେ କାଳେ ଅମର କରି ରଖିଥିବ । ସେ ରାଜକୀୟ ଢାଁଚାରେ ଛଲିବାକୁ ପସନ୍ଦ କରୁଥିବା ବେଳେ କୋଠାଘର ନହେଲେବି ମାଟିର ଦ୍ୱିତଳ ଘରେ ରାଜକୀୟ ଶୈଳିରେ ରହୁଥିଲେ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ । ପଣ୍ଡିତ ପଦ୍ମନାଭ ଦାଶ ମଂଚ ପରିଚାଳନା କରିଥିବା ବେଳେ ଯୁବନେତା ଅଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ମୃତି ସଂସଦର ସମସ୍ତ ସାଦସ୍ୟଙ୍କ ସମେତ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।