ପଳସିଂହା ପଞ୍ଚାୟତ ସମିତି ସଭ୍ୟଙ୍କ ଦରଖାସ୍ତ ଉପରେ ବିଡିଓ କେନ୍ଦ୍ରାପଡା ଓ ରାଜନଗରଙ୍କୁ ଆର୍ଥିକ ବର୍ଷ ପୁଷ୍କରିଣୀର ଚେକ ମେଜର ମେଂଟ କରିବାକୁ ଡିଆରଡିଏ ପିଡିଙ୍କ ନିର୍ଦେଶ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗତ ୨୦୧୫-୧୬ ଆର୍ଥିକ ବର୍ଷର ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ପଞ୍ଚାୟତ ସମିତି ଅଂଶରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଞ୍ଚାୟତରେ ଖୋଳା ଯାଇଥିବା ଏବଂ ପୁନରୁଦ୍ଧାର ହୋଇଥିବା ୩ଟି ପୁଷ୍କରିଣୀର ଚେକ ମେଜର ମେଂଟ କରି କାର୍ଯ୍ୟ ନିର୍ବାହୀଙ୍କୁ ବିଲ ପେମେଂଟ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା କେନ୍ଦ୍ରାପଡା ଓ ରାଜନଗର ବିଡିଓଙ୍କୁ ନିର୍ଦେଶ ଦେଇଥିବା ଘଟଣା ସରକାରଙ୍କ ନୀତି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଥିବା ଦେଖାଯାଇଛି । ଅଭିଯୋଗ ଅନୁଯାଇ ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ପଳସିଂହା ପଞ୍ଚାୟତର ରାମ ଅଭିଷେକ ପୁଷ୍କରିଣୀ ଖନନ ପାଇଁ ୪ଲକ୍ଷ ଟଙ୍କା ଓ କାଳିଦଣ୍ଡା ପୁଷ୍କରିଣୀ ଖନନ ପାଇଁ ୩ଲକ୍ଷ ଟଙ୍କା ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ମଞ୍ଜୁର କରାଯାଇଥିଲା । ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ପଞ୍ଚାୟତ ସମିତି ଅଂଶରୁ ଗରଜଙ୍ଗା ଗ୍ରାମର ଧିରେନ୍ଦ୍ର ଦାସଙ୍କ ଘର ପାଖରେ ଥିବା ପଞ୍ଚାୟତ ପୋଖରୀର ପୁନରୁଦ୍ଧାର ଓ ଗାଧୁଆତୁଠ ନିର୍ମାଣ ନିମନ୍ତେ ୩ଲକ୍ଷ ୩୦ହଜାର ଟଙ୍କା ମଞ୍ଜୁର ହୋଇଥିଲା । ସେ ସମୟରେ ଏହିସବୁ ପ୍ରକଳ୍ପର କାର୍ଯ୍ୟ କରା ନଯାଇ ମିଥ୍ୟା ବିଲ କରିନେବାକୁ ଉଦ୍ୟମ କରାଯାଉଥିବା ବେଳେ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଅଭିଯୋଗ ହେବାରୁ ତତକାଳିନ ବ୍ଲକ ସହକାରୀ ଯନ୍ତ୍ରୀ ଚେକ ମେଜର ମେଂଟ କରିନଥିଲେ । ଫଳରେ ସେହି ୩ଟି ପ୍ରକଳ୍ପର ବିଲ ପେମେଂଟ ହୋଇପାରିନଥିଲା । ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କ ଏକ ସଡକ ଦୂର୍ଘଟଣାରେ ବିୟୋଗ ହୋଇଯିବା ପରେ ଏବେ ସେହି ୩ଟି ପ୍ରକଳ୍ପର ବିଲ କରାଇନେବାକୁ ଯୋଜନା ଚାଲିଛି । ବର୍ତ୍ତମାନର ପଳସିଂହା ପଞ୍ଚାୟତର ସମିତିସଭ୍ୟ ଶିବ ପ୍ରସାଦ ଭଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ୨୦୨୦ମସିହାରେ ଏକପତ୍ର ଲେଖି ଉପରୋକ୍ତ ୩ଟି ପ୍ରକଳ୍ପର ଚେକ ମେଜର ମେଂଟ କରାଇବାକୁ ନିବେଦନ କରିଥିଲେ । ଏଥିସହିତ କେନ୍ଦ୍ରାପଡା ବିଡିଓଙ୍କ ଠାରୁ ପତ୍ର ସଂଖ୍ୟା ୨୯୦୫ ତା ୨.୦୭.ରିଖରେ ପିଡିଙ୍କୁ ଏହି ପ୍ରକଳ୍ପ ଗୁଡିକର ଚେକ ମେଜର ମେଂଟ କରାଯାଇ ବିଲ ପେମେଂଟ କରାଯିବାକୁ ଅନୁମତି ମଗାଯାଇଥିଲା । ସେହି ପତ୍ରର ଉତ୍ତରରେ ପିଡି ପତ୍ର ସଂଖ୍ୟା ୨୪୧୪ ତା ୮.୦୭.୨୦୨୦ରିଖରେ କେନ୍ଦ୍ରାପଡା ବିଡିଓଙ୍କୁ ୨୦୧୫-୧୬ ବର୍ଷର ୩ଟି ପୁଷ୍କରିଣୀ ପ୍ରକଳ୍ପର ଚେକ ମେଜର ମେଂଟ ବର୍ତ୍ତମାନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା କରାଇ ସଂପୃକ୍ତ କାର୍ଯ୍ୟ ନିର୍ବାହୀଙ୍କୁ ବିଲ ପେମେଂଟ କରିବାକୁ ନିର୍ଦେଶ ଦେଇଥିବା ସୂଚନା ଅଧିକାର ଆଇନରେ ପ୍ରାପ୍ତ ତଥ୍ୟରୁ ଜଣାପଡିଛି । ଖାଲି ସେତିକି ନୁହେଁ ପିଡି ରାଜନଗର ବିଡିଓଙ୍କୁ ପତ୍ର ସଂଖ୍ୟା ୫୧୮ ତା ୨୪.୦୧.୨୦୨୦ରିଖରେ ଏକ ପତ୍ର ଲେଖି ତତକାଳିନ କେନ୍ଦ୍ରାପଡା ବ୍ଲକର ଜିପିଟିଏ ଯିଏକି ବର୍ତ୍ତମାନ ସେହି ବ୍ଲକରେ ଥିବା ଜି.ପି.ଟି.ଏ. ପ୍ରତାପ କୁମାର ସାହୁଙ୍କୁ ସେହି ୩ଟି ପ୍ରକଳ୍ପରେ ସମ୍ପୂର୍ଣ୍ଣ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ୩ବର୍ଷ ପରେ କିଭଳି ୩ଟି ଆର୍ଥ ୱାର୍କର ଚେକ ମେଜର ମେଂଟ କରାଯାଇ ବିଲ ପେମେଂଟ କେଉଁ ସରକାରୀ ନୀତି ନିୟମରେ କରାଯିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ସମସ୍ତ ଆଇନ,କାନୁନକୁ ଜଳାଞ୍ଜଳି ଦିଆଯାଇ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୩ବର୍ଷ ପରେ ୩ଟି ଆର୍ଥ ୱାର୍କର ମାପ, ପରିମାପ କରାଯାଇ ବିଲ ପ୍ରସ୍ତୁତ ହୋଇ ପ୍ରଦାନ କରାଯିବ ତାହା ତଦନ୍ତ ସାପେକ୍ଷ ।


