ପଶୁ ଚିକିତ୍ସାଳୟରେ ୨୪ଘଣ୍ଟା ସେବା ଯୋଗାଇବା ଦାବି କଲେ ବ୍ରହ୍ମପୁର ବୁଦ୍ଧିଜୀବୀ

ବ୍ରହ୍ମପୁର, (ଅନିଲ କୁମାର):ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ୨୪ଘଣ୍ଟା ସେବା ଯୋଗାଇବା ସହ ଚିକିତ୍ସାରେ ଅବହେଳା କରୁଥିବା କିଛି ଅସାଧୁ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଔଷଧର ବାଟମାରଣା,ହରିଲୁଟ ବିରୁଦ୍ଧରେ ଆଜି ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରାଙ୍କୁ ସହରର କିଛି ବୁଦ୍ଧିଜୀବୀ ଓ ପଶୁପ୍ରେମୀ ଘେରାଉ କରିବାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ବ୍ରହ୍ମପୁର ଭଳି ସହରରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ନାନା ପ୍ରକାର ସମସ୍ୟା ସୃଷ୍ଟି ହେବାସହ ପଶୁ ଚିକିତ୍ସାରେ ଗୁରୁତର ଅବହେଳା ଦେଖାଯାଉଛି l ଅସହାୟ ଅବସ୍ଥାରେ କୌଣସି ପଶୁ କୁ ରାଜରାସ୍ତା ରେ ପଡ଼ିଥିବା ଦେଖି ଯଦି କୌଣସି ବ୍ୟକ୍ତି ଡାକ୍ତରଙ୍କୁ ସୂଚନା ଦିଅନ୍ତି ତାହାହେଲେ,ଯିଏ ଫୋନ କଲ୍ କରିଥିବ ତାଙ୍କୁ ହିଁ ଲୋକ ଯୋଗାଡ଼ କରି ଉକ୍ତ ଦୁର୍ଘଟଣାଗ୍ରସ୍ତ ପଶୁ ଟିକୁ ଆଉ ଏକ ସୁରକ୍ଷିତ ଯାଗାକୁ ଆଣିବାକୁ କୁହାଯାଉଛି ଓ ଆମ୍ବୁଲାନ୍ସରେ ଯାଇଥିବା ପଶୁ ଡାକ୍ତର ଓ କର୍ମଚାରୀମାନେ ଉକ୍ତ ସ୍ଥାନରେ ପହଂଚୁଛନ୍ତି ଅଥଚ କର୍ମଚାରୀମାନେ ପଶୁ ଟିକୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ଆଗକୁ ଆସୁନାହାନ୍ତି l ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ୧୯୬୨କୁ ଫୋନ କଲେ ସକାଳ ୬ଟା ରେ ଫୋନ କଲେ ମଧ୍ୟାହ୍ନ ୧୨ ଟା ରେ କର୍ମଚାରୀମାନେ ପହଂଚୁଛନ୍ତି ଓ ହସ୍ପିଟାଲ କର୍ମଚାରିଙ୍କୁ ବା ଡାକ୍ତରଙ୍କୁ ଫୋନ୍ କଲେ କେହି ଆସିପାରିବୁ ନାହିଁ, ଟୋଲ ଫ୍ରି କୁ ଜଣାନ୍ତୁ ବୋଲି କହି ଫୋନ୍ କାଟିଦେଉଛନ୍ତି l ଅପରାହ୍ନ ୨ଟାରୁ ୪ଟା ଯାଏଁ ପଶୁ ଚିକିତ୍ସାଳୟରେ କେହି ଡାକ୍ତର ବା କର୍ମଚାରୀ ରହୁନାହାନ୍ତି ଓ ରାତିରେ ସମ୍ପୂର୍ଣ ଭାବେ ହସ୍ପିଟାଲକୁ ବନ୍ଦ କରିଦିଆଯାଉଛି l ସହରରେ ପୁରୁଣା ବ୍ରହ୍ମପୁର,ଲଞ୍ଜିପଲ୍ଲୀ,ଖୋଡାସିଙ୍ଗ,ଆଙ୍କୁଲି, ଆସିକା ରୋଡ଼ ଆଦି ଭିନ୍ନ ଭିନ୍ନ ଅଂଚଳ ପାଇଁ ୫ଜଣ L.I ଅଛନ୍ତି,କିନ୍ତୁ ସେମାନେ ମେଡିକାଲକୁ ଆସୁଥିବା ଔଷଧ ଗୁଡିକୁ ବାହାରେ ବିକ୍ରି କରି ପକେଟ୍ ଖର୍ଚ୍ଚ କାଡିବାରେ ଲାଗିଛନ୍ତି I ସିଡିଭିଓ ଡାକ୍ତର ଦେବରାଜ ବେହେରା,ଏସଡିଭିଓ ଡାକ୍ତର ଅରବିନ୍ଦ ବେହେରା, ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର କିରଣ ବିଶୋଇ ମେଡିକାଲରେ ରହନ୍ତି ଓ ଆମ୍ବୁଲାନ୍ସରେ ଡାକ୍ତର ଷଡଙ୍ଗୀ ରହୁଛନ୍ତି କିନ୍ତୁ ଡାକ୍ତର ଷଡ଼ଙ୍ଗୀ ପିଅନ ମାନଙ୍କ ଦ୍ଵାରା ଇଞ୍ଜେକସନ ଓ ସାଲାଇନ ଦେଇ ସେ କେବଳ ଛିଡା ହୋଇ ନିର୍ଦ୍ଧେଶ ଦିଅନ୍ତି l ଗତ ତା.୨୦ତାରିଖରେ ପିଅନ ପ୍ରଣବ ପ୍ରଶାଦ ରାଓ ଓ ବିଜୁ ଲେଙ୍କା ଷଣ୍ଢ ଟିକୁ ସାଲାଇନ ଦେବା ପାଇଁ ଶିରା ଖୋଜି ଖୋଜି ପଚାଶ ଜାଗାରେ ଫୋଡି ତାର ଅଧାପ୍ରାଣ ନେଇଗଲେ ଶେଷରେ ଏହି ଡାକ୍ତର ଓ କର୍ମଚାରୀଙ୍କ ଗୁରୁତର ଚିକିତ୍ସାଗତ ଅବହେଳା ଯୋଗୁଁ ଉକ୍ତ ଷଣ୍ଢ ଟି ମୃତ୍ୟୁ ର ଶିକାର ହେଲା l ହସ୍ପିଟାଲରେ ପୁଲର ମେସିନ, ଦୁଇଟି ଆମ୍ବୁଲାନ୍ସ ଓ ଆଧୁନିକ ସରଞ୍ଜାମର ଅଭାବରେ ନାନା ସମସ୍ୟା ଦେଖାଯାଉଛି I ତୁରନ୍ତ ଏଗୁଡିକ ଯୋଗାଇବା ନିହାତି ଆବଶ୍ୟକ ରହିଛି l ଅଞ୍ଚଳ ଅନୁଯାୟୀ ନିୟୋଜିତ LI ମାନଙ୍କ ଫୋନ ନଂ. ସର୍ବସାଧାରଣରେ ପ୍ରକାଶ କରାଯିବାର ନିହାତି ଆବଶ୍ୟକତା ରହିଛି Iଏହି ସମସ୍ତ ପ୍ରମୁଖ ୭ ଗୋଟି ସମସ୍ୟାର ତୁରନ୍ତ ସମାଧାନ ସହ ଡାକ୍ତରଙ୍କ ଏପ୍ରକାର ଚିକିତ୍ସାଗତ ଅବହେଳା ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ଔଷଧ ବାଟମାରଣା ଓ ଉପଲବ୍ଧ ଥିବା ପୁଲର ମେସିନ ଆଦି ସୁବିଧା ନ ଯୋଗାଇବା ଆଦି ଗୁରୁତର ଅବ୍ୟବସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l ସହରର ଜଣାଶୁଣା ସମାଜସେବୀ ମନୋଜ କୁମାର ତରାଇଙ୍କ ନେତୃତ୍ୱରେ ଆଜିର ଏହି ବିକ୍ଷୋଭରେ ରୋନାଲି ପାଣିଗ୍ରାହୀ, ବିଷ୍ନୁପ୍ରିୟା ପାତ୍ର,ଏସ. କେଶବ ଲିଙ୍ଗମ,ମାଗୁଣି ନାହାକ,ଆର. ସତ୍ୟ ନାରାୟଣ ରାଓ,ଗଗନ ଚନ୍ଦ୍ର ମଲ୍ଲିକ,ହୃଷିକେଶ ପାତ୍ର,ନୀଳାଞ୍ଚଳ ନନ୍ଦ,ରାମ ପାତ୍ର, ବିଶ୍ଵଦେବ,ଗୌରୀ ଶଙ୍କର ମହାନ୍ତି, କେଦାର ନାଥ ପଣ୍ଡା,କୃଷ୍ଣ ଚନ୍ଦ୍ର ସେଠୀ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ରାଜେଶ କୁମାର ସାହୁ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଅଂଶ ଗ୍ରହଣ କରିଥିଲେ l ଶେଷରେ ଏହାର ଏକ ଅବିକଳ ନକଲ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଗୋଚରାର୍ଥେ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ