ପଶୁ ସମ୍ପଦର ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତଥିବା ପଶୁ ସୁରକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ପ୍ରୋତ୍ସାହନ ଦିଆଯିବ । ଜିଲ୍ଲାର ପଶୁ ସମ୍ପଦ ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ନେଇ ଜିଲ୍ଲା ସ୍ତରୀୟ କମିଟି ବୈଠକରେ ଆଲୋଚନା ହୋଇଯାଇଛି । ମଙ୍ଗଳବାର ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ପଶୁମାନଙ୍କ ପ୍ରତି ଅତ୍ୟାଚାର ରୋକିବା ଘେନି ଜିଲ୍ଲା ସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସଭ୍ୟ ଗଣ ନିଜ ନିଜ ମତାମତ ଉପସ୍ଥାପନ କରି ପଶୁ ସମ୍ପଦର ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଥିଲେ । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାସ୍ତରୀୟ କମିଟି ଗଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଏହାର ସଭାପତି ଥିବା ସ୍ଥଳେ ଆରକ୍ଷୀ ଅଧିକ୍ଷକ ପ୍ରଥମ ଉପସଭାପତି, ଦ୍ୱିତୀୟ ଉପସଭାପତି ଭାବେ ବେସରକାରୀ ପଶୁପାଳକ ମାଲିକ ଡି. ବିଶ୍ୱନାଥ, ସମ୍ପାଦକ ଭାବେ ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡଃ ଦେବରାଜ ବେହେରା, ଯୁଗ୍ମ ସମ୍ପାଦକ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, କୋଷାଧ୍ୟକ୍ଷ ଭାବେ ସିଡିପିଓ କାର୍ଯ୍ୟାଳୟର ପରିସଂଖ୍ୟନ ଗଣନାକାରୀ ପ୍ରଶାନ୍ତ କୁମାର ମିଶ୍ର ଏବଂ ସଭ୍ୟ ଭାବେ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ପଞ୍ଜୀକୃତ ହୋଇଥିବା ଗୋଶାଳାର ପ୍ରତିନିଧି କୈଳାଶ ଚନ୍ଦ୍ର ଦାଶ, ସୁଶାନ୍ତ କୁମାର ବେହେରା, ପଶୁ ସମ୍ପଦ ସୁରକ୍ଷାକାରୀ ଲଲାଟେନ୍ଦୁ ଚୌଧୂରୀ, ବିଜୁ ଲେଙ୍କା ପ୍ରମୁଖ ସଭ୍ୟ ଗଣ ଏହି ଜିଲ୍ଲା ସ୍ତରୀୟ କମିଟିର ଦାୟିତ୍ୱ ନିର୍ବାହ କରିବେ । ଯେଉଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ପଶୁ ସମ୍ପଦର ସୁରକ୍ଷା ଦିଗରେ କାର୍ଯ୍ୟରତ ସେହି ଅନୁଷ୍ଠାନ ଗୁଡିକୁ ପ୍ରୋତ୍ସାହନ ପୂର୍ବକ ଆର୍ଥିକ ସହାୟତା ପ୍ରଦାନ ସହିତ ସେମାନଙ୍କୁ ମହତ୍ୱପୂଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ । ସେହି ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପଶୁ ସମ୍ପଦର ସୁରକ୍ଷା,ସେମାନଙ୍କ ଖାଦ୍ୟପେୟ, ରହିବା ବ୍ୟବସ୍ଥା ଏବଂ ଚିକିତ୍ସା ଦିଗରେ ସତର୍କ ମୂଳକ ପଦକ୍ଷେପ ଘେନି ପଶୁ ସମ୍ପଦର ସୁରକ୍ଷା ନେଇପାରିବେ । ଏହି ମହତ୍ କାର୍ଯ୍ୟ ସମ୍ପାଦନ ସକାଶେ ଇଚ୍ଛୁକ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯିବ । ସେମାନେ ଉପରୋକ୍ତ କାର୍ଯ୍ୟ ସୁଚାରୁ ରୁପେ ସଂପାଦନ କରୁଥିବେ ତେବେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ଦିଗରେ ଜିଲ୍ଲା କମିଟି ପଦକ୍ଷେପ ଗ୍ରହଣ କରିବେ । ପଶୁ ସମ୍ପଦର ସୁରକ୍ଷା ଓ ଦୁର୍ଘଟଣା ଜନିତ ସେବା ସୁଶ୍ରୁଷା ଯୋଗାଉଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନଙ୍କୁ ପ୍ରୋତ୍ସାହନ ଦେବା ନିମିତ୍ତ ସଭ୍ୟଗଣ ମତାମତ ରଖିଥିଲେ । ଜିଲ୍ଲାରେ ସମ୍ପ୍ରତ୍ତି ଗୋଟିଏ ମାତ୍ର ପଶୁ ସେବା ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଯାହାକି, ୨୪ ଘଣ୍ଟା ସେବା ଯୋଗାଇବାରେ ଅସମ୍ଭବ ହୋଇପଡୁଛି । ଏଣୁ ଆଉ ଗୋଟିଏ ଆମ୍ବୁଲାନ୍ସର ଆବଶ୍ୟକତା ଦିଗରେ ଗୁରୁତ୍ୱ ଦିଆଯାଇଥିଲା । ପଶୁ ସମ୍ପଦର ସୁରକ୍ଷା ଦିଗରେ ଆବଶ୍ୟକୀୟ କର୍ମଚାରୀ ଅଭାବ ପୂରଣ,ଉପକରଣ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥାର ଉନ୍ନତିକରଣ ଓ ଆବଶ୍ୟକତା ନେଇ ସବିଶେଷ ମତାମତ ଉପସ୍ଥାପନ କରିଥିଲେ । ପରିଶେଷରେ ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡଃ ଦେବରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ