ପଶ୍ଚିମବଂଗ ଫେରନ୍ତାଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ

ନାଉଗାଁ (ଓ୍ବାଇଏନ୍ଏସ୍) : ସାରା ବିଶ୍ୱରେ ଦିନକୁ ଦିନ କରୋନା ଭୁତାଣୁ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍ ଡାଉନ୍ ଜାରୀ ହୋଇଛି । ରାଜ୍ୟ ବାହାରୁ ବହୁ ଲୋକ ବିଭିନ୍ନ ଉପାୟରେ ଗାଁକୁ ଆସିବା ପରେ ଗାଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବାରେ ଲାଗିଛି । ବିଶେଷକରୀ ଗତ ୨ ଦିନ ହେବ ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଯେଉଁ ସବୁ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚମବଙ୍ଗ ରାଜ୍ୟରୁ ଆସୁଥିବା ଜଣାଯାଇଛି । ଉକ୍ତ ଘଟଣା ଜଣାଯିବା ପରେ ନାଉଗାଁ ବ୍ଳକର ବିଭିନ୍ନ ଗ୍ରାମରେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କାରଣ ପଶ୍ଚିମବଙ୍ଗ ରାଜ୍ୟରୁ ଗତ କିଛି ଦିନ ହେବ ଲଗାତାର ବିଳମ୍ବିତ ରାତିରେ ଉକ୍ତ ବ୍ଳକର ଅଧିକାଂଶ ଗ୍ରାମକୁ ଲୋକମାନେ ଫେରିଛନ୍ତି । ତେଣୁ ସେମାନଙ୍କ ଦେହରେ କରୋନା ଭୁତାଣୁ ରହି ଥାଇ ପାରେ ବୋଲି ସ୍ଥାନୀୟ ଜନସାଧାରଣମାନେ ଭାବିବା ସହିତ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏପରିକି ଏହି ବ୍ଳକର କେତେକ ଗ୍ରାମରେ କଲିକତା ଫେରନ୍ତା ବ୍ୟକ୍ତି ଓ ଯୁବକ ହାଟ ବଜାର ଆଦିରେ ବୁଲିବା ସହିତ ଗାଁରେ ସମସ୍ତଙ୍କ ସହିତ ମିଶୁଥିବା ଦେଖାଦେଇଛି । ପ୍ରଶାସନ ତରଫରୁ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ଘରେ ସଙ୍ଗରୋଧ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ଏହାର ସଠିକ ତଦାରଖ ହେଉ ନଥିବାରୁ ବିଦେଶ ଫେରନ୍ତା ଅନାୟସରେ ବାହାରେ ବୁଲୁଥିବା ଚର୍ଚ୍ଚା ଜୋର ଧରିଛି । ଫଳରେ ବିଦେଶ ଫେରନ୍ତାଙ୍କୁ ନେଇ ଅନେକ ଗ୍ରାମରେ ଉତେଜନା ମଧ୍ୟ ସୃଷ୍ଟି ହେଉଥିବା ଦେଖାଯାଉଛି । ରାଜ୍ୟରେ ୨ ଦିନ ମଧ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନେକ ପଶ୍ଚିମବଙ୍ଗ ଫେରନ୍ତା ଜଣାପଡିବା ପରେ ମଙ୍ଗଳବାର ବ୍ଳକ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ସେମାନଙ୍କ ଘରେ ପହଁଚି ସଚେତନତା କରୁଛନ୍ତି । ଅନ୍ୟପଟରେ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ସିମାରେ ପୋଲିସ କ୍ୟାମ୍ପ କରାଯାଇ ଜୋରଦାର ଯାଂଚ ଚାଲିଛି । ଏମିତି କି କୌଣସି ଲୋକ ଜିଲ୍ଲା ବାହାରକୁ ଯିବାକୁ ହେଲେ ବିନା ପାସରେ ଯାଇ ପାରିବେ ନାହଁ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ କଟକ ଓ ଭୁବନେଶ୍ୱର ଓ ରାଜ୍ୟ ବାହାରୁ ପ୍ରତିଦିନ ନାଉଗାଁ ଅଂଚଳକୁ ଅଧିକାଂଶ ଲୋକ ଆସୁଥିବା ଜଣାଯାଉଛି । ଉକ୍ତ ଲୋକମାନେ କିପରି ଜିଲ୍ଲା ପାରି ହୋଇ ଅନ୍ୟ ଜିଲ୍ଲାକୁ ଆସୁଛନ୍ତି ଯାହାକୁ ନେଇ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏହି ବ୍ଲକର ପ୍ରତ୍ୟେକ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ଲକରେ ଥିବା ସମସ୍ତ ସିମାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ଯୋଗାଇ ଦେବାକୁ ନାଉଗାଁର ବିଭିନ୍ନ ସଂଗଠନ, ବୁଦ୍ଧିଜୀବମାନଙ୍କ ପକ୍ଷରୁ ଦାବି ହେଉଛି । ଏବିଷୟକୁ ନେଇ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ ଜିଲ୍ଲାର ସୀମାନ୍ତ ଅଂଚଳକୁ କଡାକଡି ଭାବେ ସିଲ କରାଯାଇଛି,ଯେଉଁମାନେ ରାତିରେ ଲୁଚିକି ଆସି ବିଭିନ୍ନ ଗ୍ରାମରେ ରହିଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ସହିତ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ଯେଉଁମାନେ ସଙ୍ଗରୋଧର ନିୟମ ଭଙ୍ଗ କରିବେ ସେମାନଙ୍କ ବିରୁଦ୍ଧରେ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ