ପଶ୍ଚିମବଙ୍ଗରେ ପୁଣି ହିଂସା ବିଜେପି ଅଧ୍ୟକ୍ଷଙ୍କ ରାଲିକୁ ଅଟକାଇଲା ପୁଲିସ୍ ଦଳୀୟ କର୍ମୀ-ପୁଲିସ ସଂଘର୍ଷ, ୩ ଆହତ
କୋଲକାତା(ଏଜେନ୍ସି): ପଶ୍ଚିମବଙ୍ଗର ଦକ୍ଷିଣ ମିର୍ଜାପୁରରେ ଶନିବାର ଅପରାହ୍ଣରେ ବିଜେପି କର୍ମୀ ଓ ପୁଲିସ୍ଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ପୁଲିସ୍ ସବ୍ ଇନ୍ସପେକ୍ଟରଙ୍କ ସମେତ ୩ଜଣ ଆହତ ହୋଇଛନ୍ତି । ଘଟଣା ପରେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ରାଜ୍ୟ ବିଜେପି ଅଧ୍ୟକ୍ଷ ତଥା ମେଦିନାପୁର ଅଞ୍ଚଳର ସାଂସଦ ଦିଲ୍ଲୀପ ଘୋଷଙ୍କ ବିଜୟ ଯାତ୍ରା ଉତ୍ସବରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିିଛି । ଗଙ୍ଗାରାମପୁରରେ ପୁଲିସ୍ କର୍ମୀ ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଶୋଭାଯାତ୍ରାକୁ ଅଟକାଇବା ପରେ ବିଜେପି କର୍ମୀମାନେ ଆକ୍ରମଣାତ୍ମକ ହୋଇପଡିଥିଲେ ଏବଂ ପୁଲିସ୍ ସହ ଧସ୍ତାଧସ୍ତି କରିବା ଆରମ୍ଭ କରିଦେଇଥିଲେ । ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ପୁଲିସ୍ ପକ୍ଷରୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ସାଂସଦ ଶ୍ରୀ ଘୋଷ ବିନା ଅନୁମତିରେ ନିଜର ବିଜୟ ଯାତ୍ରା କରୁଥିବା ବେଳେ ପୁଲିସ୍ ଏହାକୁ ଅଟକାଇବାକୁ ଚେଷ୍ଟା କରୁଥିବା ନେଇ କହୁଥିବା ବେଳେ ଶ୍ରୀ ଘୋଷ କିନ୍ତୁ କହିଛନ୍ତି ଯେ, ଭୋଟ୍ ଦେଇ ତାଙ୍କୁ ଜିତାଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେ ଲୋକଙ୍କୁ ଭେଟିବାକୁ ଚାହିଁଥିଲେ । ହେଲେ ପୁଲିସ୍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଏପରି କରିବାକୁ ଦେଉନାହିଁ । ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ସମର୍ଥକମାନେ ତାଙ୍କୁ ଏବଂ ତାଙ୍କ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ପୁଲିସ ଟିଏମ୍ସି କର୍ମୀଙ୍କୁ କିଛି ନକହି ଓଲଟା ତାଙ୍କ ସମର୍ଥକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା । ଯାହାକୁ ନେଇ ବିବାଦ ଦେଖାଯାଇଥିଲା । ଏହି ଘଟଣାରେ ତାଙ୍କର କିଛି ସମର୍ଥକ ଓ ପୁଲିସ୍ କର୍ମୀ ଆହତ ହୋଇଛନ୍ତି ।
ବିଜେପି କର୍ମୀ ଓ ପୁଲିସ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଘନୀଭୂତ ହେବା ସତ୍ତେ୍ୱ ସାଂସଦ ଶ୍ରୀ ଘୋଷ ନିଜ ଶୋଭାଯାତ୍ରା ବନ୍ଦ କରିନଥିଲେ । ଏପରିକି ଘଟଣାସ୍ଥଳରେ ପୁଲିସ୍ ବିଜୟ ଯାତ୍ରାକୁ ଅଟକାଇବା ପାଇଁ କରିଥିବା ବ୍ୟାରିକେଡ୍ଗୁଡିକୁ ମଧ୍ୟ ସାଂସଦଙ୍କ ସମର୍ଥକମାନେ ଭାଙ୍ଗିଦେଇଥିଲେ । ତେବେ ଏହି ଘଟଣା ପରେ ସାଂସଦ ଶ୍ରୀ ଘୋଷ ରାଲି ପାଇଁ ପୁଲିସ୍କୁ ପୁଣି ଥରେ ଅନୁମତି ମାଗିଥିବା ନେଇ ମଧ୍ୟ ସୂଚନା ମିଳିଛି । କେବଳ ସାଂସଦ ନୁହେଁ ବିଜେପି କର୍ମୀ ତଥା ସମର୍ଥକମାନେ ମଧ୍ୟ ପ୍ରଶାସନ ଠାରୁ ଅନୁମତି ମାଗିଥିବା ନେଇ ଜଣାପଡିଛି । ପ୍ରକାଶ ଯେ, ମେଦିନାପୁର ଆସନରେ ଟିଏମ୍ସିର ସାଂସଦ ପ୍ରାର୍ଥୀଙ୍କୁ ବିଜେପି ସାଂସଦ ଶ୍ରୀ ଘୋଷ ପରାଜିତ କରିଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ବିଜେପି କର୍ମୀଙ୍କ ସହ ପୁଲିସ୍ ଓ ଟିଏମ୍ସି କର୍ମୀଙ୍କ ମଧ୍ୟରେ ଏପରି ଧସ୍ତାଧସ୍ତି ହୋଇଥିବା ନଜର ରହିଛି । ଅନ୍ୟପକ୍ଷେ ଆଜିର ଏହି ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଦାୟୀ କରିଛନ୍ତି । ମମତା କହିଛନ୍ତି ଯେ ବିଜେପିର କୌଣସି ନେତାଙ୍କୁ ବିଜୟ ଶୋଭାଯାତ୍ରାର ଅନୁମତି ଦିଆଯିବ ନାହିଁ । ଏହାର ଉଲ୍ଲଙ୍ଘନ କରିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୁଲିସ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।