ପଶ୍ଚିମବଙ୍ଗରେ ବୋମା ମାଡ଼, ୨ମୃତ
କୋଲକାତା(ଏଜେନ୍ସି): ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ନିର୍ବାଚନୀ ହିଂସା ଥମିବାର ନାଁ ଧରୁନି । ଶନିବାର ବଶିରହାଟ ହିଂସାକାଣ୍ଡରେ ୪ଜଣଙ୍କ ହତ୍ୟା ପରେ ରବିବାର ଓ ସୋମବାର ବିଜେପି ଏବଂ ଆରଏସ୍ଏସ୍ର ଦୁଇ କର୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର କରାଯାଇଥିଲା । ସେହିପରି ସୋମବାର ବିଳମ୍ବିତ ରାତିରେ ଉତ୍ତର-୨୪ ପ୍ରଙ୍ଗଣ ଜିଲ୍ଲାର କାଙ୍କୀନାରା ଅଞ୍ଚଳରେ ବୋମାମାଡ କରାଯାଇଛି । ବୋମା ବିସ୍ଫୋରଣ ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୃତକମାନେ ଶାସକ ଦଳ ଟିଏମ୍ସିର କର୍ମୀ ବୋଲି ଜଣାପଡିଛି । ପଶ୍ଚିମବଙ୍ଗରେ ଶନିବାର ରାତିଠାରୁ ସୋମବାର ରାତି ପର୍ଯ୍ୟନ୍ତ ୭୨ ଘଣ୍ଟା ମଧ୍ୟରେ ୮ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୋମବାର ବିଳମ୍ବିତ ରାତିରେ କିଛି ଅଜ୍ଞାତ ଯୁବକ ସେଠାରେ ଦେଶୀ ବୋମା ବିସ୍ଫୋରଣ କରିଥିଲେ । ବିସ୍ଫୋରଣ ପରେ କେତେକଙ୍କ ଘରୁ ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡି ପ୍ରଶାସନ ଠାରୁ ସାହାଯ୍ୟ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
୨ଠ୧୯ ସାଧାରଣ ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି । ଦେଖିବାକୁ ଗଲେ ପ୍ରତିଦିନ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହିଂସାକାଣ୍ଡ ଘଟୁଥିବା ସୂଚନା ସାମ୍ନାକୁ ଆସୁଛି । ଏହା ଦ୍ୱାରା ପଶ୍ଚିମବଙ୍ଗ ପରିବେଶ ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡିଛି । ଏପରିସ୍ଥିତିରେ ଦିନକ ପୂର୍ବେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି । ଶ୍ରୀ ତ୍ରିପାଠୀ ଉଭୟ ଶାହା ଓ ମୋଦିଙ୍କୁ ରାଜ୍ୟର ରାଜନୈତିକ ହିଂସା ଓ ବର୍ତ୍ତମାନର ଅବସ୍ଥା ଉପରେ ୪୮ ପୃଷ୍ଠାର ଲମ୍ବା ରିପୋର୍ଟ ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟପାଳ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ସେ କେବଳ ରାଜ୍ୟର ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏବେ ସେ ରାଜ୍ୟରେ ଶାନ୍ତି ସ୍ଥାପନ ପାଇଁ ଏକ ସର୍ବଦଳୀୟ ବୈଠକର ପ୍ରସ୍ତାବ ଦେବେ ଏବଂ ଏନେଇ ସେ ସମସ୍ତ ନେତା, ମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ସେହିପରି ଗତକାଲି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଥିବା ହିଂସା ଘଟଣାକୁ ବିରୋଧ କରି ରାଜ୍ୟ ବିଜେପି ପକ୍ଷରୁ ସୋମବାର ୧୨ଘଣ୍ଟିଆ ବନ୍ଦ ପାଳନ ସହ କେତେକ ଅଞ୍ଚଳରେ କଳାଦିବସ ପାଳନ କରାଯାଇଛି । ଅନ୍ୟପକ୍ଷେ ବିଜେପିର ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗୀ ସମେତ ଅନେକ ନେତା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବିରେ ଅଡି ବସିଛନ୍ତି । ବିଜୟବର୍ଗୀଙ୍କ କହିବାନୁସାରେ ଯଦି ଅବସ୍ଥାରେ ସୁଧାର ନଆସେ ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଜରୁରି । ତେବେ ରାଜ୍ୟ ସରକାର ବିଶେଷକରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ନୋଟିସ୍ର ଜବାବ ରଖିଛନ୍ତି । ମମତା କହିଛନ୍ତି ଯେ, ରାଜ୍ୟରେ ସବୁକିଛି ଠିକ୍ ଠାକ୍ ଅଛି । ବିଜେପି ଜାଣିଶୁଣି ଏଠାରେ ଧର୍ମକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରି ଏପ୍ରକାର ହିଂସାକାଣ୍ଡ ଘଟାଉଛି ।


