ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଆନ୍ଦୋଳନରତ ସମ୍ବଲପୁର ଓକିଲ ସଂଘ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ମଧ୍ୟରେ ଯେଉଁ ସମସ୍ୟା ଉପୁଜିଛି ଏବଂ ଏଥିରେ ଓକିଲମାନେ ଗିରଫ ହୋଇ ଜେଲ୍କୁ ଯିବା ଘଟଣା ସମ୍ପର୍କରେ ବି.ଜେ.ପି. ସାଂସଦ ମାନ୍ୟବର ସୁରେଶ ପୂଜାରୀ ଏବଂ ତାଙ୍କର ସହଯୋଗୀ ଭାଜପା ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ଅପ୍ରାସଙ୍ଗିକ ମନେହୁଏ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଏକ ବିଚାର ବିଭାଗୀୟ ବିଷୟ ଏବଂ ଏହା ପ୍ରଶାସନିକ ବିଚାର ଅଧିକାର ବିଷୟ ନୁହେଁ । ରାଜ୍ୟ ଭିତରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ କେଉଁ କାରଣରୁ କେଉଁଠାରେ ସ୍ଥାପନ କରାଯିବ ସେ ସମ୍ପର୍କରେ ମାନ୍ୟବର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାର ଆଲୋଚନା କରି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ରାଜ୍ୟ ସରକାର ଆନୁସଙ୍ଗିକ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ । କିନ୍ତୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ରାଜନୈତିକ କିମ୍ବା ପ୍ରଶାସନିକ ନିଷ୍ପତ୍ତି ନିଆଯିବା ବସ୍ତୁତଃ ସମ୍ଭବ ନୁହେଁ । କାରଣ ରାଜ୍ୟ ସରକାର ଯଦି ରାଜ୍ୟର ପଶ୍ଚିମ ପ୍ରାନ୍ତରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆଣିବେ ଦକ୍ଷିଣାଞ୍ଚଳରେ ଥିବା ଜିଲ୍ଲା ଗୁଡ଼ିକ ଏବଂ ଉତ୍ତର ଭାଗରେ ଥିବା ଜିଲ୍ଲାଗୁଡ଼ିକ ମଧ୍ୟ ସେମାନଙ୍କ ଅଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବୀ ଉପସ୍ଥାପନ କରିବେ, ଯାହା ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବୀରୁ ଉଦ୍ଭବ ହୋଇଛି ।ତେବେ ମାନ୍ୟବର ସୁରେଶ ପୂଜାରୀ ଏବଂ ତାଙ୍କର ସହଯୋଗୀମାନଙ୍କୁ ମୋର ଗୋଟିଏ ପ୍ରଶ୍ନ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭା.ଜ.ପା ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ଶାସନରେ ଥିଲା । ରାଜସ୍ୱ ଏବଂ ଆଇନ୍ ବିଭାଗ ଭା.ଜ.ପା ଅଧିନରେ ଥିଲା । ସେତେବେଳେ ସେମାନେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଦେଇ ପାରିଲେ । ମାତ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କିମ୍ବା ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ଉଦ୍ୟମ କରିଥିବା ମନେ ହୁଏନାହିଁ । ଏବେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ସମ୍ବାଦପତ୍ର ମାନଙ୍କରେ ଯେଉଁ ବିବୃତ୍ତି ଦେଇଛନ୍ତି ତାହା କେବଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଲୋକମାନଙ୍କୁ ବିଭ୍ରାନ୍ତି କରିବା ବ୍ୟତୀତ ଅନ୍ୟ କିଛି ନୁହେଁ । ଦିନ ଥିଲା, କୁହାଯାଉଥିଲା- “ଉତ୍ତରରେ ଗଙ୍ଗା, ଦକ୍ଷିଣରେ ଗୋଦାବରୀ, ପଶ୍ଚିମେ ମଧ୍ୟ ଭାରତ ପୂର୍ବରେ ମହୋଦଧି” ହେଉଛି ଓଡ଼ିଶାର ସୀମା । ସେତେବେଳେ ବୋଧହୁଏ ଏବର ତଥାକଥିତ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣା ଓଡ଼ିଶା ଥିଲା ଓଡ଼ିଶାର ମୁଖ୍ୟ ଭୂଖଣ୍ଡ । ଆଜି ସେହି ମୂଳ ଓଡ଼ିଶାର ଲୋକେ ନିଜକୁ ପଶ୍ଚିମ ଓଡ଼ିଶା କାହିଁକି କହୁଛନ୍ତି ଏବଂ ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସହଜରେ ଅନୁମେୟ ।


