‘ପାଇକ ରେଜିମେଣ୍ଟ’ ଗଠନ ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲା ପାଇକ ମହାସଂଘ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସେନା ବାହିନୀରେ ‘ପାଇକ ରେଜିମେଣ୍ଟ’ ଗଠନ କରିବା ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଛି ପାଇକ ମହାସଂଘ । ବହୁ ଦିନର ଦାବି ି କରି ଆସୁ୍ଥିଲେ ମଧ୍ୟ କେନ୍ଦ୍ର ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାନାହାନ୍ତି । ଏହା ଓଡ଼ିଶା ପ୍ରତି ତଥା ପାଇକ ଜାତି ପ୍ରତି ଏକ ଉପହାସ ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ଭାରତର ପ୍ରଥମ ଇଂରେଜ ବିରୁଦ୍ଧ ଆନ୍ଦୋଳନ ‘ପାଇକ ବିଦ୍ରୋହ’କୁ କେନ୍ଦ୍ର ସରକାର ପାଳନ କଲେ ଓ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କଲେ । କିନ୍ତୁ ଏହାକୁ ଇତିହାସରେ ସ୍ଥାନ ଦେଲେ ନାହିଁ । ପୁଣି ଥରେ ଏହି ଭୁଲ ତଥ୍ୟ ପ୍ରତିପାଦନ କରି ପାଇକମାନଙ୍କ ପ୍ରତି ବିଶ୍ୱାସଘାତକ କଲେ । ପାଇକ ଆଖଡ଼ା ଆଜି ବିଦେଶରେ ନୂତନ ନାମରେ ଜୁଡ଼ୋ, କରାଟେ, କୁମ୍ଫା, ଏହାର ମୂଳ ତଥ୍ୟ ହେଉଛି ପାଇକ ମାନଙ୍କର ମଲ୍ଲଯୁଦ୍ଧ ଓ ରଣକୌଶଳ । ଛାପାମାରା ଯୁଦ୍ଧ ହେଉ କିମ୍ବା ସମ୍ମୁଖ ଯୁଦ୍ଧ, ପଶ୍ଚାତ ଯୁଦ୍ଧ ଏହାର କୌଶଳ କେବଳ ପାଇକମାନେ ଜାଣିଛନ୍ତି । ଏହି ରଣ କୌଶଳକୁ କଳିଙ୍ଗ ଯୁଦ୍ଧ ଠାରୁ ଆରମ୍ଭ କରି ଇଂରେଜ ବିରୁଦ୍ଧ ଯଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ବୀର ପାଇକମାନେ ପ୍ରଦର୍ଶନ କରିଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ‘ପାଇକ ରେଜିମେଣ୍ଟ’ ଗଠନ କରି ପାଇକ ଆଖଡ଼ା ଜାଣିଥିବା ପାଇକ ବୀରମାନଙ୍କୁ ଅଗ୍ରାଧିକାର ଦେବା ସହିତ ଓଡ଼ିଆ ପାଇକମାନଙ୍କୁ ଏହି ରେଜିମେଣ୍ଟରେ ସ୍ଥାନ ଦେବାକୁ ମହାସଂଘ ଦାବୀ ଜଣାଇଛି । ଆଜି ଏହି ମର୍ମରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିବା ସହିତ ପ୍ରତିରକ୍ଷା ମନ୍ତ୍ରୀ ଓ ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଏକ ପତ୍ର ଲେଖି ଏହା ଉପରେ ଦାବୀ ଉପସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହାସଂଘର ସାଧାରଣ ସମ୍ପାଦକ ରମେଶ ସାମଲ, ଖୋର୍ଦ୍ଧା ଜିଲ୍ଳା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ଜିନ୍ ଗବେଷକ ପ୍ରଫେସର ଗାୟନ ସାମଲ, ରାଜ୍ୟ କୋଷାଧ୍ୟକ୍ଷ ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ଉପଦେଷ୍ଟା ଭୀମସେନ ବିଶ୍ୱାଳ, ବିଭୂତି ସ୍ୱାଇଁ, ଉପଦେଷ୍ଟା, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରମୋଦ କୁମାର ସାମନ୍ତରାୟ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରସନ୍ନ ଦଳବେହେରା, ପାଇକ ବିଶାରଦ ଗୁରୁ କେଦାର ଦାସ, ଗୁରୁ ଭାସ୍କର ସୁନ୍ଦରା, ପାଇକ ସର୍ଦ୍ଦାର ଜିତେନ୍ଦ୍ର ମାନସିଂହ ପ୍ରମୁଖ ଦୃଢ ଦାବି କରିଛନ୍ତି ।