ପାଇପ୍ ପାଣି ଯୋଗାଣ ବିଳମ୍ବ : ଗ୍ରାମ୍ୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଶିରାକୋଳି ଗ୍ରାମବାସୀ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ବଣ ଜଙ୍ଗଲ ନଦୀ ନାଳ ଘେରା ମୟୂରଭଂଜ ଜିଲ୍ଲାରେ ଚାରିଆଡ଼େ ଉତ୍କଟ ଜଳ ସମସ୍ୟା । ଏପ୍ରିଲ ମାସ ଅଧା ହେଲାଣି ଏଯାଏଁ ଇନ୍ଦ୍ର ଦେବତାଙ୍କ ଆଶୀର୍ବାଦ ପଡ଼ିନାହିଁ ।ଏଣେ ପ୍ରବଳ ରୌଦ୍ରତାପରେ ତୃଷ୍ଣାର୍ତ୍ତ ମଣିଷ , ଜୀବଜନ୍ତୁ ସମସ୍ତେ ପାଣି ପାଇଁ ଡହଳ ବିକଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ସିମାନ୍ତ ରରୁଆଁ ବ୍ଳକର ତିଳକୁଟି ଗ୍ରାପର ଶିରା କୋଳି ଗାଁ ରେ ।୨୫୦୦ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ଦୃଷ୍ଟିରୁ ଏହା ବୃହତ ଗ୍ରାମ ଅଟେ । ରାଜ୍ୟ ସରକାରଙ୍କ ତରଫରୁ ୩ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ସରିଛି ହେଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ଅବହେଳା ନେଇ ଆଜିଯାଏଁ ସେହି ଗ୍ରାମକୁ ପାଇପ୍ ଯୋଗେ ପାଣି ପହଞ୍ଚାଇବା କାର୍ଯ୍ୟକାରୀ ହେଉନାହିଁ । ପ୍ରଶାସନିକ ଅବହେଳା ପାଇଁ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ସରକାରଙ୍କ ଯୋଜନା ସମସ୍ତଙ୍କ ଘରକୁ ପାଣି ଯୋଗାଇବା କାର୍ଯ୍ୟକ୍ରମ କୁ ତଳ ସ୍ତରର କର୍ମଚାରୀ ଭଣ୍ଡୁର କରୁଛନ୍ତି । ଏଥିପାଇଁ ତିଳକୋଟି ଗ୍ରାମ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ମିନା ଚାତାରାଙ୍କ ନେତୃତ୍ବରେ ବହୁ ସ୍ବୟଂ ସହାୟିକା ଗୋଷ୍ଠୀ ର ମହିଳା ସଦସ୍ୟା ମାନେ ସୁଦୂର ୬୦କିମି ଦୂରୁ ଆସି ରାଇରଙ୍ଗପୁରସ୍ଥ ନିର୍ବାହୀ ଯନ୍ତ୍ରୀ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ, ରାଇରଙ୍ଗପୁର , ମୟୂରଭଂଜ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରି ତୁରନ୍ତ ପିଇବା ପାଣି ଟାଙ୍କିର କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଥିଲେ ।


