ପାଇମହୁରା ଛକ ଠାରେ ଗଳିପୋଲ ପାଇଁ ଦାବି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଂଚି ଥିବାବେଳେ ଦାବି ଅନୁଯାୟୀ ଏବେ ଅନେକ ସ୍ଥାନରେ ଗଳି ପୋଲ ନିର୍ମାଣ ହୋଇପାରିନାହିଁ । ଯାତାୟତ ସୁରକ୍ଷା ଦୃଷ୍ଟିରୁ ଯଶୋଟିକିରି ସ୍କୁଲ ପ୍ରାଙ୍ଗଣରେ ପୋଲ ନିର୍ମାଣ ପାଇଁ ଦାବି ଉଠିଥିଲେ ସୁଦ୍ଧା ତାହା ଏଯାଏଁ କାର୍ଯ୍ୟକାରୀ ହୋଇନପାରିବା ପରିତାପର ବିଷୟ ପାଲଟିଛି। ଅନୁରୂପ ଭାବେ ଧାମନଗର ଛକ ନିକଟ ପାଇମହୁରା ସିଟି ସ୍କୁଲ ନିକଟରେ ଏକ ଗଳି ପୋଲ ନିର୍ମାଣ ପାଇଁ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଅଞ୍ଚଳବାସୀ ଦାବି ଜଣାଇଥିଲେ ସୁଦ୍ଧା ତାହା ଏବେ ପାଣିର ଗାର ପାଲଟିଛି। ଉକ୍ତ ଛକର ଜାତୀୟ ରାଜପଥକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ସଂଯୋଗ କରୁଥିବା ବେଳେ ଏହି ବାଟ ଦେଇ ନଗୁଆଁ, ପାଟୁଳି, ସାନଶାସନ, ରାଜେନ୍ଦ୍ରପୁର, ନିର୍ଗୁଣ୍ଡି ଗ୍ରାମ ପଂଚାୟତ ଲୋକମାନେ ଯାତାୟତ କରିଥାଆନ୍ତି। ଏହାଛଡା ପାଇମହୁରା ସିଟି ସ୍କୁଲର ଛାତ୍ର ଛାତ୍ରୀ ମାନେ ଏହି ଛକରେ ରାସ୍ତା ପାରି ହୋଇ ଦୈନନ୍ଦିନ ଯାତାୟତ କରିଥାଆନ୍ତି। ଏତଦ୍ବ୍ୟତୀତ ସ୍ଥାନୀୟ ହେଲପୁର, ନଗୁଆଁ, ଡଗରପଡା,ବାଖରପୁର, ପାଟୁଳି ପ୍ରମୁଖ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଦେଇ ଯାତାୟତ କରନ୍ତି। ମୋଟା ମୋଟି ଭାବେ ରାତିପାହିଲେ ୫୦ଗୋଟି ଗ୍ରାମର ଜନସାଧାରଣ ପାଇମହୁରା ଛକର ଜାତୀୟ ରାଜପଥକୁ ଆସି ବିଭିନ୍ନ ଆଡକୁ ଯାଇଥାନ୍ତି। ସୁରକ୍ଷା ଦୃଷ୍ଟିରୁ ଏଠାରେ ଏକ ଗଳି ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ମାଣକାରୀ ସଂସ୍ଥା ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଇତିମଧ୍ୟରେ ଦାବିପତ୍ର ପ୍ରଦାନକୁ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ପୋଲ ନିର୍ମାଣ ପାଇଁ କେହି ମୁଣ୍ଡ କାନ ହଲାଉନଥିବା ଜଣାପଡିଛି। ପରିଶେଷରେ ଲୋକେ ଗାଁ ଗାଁ ବୁଲି ଦାବି ବାବଦରେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିବାବେଳେ ଦ୍ୱିତୀୟ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇବେ ବୋଲି ସୂଚନା ମିଳିଛି। ଏଥିରେ ଦାବୀ ପୂରଣ ନହେଲେ ଲୋକେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ