ପାଖେଇ ଆସୁଛି ନିର୍ବାଚନ : ହିଞ୍ଜିଳି ରାଜନୀତି ସରଗରମ ନବୀନଙ୍କ ସହ ଲଢିବାକୁ ସବୁ ଦଳରେ ବହୁ ଆଶାୟୀ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୬ା୩ (ଶେଷଦେବ ସାହୁ) : ସାଧାରଣ ନିର୍ବାଚନ ପୂର୍ବରୁ ଗଂଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି ସରଗରମ ହୋଇପଡ଼ିଛି । ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାସକ ବିଜେଡ଼ି ଦଖଲରେ ରହି ଆସିଛି । ଏହି ନିର୍ବାଚନ ମଣ୍ଡଳୀରୁ ଦୀର୍ଘ ୧୮ ବର୍ଷ ହେଲା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରି ଆସୁଛନ୍ତି । ପୂର୍ବ ୪ ଟି ସାଧାରଣ ନିର୍ବାଚନରେ ଶାସକ ବିଜେଡ଼ି ବିରୋଧରେ ସମସ୍ତ ବିରୋଧୀ ଦଳ ସେମାନଙ୍କ ପ୍ରାଥୀଙ୍କୁ ନବୀନଙ୍କବିରୋଧରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ କରାଇଛି, ହେଲେ ସବୁ ସମୟରେ ଶାସକ ବିଜେଡ଼ି ଡିଁ ବାଜିମାତ କରିଛି । ସବୁଥର ଭଳି ଏଥର ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ସୁନିଶ୍ଚିତ ହୋଇ ସାରିଥିବା ବେଳେ ବିପକ୍ଷରେ ଲଢିବାକୁ ଦୁଇ ପ୍ରମୂଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପିରେ ଆଶାୟୀଙ୍କ ସଂଖ୍ୟା ବି ସେମିତିରେ ବଢିବାରେ ଲାଗିଛି । ଗତ ୪ ଟି ନିର୍ବାଚନରେ କଂଗ୍ରେସ ଦଳ ପ୍ରାର୍ଥୀ ପରିବର୍ତନ କରିଥିଲା । ୨ ଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପୂର୍ବତନ ବିଧାୟକ ଉଦୟନାଥ ନାୟକ ବର୍ତମାନ ବିଜେଡ଼ି କ୍ୟାମ୍ପରେ ରହିଛନ୍ତି । ଫଳରେ ଆଗାମୀ ନିର୍ବାଚନରେ ବାହାରୁ ପ୍ରାର୍ଥୀ ନଦେଇ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ କିମ୍ବା ଶେରଗଡ଼ ବ୍ଳକରୁ ପ୍ରାର୍ଥୀ ଚୟନ ନେଇ କର୍ମୀ ସମ୍ମିଳନୀରେ ମତ ପ୍ରକାଶ ପାଇବା ସହ ଉପସ୍ଥିତ ଜିଲ୍ଲା କଂଗ୍ରେସର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଦୃଷ୍ଟି ଆକର୍ଶଣ କରାଯାଇଥିଲା । ଫଳରେ କଂଗ୍ରେସ ଟିକେଟ ନିମନ୍ତେ ନିରଂଜନ ପାଣିଗ୍ରାହୀ ଓ ପଦ୍ମଚରଣ ସାହୁ, ଶମ୍ଭୁ ପାଣିଗ୍ରାହୀ ଓ ରାମକୃଷ୍ଣ ପଣ୍ଡା ପ୍ରମୁଖ ଆବେଦନ କରିଥିବା ଜଣାପଡ଼ିଛି । ସେହିପରି ରାଜ୍ୟରେ କଂଗ୍ରେସ ସହ ବାମଦଳ ଓ ଜେଏମ ଭଳି ଦଳ ମେଂଟ ପାଇର୍ ଆଲୋଚନା ଚାଲିଛି । ସିପିଆଇ ଭାଗରେ ବି ଏହି ଆସନ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ପ୍ରାୟ ୧ ମାସ ପୂର୍ବେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡି ଶେରଗଡ଼ ଗ୍ରସ୍ତରେ ଆସିଥିବା ବେଳେ ମେଂଟ ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ସେ କାଳେ ଏଠାରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଥିଲେ । ତେବେ ନଦିର୍ବାନ ତାରିଖ ଘୋଷଣା ପରେ ସବୁ ଚିତ୍ର ସ୍ପଷ୍ଟ ହେବ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢିବାକୁ ବିଜେପି ଋଣ କୌଶଳ ପ୍ରସ୍ତୃତିରେ ଲାଗି ପଡ଼ିଥିବା ବେଳେ ଏଥର ବି ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି । ୨୦୦୯ ଓ ୨୦୧୪ ମସିହା ସାଧାରଣ ନିର୍ବାଚନରେ ବରିଷ୍ଟ ନେତା ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର ପ୍ରାର୍ଥୀ ହୋଇଥିଲେ ।ଏଥର ବି ଏହି ଲକ୍ଷ୍ୟ ନେଇ ସେ ସାଙ୍ଗଠନିକ କାର୍ଯ୍ୟକଳାପ ଜାରୀ ରଖିଛନ୍ତି । ଯାହାର ପ୍ରଭାବ ଗତ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଦଳର ଭୋଟ ହାର ତୁଳନାତ୍ମକ ଭାବେ ବୃଦ୍ଧି ପାଇଥିଲା । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ତଥା ଦଳର ଷ୍ଟାର ପ୍ରଚାରକ ଓ ଓଲିଉଡ଼ ଅଭିନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।ପିଙ୍କି ଶେରଗଡ଼ ବ୍ଳକର ମୂଳ ବାସିନ୍ଦା । ସେପେଟେ ବିଜେଡ଼ି ମହିଳା କାର୍ଡ଼ ଖେଳୁଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ବିଜେପି ପିଙ୍କିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଜୋର ଧରିଛି । ସେହିପରି ପିତଳର ପୂର୍ବତନ ସରଂପଚ ତଥା ଘୁମୁସର ଜିଲ୍ଲାର ବିଜେପି ସମ୍ପାଦକ ଅନିଳ କୁମାର ମହାପାତ୍ର ମଧ୍ୟ ଲବିରେ ରହିଛନ୍ତି । ଅନିଳ ପଂଚାୟତ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତେବେ ସବୁକିଛି ବର୍ତମାନ ଦଳର ହାଇକମାଣ୍ଡଙ୍କ ଉପରେ ନିଷ୍ପତି ଉପରେ ନିର୍ଭର କରୁଛି । ମୁଖ୍ୟମନ୍ତ୍ରୀ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଯୋଗୁଁ ଏହା ରାଜ୍ୟରେ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଛି । ଗତ ୨୦୧୪ ମସିହା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୯୨୬୭ ଭୋଟ ପାଇଥିଲେ । କଂଗ୍ରେସରୁ ଶିବରାମ ପାତ୍ର ୧୨୬୮୧, ବିଜେପିରୁ ଦେବାନନ୍ଦ ମହାପାତ୍ର ୧୨୨୮୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଆମ ଓଡ଼ିଶା , ଆମ ଆଦମୀ, ତୃଣମୁଳ କଂଗ୍ରେସ, ଆରଏମପି ଓ ସ୍ୱାଧୀନ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନରେ ଥିବା ବେଳେ ୧୮୯୫ ଭୋଟ ନୋଟାରେ ପଡ଼ିଥିଲା । ଉଭୟ ବିଜେପି ଓ କଂଗ୍ରେସ ଦଳା ପ୍ରାର୍ଥୀ ଶାସକ ବିଜେଡ଼ିକୁ କିଭଳି ଟକ୍କର ଦେଉଛନ୍ତି, ଦେଖିବାକୁ ବାକି ରହିଲା । ନବୀନ ପଟ୍ଟନାୟକ ତାଙ୍କରି ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଶିବରାମଙ୍କୁ ୭୬୫୮୬ ଭୋଟ ବ୍ୟବଧାନରେ ପରାଜୟ କରିଥିଲେ ।
୧୯୫୭, ୧୯୬୧, ୧୯୬୭, ୧୯୭. ୧୯୭୪୧୯୭୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରୁ, ଓ ୧୯୮୦(ଜନତା ପାର୍ଟି ସେକୁଲାର)ରୁ ବୃନ୍ଦାବନ ନାୟକ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରୁ ଉଦୟନାଥ ନାୟକ, ୧୯୯୦ ମସିହାରେ ଜନତା ଦଳରୁ ହରିହର ସାହୁ, ୧୯୯୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରୁ ଉଦୟନାଥ ନାୟକ ନିର୍ବାଚିତ ହୋଇଥିଲେ । ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ନୂତନ ଭାବେ ଗଢି ଉଠିଥିବା ବିଜୁ ଜନତା ଦଳରୁ ଆସିକା ଲୋକସଭା ନିବ;ାଜନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ଗତ ୨୦୦୦, ୨୦୦୪, ୨୦୦୯, ୨୦୧୪ ମସିହାରେ ବିଜୁ ଜନତା ଦଳରୁ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଆସୁଥିବା ସହ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ୨୦୧୪ ନିର୍ବାଚନରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୧୦ଟି ଭୋଟ ଦାନ କେନ୍ଦ୍ରରେ ସର୍ବମୋଟ ୧୨୨୦୬୫ ଜଣ ଭୋଟର ମତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ସାଧାରଣ ଭୋଟର ୧୦୭୭୬୦(ପୁରୁଷ), ୯୩୫୧୪(ମହିଳା), ତୃତୀୟ ଲିଙ୍ଗ ୨, ଚାକିରିଆ ଭୋଟର ୧୬୬(ପୁରୁୂଷ), ୭୫ (ମହିଳା) ଭୋଟଦାନ କେନ୍ଦରେ ମତଦାନ କରିଥିବା ବେଳେ ଡ଼ାକ ଜୀିଆରେ ୯୨ ଜଣ ଭୋଟର ମତଦାନ କରିଥିଲେ । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ୬୦.୫୭ ପ୍ରତିଶତ ମତଦାନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ