ପାଚିକାଙ୍କ ଘରେ ଜଳୁନି ଚୁଲି
ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା): ସମ୍ପ୍ରତି କୋରୋନା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ମନେ ସେମାନଙ୍କ ଦରମାରୁ ପରିବାର ପ୍ରତିପୋଷଣ କରୁଥିବା ବେଳେ ମଧ୍ୟାହ୍ନ ଭୋଜନ ରନ୍ଧାରେ ନିୟୋଜିତ ପାଚିକା ମନେ ଯେପରି ବହୁ ବାଧା ବିଘ୍ନରେ ଜୀବନ ନିର୍ବାହ କରିବାକୁ ପଡୁଛି । କାରଣ ରୋଜଗାର ପାଇଁଁ ସେମାନଙ୍କ ପାଖରେ ଅନ୍ୟ କୌଣସି ଜୀବିକା ନାହିଁ । ଅନେକ ଗରିବ ଓ ଅସହାୟ ମହିଳା ମାନେ ସରକାରୀ ବିଦ୍ୟାଳୟ ଗୁଡିକରେ ପାଚିକା ଭାବେ ନିଯୁକ୍ତି ପାଇଥାନ୍ତି । ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ଏମାନଙ୍କ କାମ ସେଥିରୁ ଯାହା ପାରିଶ୍ରମିକ ମିଳେ ପରିବାର ପ୍ରତିପୋଷଣ ହୁଏ ଯାହାକି ସମୁଦ୍ରକୁ ଶଙ୍ଖେ ଭଳି । ହେଲେ ଗତ ଆଠ ମାସ ହେବ ଶିକ୍ଷା ଅନଷ୍ଠାନ ଗୁଡିକରେ ତାଲା ପଡ଼ିଥିବାରୁ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଛି । ସରକାର ଅନଲକ ୫.୦ ଓ ଅନଲକ୍ ୬.୦ ରେ କିଛି କଟକଣାକୁ କୋହଳ କରିଥିବା ବେଳେ କୋରୋଣା ମହାମାରୀର ଦ୍ବିତୀୟ ପ୍ରବାହକୁ ପ୍ରତିହତ କରିବ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଫଳରେ ପାଚିକା ମାନଙ୍କ ଦୁଃଖ କହିଲେ ନସରେ। ଜୀବନ ବିତାଇବା ସେମାନଙ୍କ ଲାଗି ଏକ କଷ୍ଟକର ବ୍ୟାପାର । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର୍ ପଞ୍ଚାୟତ ପଥରା ପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପାଚିକା ସୁବସିନି ବିଷୋୟୀ। ପିଲାଦିନରୁ ସେ ମା ବାପାଙ୍କୁ ହରାଇ ଅର୍ଥାଭାବ ଯୋଗୁଁ ସେ ଓ ତାଙ୍କ ବଡ଼ ଭଉଣୀ ବିବାହ କରିନାହାନ୍ତି । ହେଲେ ବଡ଼ ଭଉଣୀଙ୍କ ମୃତ୍ୟୁ ପରେ ସୁବସିନୀ ସମ୍ପୂର୍ଣ୍ଣ ବେସାହାରା ପାଲଟି ଥିଲେ । ଅବିବାହିତା ଶୁବସିନିଙ୍କ ବୟସ ବର୍ତ୍ତମାନ ୫୦ ବର୍ଷ । ୧୦ ବର୍ଷ ତଳେ ଗ୍ରାମ୍ୟ କମିଟିର ସୁପାରିଶ କ୍ରମେ ସେ ବିଦ୍ୟାଳୟରେ ପାଚିକା ଭାବେ ନିଯୁକ୍ତି ପାଇଥିଲେ । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ମାସିକ ୧୪୦୦ ଦରମା ପାଉଥିଲେ । ସେତିକିରେ କଷ୍ଟେ ମଷ୍ଟେ ପରିବାର ପ୍ରତିପୋଷଣ ହେଉଥିଲା । ହେଲେ କୋରୋନା ପାଇଁ ରୋଜଗାର ବନ୍ଦ ହେବା କାରଣରୁ ଘରେ ଚୂଲି ଜାଳିବା କଷ୍ଟ ସାଧ୍ୟ ହୋଇପଡିଛି । ଏ ପ୍ରକାର ପରିସ୍ଥିତିରେ କୌଣସି ସରକାରୀ ସୁବିଧା ପାଇନଥିବା ବେଳେ ଭତା ସୁବିଧା ବି ପାଇନାହାନ୍ତି । ରୋଷେଇରୁ ମିଳୁଥିବା ଦରମା ରେ ଜଣେ ମଣିଷ ଚଳିବାରେ କୌଣସି ଅସୁବିଧା ହେଉନଥିବା ବେଳେ କୋରୋନା ସବୁ ଓଲୋଟ ପାଲଟା କରିଦେଇଛି । ଏପ୍ରକାର ଘଡିସନ୍ଧି ସମୟରେ ରାସନ କାର୍ଡ ସହ ଭତା ବ୍ୟବସ୍ଥା ମଧ୍ୟ ପାଇବା ପାଇଁ ନେହୁରା ହୋଇଛନ୍ତି । କେବଳ ସୁବଶିନି ନୁହଁନ୍ତି ତାଙ୍କ ଭଳି ବହୁତ ପାଚିକା ଏପରି ଦୁର୍ବିସହ ଜୀବନ ଯାପନ କରୁଥିବା ବେଳେ ସେମାନେ ବେସାହାରା ଜୀବନ ବିତାଇବା ନଜିର ରହିଛି । ପ୍ରଶାସନ ଏ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |